କରଞ୍ଜିଆ : ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ଦୁଇ ଭାଗରେ ବିଭକ୍ତ କରୁଥିବା ଦୋମୁହାଣି ନଦୀ ଲୋକଙ୍କ ପାଇଁ ଗମନାଗମନର ବାଧକ ସାଜିଛି । ଦୁଇଟି ନଦୀ ମିଶ୍ରଣ ହୋଇଥିବାରୁ ଏହାର ନାଁ ରହିଛି ଦୋମୁହାଣୀ । ଶୁକୃଳି ବ୍ଲକ୍ର ଖିଚିଂ ମନ୍ଦିରରୁ ତିନି କିଲୋମିଟର ଦୂର ବୈତରଣୀ ନଦୀ ଓ ଖଇରୀ ନଦୀର ସଙ୍ଗମସ୍ଥଳୀ ହେଉଛି ଦୋମୁହାଣି । ରାଜ୍ୟ ସରକାର ଦୁଇ ଜିଲ୍ଲାକୁ ସଂଯୋଗୀକରଣ ପାଇଁ ବୈତରଣୀ ନଦୀ ଉପରେ ୨୦୧୫ ମସିହାରେ ଆରମ୍ଭ କରିଥିଲେ ବିଜୁସେତୁ । ଦୀର୍ଘଦିନ ପରେ ମଧ୍ୟ କାର୍ଯ୍ୟ ସରୁନାହିଁ । ଫଳରେ ବିପଦସଙ୍କୁଳ ଅବସ୍ଥାରେ ଜୀବନକୁ ବାଜି ଲଗାଇ ବାଉଁଶ ପୋଲ ଉପରେ ପ୍ରତ୍ୟେକ ଦିନ ଶହଶହ ଲୋକ ଯିବାଆସିବା କରୁଛନ୍ତି । କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ବିଭାଗ ଏହାର ନିର୍ମାଣ ଦାୟିତ୍ୱ ନେଇଥିଲା ।
ସେତୁର ଦୈର୍ଘ ହେଉଛି ୩୦୬ ମିଟର । ଅଟକଳ ମୂଲ ଥିଲା ୨ କୋଟି ୬୦ ଲକ୍ଷ ଟଙ୍କା । ସେତୁ କାର୍ଯ୍ୟ ଶେଷ କରିବାର ଧାର୍ଯ୍ୟ ସମୟ ଥିଲା ୨୦୧୭ ମସିହା । ନିର୍ମାଣକୁ ୫ ବର୍ଷ ପୂରିଲା । ଏବେ ସୁଦ୍ଧା ବି ୪୦ ଭାଗ କାମ ସରିନାହିଁ ଅନେକ କାମ ବାକି ଅଛି । ଏହି ସେତୁ ସଂପୂର୍ଣ୍ଣ ହେଲେ ଉଛବାଲି, ପଦ୍ମପୁର, ଭଣ୍ଡା, ଜ୍ୟୋତିପୁର, ଆଦିପୁର, କେସନା ଖିଚିଂ ଗାଁର ୫୦ ହଜାରରୁ ଊର୍ଦ୍ଧ୍ବ ଲୋକ ଉପକୃତ ହେବେ । ଏଥି ସହିତ ଚମ୍ପୁଆ ଓ କରଞ୍ଜିଆ ରାସ୍ତା ଯିବାକୁ କମ୍ ସମୟ ଲାଗିବ । ଦାୟିତ୍ବରେ ଥିବା ଅଫିସର ଓ କଣ୍ଟ୍ରାକ୍ଟରଙ୍କ ଅବହେଳା ପାଇଁ କାର୍ଯ୍ୟ ଆଗେଇ ପାରୁନାହିଁ । ଫଳରେ ଲେକେ ବାଧ୍ୟ ହେଇ ବାଉଁଶ ପୋଲ ଉପରେ ଯାତାୟାତ କରୁଛନ୍ତି । ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ଯୋଗାଯୋଗ କରିଥିଲେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ ।
