ଖାଇବା ତେଲ ନାଁରେ ଲକ୍ଷ ଲକ୍ଷ ଟଙ୍କାର ଠକେଇ

ସମ୍ବଲପୁର : ପ୍ରଥମେ ଖାଇବା ତେଲ କାରବାର ପାଇଁ ଚୁକ୍ତି ହେଲା । ତା’ ପରେ ଟଙ୍କା ନେଇ କମ୍ପାନି ପକ୍ଷରୁ ଥରକୁ ଥର ତେଲ ଦିଆଗଲା । ଏଭଳି ୬ ମାସ ଚାଲିଲା । ତା’ ପରେ ତେଲ ପାଇଁ ଅଗ୍ରିମ ଟଙ୍କା ପୈଠ କରିବାକୁ କମ୍ପାନି ପକ୍ଷରୁ କହାଗଲା । ୨୮ ଲକ୍ଷ ଟଙ୍କା ଅଗ୍ରିମ ନେବା ପରେ କିନ୍ତୁ କମ୍ପାନି ଆଉ ତେଲ ଦେଲା ନାହିଁ । ଏ ନେଇ ୨ ଥର ଲିଗାଲ୍‌ ନୋଟିସ୍‌ ଦେବା ପରେ କୌଣସି ଉପାୟ ନପାଇ ଶେଷରେ କ୍ଷେତରାଜପୁର ଥାନାରେ କ୍ଷେତରାଜପୁରର ରିତୁ ଅଗ୍ରଵାଲ୍‌ ଲିଖିତ ଅଭିଯୋଗ କରିଛନ୍ତି ।

ତାଙ୍କ କହିବା ଅନୁଯାୟୀ, ଝାରଖଣ୍ଡ ରାଞ୍ଚିର ଗିଡମ୍‌ ସାସନ୍‌ସ ପ୍ରଡକ୍ଟ୍‌ସର ଅଧ୍ୟକ୍ଷ ବୋଲି ପରିଚୟ ଦେଇ ସତ୍ୟପ୍ରକାଶ ସିଂହ ତାଙ୍କ ସହ ଖାଇବା ତୈଳ କାରବାର ପାଇଁ ୨୦୨୦ ଡିସେମ୍ବରରେ ଚୁକ୍ତିନାମା ସ୍ବାକ୍ଷର କରିଥିଲେ । ତାଙ୍କ ପକ୍ଷରୁ ୬ ମାସ ଯାଏ ଠିକ୍‌ଠାକ୍‌ ଟଙ୍କା ନେଇ ତେଲ ଦିଆଯାଇଥିଲା । ତାପରେ କମ୍ପାନି ପକ୍ଷରୁ ଅଗ୍ରିମ ଟଙ୍କା ପୈଠ କରିବାକୁ କହାଯିବାରୁ ରିତୁ ଆର୍‌ଟିଜିଏସ୍‌ ମାଧ୍ୟମରେ ୨୮,୧୩,୦୩୦ ଟଙ୍କା ପୈଠ କରିଥିଲେ । କିନ୍ତୁ ଟଙ୍କା ପାଇବା ପରେ କମ୍ପାନି ପକ୍ଷରୁ ଆଉ ତେଲ ଦିଆଯାଇ ନଥିଲା । ତେଲ ପଠାଇବା ବାବାଦରେ କଥା ହେବାକୁ ରିତୁ କମ୍ପାନି ଅଧ୍ୟକ୍ଷଙ୍କୁ ଦେଖାକରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଦେଖା କରି ନଥିଲେ । ତାଙ୍କ କଲ୍‌ ମଧ୍ୟ କେହି ଉଠାଇ ନଥିଲେ । ଗତବର୍ଷ ସେପ୍ଟେମ୍ବର ୧୧ ତାରିଖ ଦିନ ରିତୁ ବାଧ୍ୟ ହୋଇ ୨ଟି ଲାଗାଲ୍‌ ନୋଟିସ୍‌ ଦେଲେ । ସତ୍ୟ ପ୍ରକାଶ ଗତ ଡିସେମ୍ବର ୨୯ ତାରିଖରେ ଲିଗାଲ୍‌ ନୋଟିସ୍‌ ପାଇବା ପରେ ତା’ ଓକିଲ ମାଧ୍ୟମରେ ଉତ୍ତର ରଖି ଚୁକ୍ତିନାମାକୁ ଜାଲ୍‌ ବୋଲି କହିଥିଲେ । ଶେଷରେ କୌଣସି ଉପାୟ ନପାଇ ରିତୁ ମଙ୍ଗଳବାର କ୍ଷେତରାଜପୁର ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଏକ ମାଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *