ଜେଲ୍‌ରେ ଥିବା ଶିଶୁଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ

ଭୁବନେଶ୍ବର : ଜେଲ୍‌ରେ ନିଜ ପିତାମାତାଙ୍କ ସହ ରହୁଥିବା ଶିଶୁଙ୍କୁ ଏଣିକି ମିଳିବ ମଧ୍ୟାହ୍ନ ଭୋଜନର ସୁବିଧା । ଏହା ସହ ଶିଶୁଟି ଯଦି ଜେଲ୍‌ ବାହାରେ ରହୁଥାଏ ଓ ତା’ର ପିତାମାତା ଅତିକମ୍‌ରେ ୬୦ ଦିନ ଜେଲ୍‌ରେ ରହିଥାନ୍ତି, ତା’ହାଲେ ସଂପୃକ୍ତ ଶିଶୁକୁ ମଧ୍ୟ ଏହି ସୁବିଧା ମିଳିପାରିବ । ପିତାମାତାଙ୍କ ସହ ଜେଲ୍‌/ଜେଲ୍‌ ବାହାରେ ଥିବା ଶିଶୁଙ୍କ କଲ୍ୟାଣ ପାଇଁ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି ।

ନୂଆ ଗାଇଡଲାଇନ୍‌ରେ ବିଶେଷଭାବେ ୦-୬ ବର୍ଷର ଶିଶୁଙ୍କୁ ଗୁରୁତ୍ବ ଦିଆଯାଇଛି । ଜୁଭେନାଇଲ ଆଇନ ଅନୁଯାୟୀ ଜେଲ୍‌ ବାହାରେ ଥିବା ଯେଉଁ ଶିଶୁମାନଙ୍କ ପାଇଁ ଶିଶୁ କଲ୍ୟାଣ କମିଟି(ସିଡବ୍ଲୁସି) ପକ୍ଷରୁ ସ୍ବତନ୍ତ୍ର ଯତ୍ନ ଓ ସୁରକ୍ଷା(ସିଏନ୍‌ସିପି) ଘୋଷଣା ହୋଇଛି ସେମାନେ ମଧ୍ୟ ଏହି ଯୋଜନାର ସୁବିଧା ନେଇପାରିବେ । ଆବଶ୍ୟକ ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ସ୍ଥାନୀୟ ଜିଲ୍ଲାପାଳ ଜେଲ୍‌ ନିକଟସ୍ଥ ଏକ ଅଙ୍ଗନବାଡ଼ି କେନ୍ଦ୍ରକୁ ନୋଡାଲ କେନ୍ଦ୍ର ଭାବେ ଘୋଷଣା କରି‌ବେ । ଯଦି କୌଣସି ଜେଲ୍‌ରେ ଅଧିକ ଶିଶୁ ରହିଥିବା ନଜରକୁ ଆସେ ତାହା ହେଲେ ଜେଲ୍ ମାନୁଆଲ ଅନୁସାରେ ସେଠାରେ ଅସ୍ଥାୟୀ ଭାବେ ଏକ ଅଙ୍ଗନବାଡ଼ି କେନ୍ଦ୍ର ଖୋଲାଯିବ । ଯେଉଁ ଅଙ୍ଗନବାଡ଼ି କେନ୍ଦ୍ରରେ କମ୍ ପିଲା ଥିବେ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କୁ ଅସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟ କରିବାକୁ ନିର୍ଦେଶ ଦିଆଯାଇଛି । ଜେଲ୍‌ରେ ପିତାମାତାଙ୍କ ସହ ଥିବା ଶିଶୁକୁ ଆବଶ୍ୟକ ପୁଷ୍ଟିକର ଓ ଟିକାକରଣ ସୁବିଧା ଯୋଗାଇ ଦିଆଯିବ ।

ସେହିପରି ୬ ବର୍ଷର ଶିଶୁକୁ ମା’ର ଅନୁମତି କ୍ରମେ ଅଭିଭାବକଙ୍କ ନିକଟରେ ରହିବାର ସୁଯୋଗ ଦିଆଯିବ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌(ଡିସିପିୟୁ) ଜେଲ୍‌ ଭିତରେ ଶିଶୁ ଓ ଅଭିଭାବକଙ୍କୁ କାଉନସେଲିଂ କରିବେ । ୬-୧୪ ବର୍ଷର ଶିଶୁଙ୍କ ପାଇଁ ସ୍କୁଲ ଶିକ୍ଷା ବାଧ୍ୟତାମୂଳକ କରାଯାଇଛି । ଯଦି ଶିଶୁଟି କୌଣସି ସ୍କୁଲରେ ଆଡମିସନ୍‌ ନେଇ ନାହିଁ ତାହାଲେ ସରକାରୀ ସୁବିଧା ପାଇବାର ୬ ମାସ ଭିତରେ ଅଭିଭାବକ ଶିଶୁର ସ୍କୁଲ ଆଡମିସନ୍‌କୁ ସୁନିଶ୍ଚିତ କରିବେ । ଜେଲ୍‌ ବାହାରେ ଥିବା ଶିଶୁଟି ଯଦି ସିଏନ୍‌ସିପି ବୋଲି ଚିହ୍ନଟ ହୁଅନ୍ତି ତାହାଲେ ରାଜ୍ୟରେ ଉପଲବ୍ଧ ହେଉଥିବା ବିଭିନ୍ନ ଆନୁଷ୍ଠାନିକ ଓ ଅଣ ଆନୁଷ୍ଠାନିକ ସୁବିଧା ଯୋଗାଇ ଦିଆଯିବ । ଅଣ ଆନୁଷ୍ଠାନିକ ଯତ୍ନ ଭାବେ ଶିଶୁଟିକୁ ବିଜୁ ଶିଶୁ ସୁରକ୍ଷା ଯୋଜନା(ବିଏସ୍‌ଏସ୍‌ୱାଇ), ଫୋଷ୍ଟର କେୟାର ଭଳି ସୁବିଧା ମିଳିପାରିବ । ସିଡବ୍ଲୁସି ଯଦି ଶିଶୁଟିକୁ ଶିଶୁ ଯତ୍ନ ପ୍ରତିଷ୍ଠାନ(ସିସିଆଇ)ରେ ରହିବା ଲାଗି ନିର୍ଦେଶ ଦିଅନ୍ତି ତାହାଲେ ଶିଶୁଟିକୁ ରାଜ୍ୟରେ ପରିଚାଳିତ ସିସିଆଇରେ ରଖାଯିବ । ଏହା ସହ ଅତିକମ୍‌ରେ ମାସକରେ ଥରେ ଅଭିଭାବକ ନିଜର ଶିଶୁ ସହ ଯେପରି ବ୍ୟକ୍ତିଗତ/ଟେଲିଫୋନ୍ ଜରିଆରେ କଥା ହୋଇପାରିବେ ଡିସିପିୟୁ ଏହାର ବ୍ୟବସ୍ଥା କରିବାକୁ କୁହାଯାଇଛି । ପ୍ରତି ୩ ମାସରେ ଥରେ ଜିଲ୍ଲା/‌ସର୍କଲ ଜେଲ ପ୍ରଶାସନ ଶିଶୁଙ୍କ ସଂଖ୍ୟା, ଲିଙ୍ଗ, ବୟସ ସହିତ ଶିଶୁର ଆବଶ୍ୟକ ହେଉଥିବା ମାନସିକ ସ୍ବାସ୍ଥ୍ୟ ସେବା ଯେପରି ମିଳିପାରିବ ତାହାକୁ ସିଡିଏମ୍‌ଓଙ୍କ ସହିତ ଆଲୋଚନା କରି ସୁନିଶ୍ଚିତ କରିବେ ।

ଡିସିପିୟୁ ଏହି ଯୋଜନା ଅଧୀନରେ ସୁବିଧା ପାଉଥିବା ଶିଶୁଙ୍କ ବ୍ୟକ୍ତିଗତ ସୂଚନା ରଖିବା ସହିତ ସେମାନଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ ଉପରେ ନଜର ରଖିବେ । ଜେଲ୍‌ ବାହାରେ ପରିବାର ସହ ରହୁଥିବା ଶିଶୁଙ୍କ ମାସିକ ରିପୋର୍ଟ ସହିତ ଜେଲ୍‌ରେ ଥିବା ଶିଶୁଙ୍କୁ ମିଳୁଥିବା ସେବାର ନିରୀକ୍ଷଣ ମିଳିତ ଭାବେ ସିଡବ୍ଲୁସି ଓ ଡିସିପିୟୁ କରିବେ ବୋଲି ଗାଇଡଲାଇନ୍‌ରେ କୁହାଯାଇଛି ।

Leave a Reply

Your email address will not be published. Required fields are marked *