ଖୋଲା ଛାତ ତଳେ ଚାଲିଛି ଶିକ୍ଷା ଦାନ

ଚୌଦ୍ୱାର : ରାଜ୍ୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକର ରୂପରେଖ ବଦଳାଇ ସ୍ମାର୍ଟ ସ୍କୁଲରେ ପରିଣତ କରିବା ପାଇଁ ରାଜ୍ୟ ସରକାର ବହୁ ଅର୍ଥ ବ୍ୟୟ କରୁଥିବା ବେଳେ ଏବେବି କିଛି ପ୍ରାଥମିକ ବିଦ୍ୟାଳୟ ଅବହେଳିତ ଅବସ୍ଥାରେ ପଡିରହିଛି । ବିଦ୍ୟାଳୟର ପରିଚାଳନାଗତ ତୃଟି ହେଉ ଅବା ପ୍ରଶାସନର ଅବହେଳା ହେତୁ ଛପର ନଥିବା ବିଦ୍ୟାଳୟ ଘରେ ବିପଦ ସଂକୁଳ ଅବସ୍ଥାରେ ପାଠ ପଢୁଛନ୍ତି ପିଲାଏ । ଏଭଳି ଅବସ୍ଥା ଦେଖିବାକୁ ମିଳିଛି ଚୌଦ୍ୱାର ପୌରପାଳିକା ଅଧିନ ୮ ନଂ ୱାର୍ଡ ଦୁର୍ଗା ବଜାର ଅଂଚଳରେ ଥିବା ଦୁର୍ଗା ବଜାର ପ୍ରାଥମିକ ବିଦ୍ୟାଳୟରେ । ଫନି ମହାବାତ୍ୟାରେ ବିଦ୍ୟାଳୟର ୩ଟି ଘରର ଅଜବେଷ୍ଟସ ଭାଙ୍ଗି ରୁଜି ଯାଇଥିଲା । ମହାବାତ୍ୟା ଯିବାର ଆଜକୁ ୩ ବର୍ଷ ବିତି ଯାଇଥିଲେ ହେଁ ଏଯାବତ୍‍ ବିଦ୍ୟାଳୟର ମରାମତି କାର୍ଯ୍ୟ ହୋଇପାରି ନାହିଁ । ଫଳରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୪୭ ଜଣ ପିଲା ଖୋଲା ଛାତ ତଳେ ବସି ପାଠ ପଢିବାକୁ ବାଧ୍ୟ ହେଉଛନ୍ତି ।

ବାତ୍ୟା ପରେ ସ୍ଥାନୀୟ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଗୋଟିଏ ବଖରା ଘର ମରାମତି କରାଯାଇ ପାରିଛି ବୋଲି କୁହନ୍ତି ପୁର୍ବତନ ପରିଚାଳନା କମିଟି ସଭାପତି ସନ୍ତୋଷ କୁଅଁର । ବିଦ୍ୟାଳୟର ଦୁରାବସ୍ଥା ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଓ ପରିଚାଳନା କମିଟି ତରଫରୁ ବ୍ଲକ ଶିକ୍ଷାଧିକାରୀ ଓ ଚୌଦ୍ୱାର ପୌରନିର୍ବାହୀ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଯାଇଥିଲା । ପୌରପାଳିକା ତରଫରୁ କ୍ଷୟକ୍ଷତିର ଆକଳନ କରାଯାଇ ଥିଲେହେଁ ବିଭାଗୀୟ ଅବହେଳା ହେତୁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା କ୍ଷୋଭର ସହ କହିଛନ୍ତି ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମିଶ୍ର । ଶ୍ରେଣୀଗୃହ ମରାମତି ପାଇଁ ବାରମ୍ଭାର ବିଭିନ୍ନ କାର୍ଯ୍ୟାଳୟକୁ ଦୌଡି ଦୌଡ଼ି ଶେଷରେ ନିରାଶ ହୋଇ ଶିକ୍ଷକ ଶିକ୍ଷୟତ୍ରୀମାନେ ଭଙ୍ଗା ଘରେ ଶିକ୍ଷାଦାନ କାର୍ଯ୍ୟ ଜାରୀ ରଖିଛନ୍ତିି । ଶିକ୍ଷା ବିଭାଗ ତୁରନ୍ତ ଉକ୍ତ ବିଦ୍ୟାଳୟ ଉପରେ ଦୃଷ୍ଟି ଦେବାପାଇଁ ଅଂଚଳବାସୀଙ୍କ ତରଫରୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *