କୋଣାର୍କ ଇକୋ ରିଟ୍ରିଟ୍‌ରେ ପର୍ଯ୍ୟଟକଙ୍କ ମଧ୍ୟରେ ବଢିବାରେ ଲାଗିଛି ଅସନ୍ତୋଷ

କୋଣାର୍କ : ଆନ୍ତର୍ଜାତିକ ପର୍ଯ୍ୟଟନସ୍ଥଳୀ କୋଣାର୍କ ସ୍ଥିତ ଚନ୍ଦ୍ରଭାଗା ସ୍ବର୍ଣ୍ଣାଭ ବେଳାଭୂମିରେ ଗତ ମାସ ୧୫ ରୁ ଇକୋ ରିଟ୍ରିଟ୍ ଆରମ୍ଭ ହୋଇଛି । ଏହା ଆସନ୍ତା ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଚାଲିବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଇକୋ ରିଟ୍ରିଟ୍‌ରେ ନାନା ଅବ୍ୟବସ୍ଥା ଯୋଗୁଁ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଖାଦ୍ୟର ମାନ ଅତ୍ୟନ୍ତ ନିମ୍ନମାନର ଯୋଗୁଁ ପର୍ଯ୍ୟଟକ ମୁହଁ ଫେରାଉଛନ୍ତି । ଇକୋ ରିଟ୍ରିଟକୁ ପର୍ଯ୍ୟଟନ ବିଭାଗ ଏକ ଅଣଓଡ଼ିଆ ସଂସ୍ଥାକୁ ଟେକି ଦେଇଛି । ଏହି ସଂସ୍ଥାର ପରିଚାଳନାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପର୍ଯ୍ୟଟନ ଶିଳ୍ପର ବିକାଶ ନାଁରେ ବିନାଶ ହେଉଥିବା ପର୍ଯ୍ୟଟକ ଅଭିଯୋଗ କରିଛନ୍ତି । ଇକୋ ରିଟ୍ରିଟରେ ଗୋଟିଏ ମଦ ଦୋକାନ ଖୋଲିବାର ଅନୁମତି ଆଣି ଏକାଧିକ ମଦ ଦୋକାନ ଅବାଧରେ ଚାଲିଥିବା ଯୋଗୁଁ ବିଭିନ୍ନ ସମୟରେ ପର୍ଯ୍ୟଟକ ମଦ୍ୟପଙ୍କ ଦୌରାତ୍ମ୍ୟର ଶିକାର ହେଉଛନ୍ତି । ଏ ନେଇ ପର୍ଯ୍ୟଟନ ବିଭାଗ ନିକଟରେ ଖବର ରହିଥିଲେ ମଧ୍ୟ ବିଭାଗ ନିରବଦ୍ରଷ୍ଟା ସାଜିଛି । ସୂଚନା ଅନୁଯାୟୀ ଡିସେମ୍ବର ୧୫ ରୁ ଚନ୍ଦ୍ରଭାଗା ସ୍ବର୍ଣ୍ଣାଭ ବେଳାଭୂମିରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଇକୋ ରିଟ୍ରିଟ ଆରମ୍ଭ ହୋଇଛି । ପର୍ଯ୍ୟଟକଙ୍କ ଲାଗି ରାତ୍ରି ରହଣି ନିମନ୍ତେ ତମ୍ବୁ ଗୃହ ନିର୍ମାଣ କରାଯାଇଛି । ତମ୍ବୁ ଗୃହରେ ପଞ୍ଚତାରକା ହୋଟେଲ ଭଳି ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ ରହିଥିବାବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ରାତ୍ରି ରହଣି ଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି । ତେବେ ପରିଚାଳନାରେ ଅବ୍ୟବସ୍ଥା ଯୋଗୁଁ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରିଛନ୍ତି । ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ଇକୋ ରିଟ୍ରିଟ୍ ନିର୍ମାଣ କରାଯାଇଥିବାବେଳେ ଏହାର ପରିଚାଳନା ଦାୟିତ୍ୱ ରାଜସ୍ଥାନ ଇ-ଫାକ୍ଟର ନାମକ ଏକ ସଂସ୍ଥାକୁ ଦିଆଯାଇଛି । ମାତ୍ର ଏହି ସଂସ୍ଥା ସଠିକ୍ ଭାବେ ଇକୋ ରିଟ୍ରିଟ୍ ପରିଚାଳନା କରୁନଥିବା ଯୋଗୁଁ ଜନ ଅସନ୍ତୋଷ ବଢ଼଼ିବାରେ ଲାଗିଛି । ପୂର୍ବରୁ ଇକୋ ରିଟ୍ରିଟରେ ମେ ଫାୟାର, ସ୍ୱସ୍ତି ପ୍ରିମିୟମ ଭଳି ବଡ଼ ବଡ଼ ପଞ୍ଚତାରକା ହୋଟେଲକୁ ଖାଦ୍ୟ ଯୋଗାଇବା ଲାଗି ଦାୟିତ୍ୱ ଦିଆଯାଇଥିଲା । ମାତ୍ର ଚଳିତ ବର୍ଷ ଦାୟିତ୍ୱ ନେଇଥିବା ସଂସ୍ଥା ନିଜେ ଖାଦ୍ୟ ପ୍ରସ୍ତୁତ କରୁଛି । ଲାଭଖୋର ମନୋବୃତ୍ତି ରଖି ବ୍ୟବସାୟ କରୁଥିବା ଯୋଗୁଁ ଖାଦ୍ୟର ମାନକୁ ନେଇ ପର୍ଯ୍ୟଟକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ ପରିବେଶ ସମ୍ବେଦନଶୀଳ ଅଞ୍ଚଳ (ଇକୋ ସେନ୍ସିଟିଭ୍ ଜୋନ୍) ତଥା ବନ୍ୟଜନ୍ତୁଙ୍କ ରହଣିସ୍ଥଳ ଓ ବିରଳ ଅଲିଭ୍ ରିଡ୍‌ଲେ କଇଁଛ ଅଣ୍ଡାଦାନ ସ୍ଥାନରେ ଏହି ଇକୋ ରିଟ୍ରିଟ୍ ଆୟୋଜନ କରାଯାଇଥିବା ଯୋଗୁଁ ପରିବେଶପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପରିବେଶ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଉପରେ ସରକାର ଗୁରୁତ୍ବ ଦେଉଥିବାବେଳେ ଏଠାରେ ସେ ଦିଗ ପ୍ରତି କାହାରି ନଜର ନାହିଁ । ସେହିପରି ଇକୋ ରିଟ୍ରିଟରେ ନିୟୋଜିତ ଅଣଓଡ଼ିଆ ଜଗୁଆଳି (ବାଉନ୍‌ସର୍)ମାନେ ସ୍ଥାନୀୟ ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି । ସନ୍ଧ୍ୟା ହେଲେ ଇକୋ ରିଟ୍ରିଟ ନିକଟରେ ମଦ୍ୟପ ଭିଡ଼ ଲଗାଉଥିବାବେଳେ ବିିଭିନ୍ନ ସମୟରେ ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ଏ ଦିଗରେ ବିଭାଗୀୟ ମନ୍ତ୍ରୀ, ସଚିବ, ପୁରୀ ଜିଲାପାଳ ପ୍ରମୁଖଙ୍କ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *