କରଞ୍ଜିଆ : କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଛି ୧୫ଟି ୱାର୍ଡ । ସେଥିମଧ୍ୟରୁ ୧୫ ନମ୍ବର ୱାର୍ଡସ୍ଥିତ ମା’ ମଙ୍ଗଳା ମନ୍ଦିର ନିକଟରେ ଅଛି ଏକ ଜନଜାତି ବସ୍ତି । ଏହି କଲୋନୀ ସୁଇପର କଲୋନୀ ଭାବେ ଜଣାଶୁଣା । ଏହି କଲୋନୀରେ ୩୧ଟି ପରିବାର ରହନ୍ତି । ଏବେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି । ସୂଚନା ଅନୁଯାୟୀ, ୧୯୯୪ ମସିହାରୁ ରହି ଆସୁଛନ୍ତି ଏହି ବସ୍ତିବାସିନ୍ଦା । ତତ୍କାଳୀନ ଏନ୍ଏସି ଅଧ୍ୟକ୍ଷ ଭୁବନବିହାରୀ ସାହୁ ସରକାରଙ୍କ ପାଣ୍ଠିରୁ ପାଖାପାଖି ୪ ଲକ୍ଷ ଟଙ୍କାରେ ୧୮ଟି ଫେରୋଟାଇଲ ଛାଉଣୀ ବାସଗୃହ ନିର୍ମାଣ କରି ଥଇଥାନ କରିଥିଲେ ଏହି ୩୧ଟି ପରିବାରକୁ । ଆଜିକୁ ୩୦ ବର୍ଷରୁ ଊର୍ଦ୍ଧ୍ବ ହେବ ଏହି କଲୋନୀରେ ଏବେ ପରିବାର ସଂଖ୍ୟା ୪୦୦ ରୁ ଊର୍ଦ୍ଧ୍ବ ହେବ । ସୁଇପର କଲୋନୀର ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି ।
କଲୋନୀକୁ ଭଲ ରାସ୍ତା ଟିଏ ନାହିଁ । ୩୦ ବର୍ଷ ତଳର ଘର ଭାଙ୍ଗିରୁଜି ଗଲାଣି । ଦୀର୍ଘବର୍ଷ ଧରି ପଲିଥିନ ତଳେ ବାସ କରୁଥିବା ଦେଖାଯାଇଛି । ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ନାହିଁ। କଲୋନୀବାସୀ ଏନଏସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ ବି ଅବସ୍ଥା ସୁଧୁରିନାହିଁ । ବସ୍ତିବାସିନ୍ଦାଙ୍କ ପାଇଁ ୫ଟି ନଳକୂପ, ଗୋଟିଏ ଗଭୀର କୂପ ନିର୍ମାଣ ହୋଇଥିଲା । ହେଲେ ୪ଟି ନଳକୂପ ଦୀର୍ଘବର୍ଷ ହେବ ଅଚଳ ଅବସ୍ଥାରେ । ଗଭୀର କୂପ ମଧ୍ୟ ପରିତ୍ୟକ୍ତ ଅବସ୍ଥାରେ । ପିଏଚ୍ଡି ପାଇପ ଲାଇନ କେତଜଣଙ୍କ ଘରକୁ ଯାଇଥିଲେ କ’ଣ ହେବ ପ୍ରେସର ଅଭାବରୁ ପାଣି ଆସୁନାହିଁ । ଗୋଟିଏ ନଳକୂପ ଉପରେ ନିର୍ଭର କରୁଛନ୍ତି ପୁରା ବସ୍ତିବାସିନ୍ଦା । ପୁରୁଣା ମାଟି କାନ୍ଥ କେତେବେଳେ ଭୁଶୁଡ଼ି ପଡ଼ିବ ତାହା ଜଳଜଳ ଦିଶୁଛି ।
ସରକାରଙ୍କ ଆବାସ ଯୋଜନାରେ ଘର ଟିଏ ମିଳି ପାରୁନାହିଁ । ସେହିପରି କଲୋନୀରେ ମିନି ଅଙ୍ଗନବାଡ଼ିଟିଏ ନାହିଁ । ଆଗରୁ ଅଙ୍ଗନୱାଡି ଟିଏ ଥିଲା ତାହା କିଛି ବର୍ଷ ହେବ ଉଠିଯାଇଛି । ସମସ୍ୟା ବାବଦରେ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଗୁଦ୍ରା ହେମ୍ବ୍ରମଙ୍କୁ ପଚାରିବାରୁ ଅଳ୍ପଦିନରେ ସେମାନଙ୍କ ସମସ୍ୟା ଦୂର କରାଯିବ ବୋଲି କହିଥିଲେ । ତେବେ ପ୍ରଶାସନ କେବେ ବସ୍ତି ବାସିନ୍ଦାକୁ ମୋ ସ୍କୁଲ ଅଭିଯାନରେ ପାଠପଢ଼ା ବ୍ୟବସ୍ଥା, ଆବାସ ଯୋଜନାରେ ଘର ଓ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ କରୁଛନ୍ତି ତାହାକୁ ବସ୍ତିବାସିନ୍ଦା ଚାତକ ପରି ଅନେଇଛନ୍ତି ।
