ଶିକାରୀ ଗୁଳିରେ ବନକର୍ମଚାରୀ ଗୁରୁତର, ୧୨ ଘଣ୍ଟା ପରେ ଉଦ୍ଧାର

ଉଦଳା : ଶିମିଳିପାଳରେ ବେଧଡ଼କ ଚାଲିଛି ଶିକାର । ଶିକାରୀମାନେ ରୀତିମତ ଶିକାର ଚଳାଇଛି । ଯାହାର ଏକ ସାଂଘାତିକ ଚିତ୍ର ଏବେ ସାମ୍ନାକୁ ଆସିଛି । ଯାହା ଶୁଣିଲେ ଆପଣ ବି ବୁଝିଯିବେ ଶିମିଳିପାଳ କେତେ ସୁରକ୍ଷିତ ଏବଂ କେମିତି ଚାଲିଛି ଶିକାର ।

ଖବର ଅନୁଯାୟୀ, ଗୁରୁବାର ଡୁକୁରାରେ ଭବସା ଅଂଚଳରେ ପାଟ୍ରୋଲିଂ ଏବଂ ଜଙ୍ଗଲ ନିଆଁ ଲିଭା ତଦାରଖ ପାଇଁ ୬ ଜଣ ବନ କର୍ମଚାରୀ ଯାଇଥିଲେ । ସେମାନଙ୍କ ମଧ୍ୟରେ ଜଣେ ସବୁଜ ବାହିନୀ କର୍ମଚାରୀ ସୁନାରାମ ସିଂ ମଧ୍ୟ ଥିଲେ । ପାଟ୍ରୋଲିଂ ବେଳେ ଶିକାରୀମାନେ ବନ ବିଭାଗ କର୍ମଚାରୀଙ୍କୁ ଦେଖିବା ମାତ୍ରେ ଆଖିବୁଜା ଗୁଳି ଚଳାଇଥିଲେ । ବନ କର୍ମଚାରୀଙ୍କ ଉପରକୁ ଆଖି ବୁଜା ଗୁଳି ଚଳାଇବା ଫଳରେ ସବୁଜ ବାହିନୀ କର୍ମଚାରୀ ସୁନାରାମଙ୍କ ଦୁଇ ଜଙ୍ଘରେ ୩ ରୁ ଅଧିକ ଗୁଳି ବାଜିଥିଲା । ବନ କର୍ମଚାରୀଙ୍କ ଉପରକୁ ଗୁଳିମାଡ କରି ଘଟଣାସ୍ଥଳରୁ ୫ ରୁ ଅଧିକ ଶିକାରୀ ଫେରାର ହୋଇଯାଇଛନ୍ତି ।

ସେପଟେ ଗୁଳି ମାଡରେ ଗୁରୁତର ହୋଇ ପଡିରହିଥିଲେ ସୁନାରାମ । ଖବର ପାଇ ବନବିଭାଗ ଅଧିକାରୀ ଏବଂ କର୍ମଚାରୀ ତାଙ୍କୁ ଉଦ୍ଧାର କରିବାର ଚେଷ୍ଟା ଆରମ୍ଭ କରିଥିଲେ । ଭୋର ୫ଟାରେ ଆହତ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିଲା । ପୁରା ୧୨ ଘଣ୍ଟା ଲାଗିଥିବା କର୍ମଚାରୀଙ୍କୁ ଉଦ୍ଧାର କରିବା । ଶେଷରେ ଗୁରୁତର କର୍ମଚାରୀଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *