ଚାରିଆଡ଼ୁ ମହଙ୍ଗା ମାଡ଼ ; କଲବଲ ଜନତା, ନିଦରେ ସରକାର

ଭୁବନେଶ୍ବର : ପେଟ୍ରୋଲ, ଗ୍ୟାସ୍‌ ଦାମ୍ ବଢ଼ୁଛି ବୋଲି ହୋହଲ୍ଲା ହେଉଛି । ହେଲେ ଗତ ତିନି ରୁ ୪ ଦିନ ମଧ୍ୟରେ ଆଳୁ, କଖାରୁରୁ ଆରମ୍ଭ କରି ସାବୁନ୍, ପେଷ୍ଟ, ସର୍ଫ, ବିସ୍କୁଟ ପର୍ଯ୍ୟନ୍ତ ସବୁର ଦାମ୍ ବଢ଼ିଯାଇଛି । ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଖାଦ୍ୟ ଉପରେ ମହଙ୍ଗା ମାଡ଼ ହୋଇଛି । ନଡ଼ିଆ ତେଲରୁ ଆରମ୍ଭ କରି ସାବୁନ୍, ସାମ୍ପୋ ଦାମ୍‌ ବି ବଢ଼ିଯାଇଛି । ରୋଷେଇ ଘରେ ମହଙ୍ଗା ମାଡ଼ ନେଇ ଚର୍ଚ୍ଚା ହେଉଥିବା ବେଳେ ଏ‌ହା ଏବେ ସବୁ ବର୍ଗର ଲୋକଙ୍କର ଦୈନନ୍ଦିନ ଜୀବନ ଉପରେ ସିଧା ପ୍ରଭାବ ପକାଇଛି ।

ସାଧାରଣରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ପ୍ରତିବାଦର ସ୍ବର ଶୁଭୁଛି । କିନ୍ତୁ ଦରଦାମକୁ ନିୟନ୍ତ୍ରଣ କରିବା ପାଇଁ ସରକାରୀ ସ୍ତରରେ କୌଣସି ରଣନୀତି ପ୍ରସ୍ତୁତ ହେଉ ନଥିବାରୁ ଲୋକେ କଲବଲ ହେଲେଣି ।

ତେବେ ମହଙ୍ଗା ମାଡ଼ରେ ଏବେ ପିଲା ଅଧିକ ପ୍ରଭାବିତ ହେଲେଣି । ସବୁ ବିସ୍କୁଟ ପ୍ୟାକେଟ୍ ପିଛା ୫ ଟଙ୍କା ଲେଖାଏଁ ବଢ଼ିଯାଇଛି । ମ୍ୟାରିଗୋଲ୍ଡ, ଥିନ୍ ଆରାରୁଟ୍ ବିସ୍କୁଟ ପ୍ୟାକେଟକୁ ୩୫ ଟଙ୍କା ଥିବାବେଳେ ଏହା ୪୦ ଟଙ୍କା, ବ୍ରିଟାନିଆ ଫିପ୍ଟି-ଫିପ୍ଟି ବିସ୍କୁଟ ପ୍ୟାକେଟ୍ ୨୦ ଟଙ୍କାରୁ ୨୫ ଟଙ୍କାକୁ ବଢ଼ିଯାଇଛି । ଏପରିକି ଛୋଟ ପିଲା ଖାଉଥିବା ନାନ୍‌, ଲାକ୍ଟୋଜେନ୍ ଭଳି ପାଉଡର୍‌ ଦାମ୍ ମାସକରେ ୩୦ ଟଙ୍କା ପାଖାପାଖି ବଢ଼ିଗଲାଣି । ଅମୁଲ୍‌ କେଜି ୩୭୫ ଟଙ୍କା ଥିବାବେଳେ ୧୫ ଟଙ୍କା ବଢ଼ି ୩୯୦ ଟଙ୍କା‌ ହୋଇଛି । ଚଳିତ ମାସର ପ୍ରଥମ ସପ୍ତାହରେ ରିଫାଇନ୍ ଲିଟର ୧୫ ଟଙ୍କା ବଢ଼ି ୨୦୦ ଟଙ୍କା ହୋଇଯାଇଥିବା ବେଳେ ସର୍ଫ କେଜି ପିଛା ୪ ରୁ ୫ ଟଙ୍କା, ପେଷ୍ଟ ୮ ରୁ ୧୦ ଟଙ୍କା ବଢ଼ିଯାଇଛି । କେବଳ ଏତିକି ନୁହେଁ । ପରିବା ଦର ବି କେଜି ପିଛା ୧୦ ରୁ ୩୦ ଟଙ୍କା ବଢ଼ିଯାଇଛି । ଆଳୁ କେଜି ସପ୍ତାହକ ତଳେ ୨୦ ଟଙ୍କା ଥିବାବେଳେ ଏହା ଏବେ ୮ ରୁ ୧୦ ଟଙ୍କା ବଢ଼ିଯାଇଛି । ୫୦ କେଜି ଆଳୁ ପ୍ୟାକେଟ୍‌ର ଦାମ୍‌ ୯୫୦ ଟଙ୍କା ଥିବାବେଳେ ଏବେ ୧୦୬୦ ଟଙ୍କା ହୋଇଯାଇଛି । କଖାରୁ କେଜି ୩୦ ଟଙ୍କା ବିକ୍ରି ହେଉଥିବା ବେଳେ ଆଜି ୪୦ ଟଙ୍କା ହୋଇଛି । ଟମାଟୋ କେଜି ୮୦ ଟଙ୍କା, ସାରୁ କେଜି ୬୦ ଟଙ୍କାରେ ବିକ୍ରି ହେଉଛି ।

ଏନେଇ ଦୀପ୍ତି ରଞ୍ଜନ ସାହୁ ନାମକ ଜଣେ ବ୍ୟବସାୟୀ କହିଛନ୍ତି ଯେ ସବୁ ସାମଗ୍ରୀ ଦାମ୍ ହଠାତ୍ ବଢ଼ିଯାଇଛି । ଯେଉଁ ମ୍ୟାଗି, ବିସ୍କୁଟ, ଚକଲେଟ୍, କେକ୍ ଆଦି ୧୦ ଟଙ୍କା, ୫ ଟଙ୍କାରେ ବିକ୍ରି ହେଉଥିଲା ତାର ଦାମ୍ ବଢ଼ିନଥିଲେ ବି ଆମର ଲାଭ ପ୍ରତିଶତ କମିଯାଇଛି । ଛୋଟ ପ୍ୟାକେଟ୍‌ରେ ବିକ୍ରି ହେଉଥିବା ସାବୁନ୍, ସର୍ଫର ଦାମ୍ ସମାନ ଥିଲେ ବି ଏହାର ପରିମାଣ କମିଯାଇଛି ।

୨୦୨୦ ମାର୍ଚ୍ଚ ବେଳକୁ ଦରଦାମ ଯେଉଁସ୍ତରରେ ଥିଲା ଏବେ ତାହା ବହୁ ଅଧିକ ହୋଇଯାଇଛି । ସେହି ବର୍ଷ ମାର୍ଚ୍ଚରେ ହରଡ଼ ଡାଲି କି‌ଲୋଗ୍ରାମ ପିଛା ୮୫ ଟଙ୍କା ଥିଲା । ସେହିଭଳି ସୂର୍ଯ୍ୟମୁଖୀ ରିଫାଇନ୍ ତେଲ ଦାମ ଲିଟର ପିଛା ୧୦୦ ଟଙ୍କା ଥିବା ‌ବେଳେ ସୋରିଷ ତେଲ ଦାମ ୧୧୦ ଟଙ୍କା ରହିଥିଲା । କିନ୍ତୁ ବର୍ତ୍ତମାନ ବଜାରରେ ଡାଲି କି‌ଲୋ ୧୧୦ ଟଙ୍କା, ସୋରିଷ ତେଲ ୨୦୦ ଟଙ୍କା ଏବଂ ରିଫାଇନ୍ ତେଲ ୨୦୦ ଟଙ୍କା ଭଳି ଉଚ୍ଚମୂଲ୍ୟରେ ବିକ୍ରି ହେଉଛି ।

ପେଟ୍ରୋଲ୍‌, ଡିଜେଲ୍‌ ଦରରେ ମଧ୍ୟ ଲଗାମ ରହୁନି । ଏବେ ତାହା ସହ ଯୋଡ଼ି ହୋଇଯାଇଛି ରନ୍ଧନ ଗ୍ୟାସ । ସାଧାରଣ ଖାଉଟି ଏବେ କଲବଲ ହେଲେଣି । କୌଣସି ସାମଗ୍ରୀର ଦର ଖସିବାର ନାଁ ଧରୁନି । କରୋନା ମାଡ଼ରେ ରୋଜଗାର କମିଥିଲା ବେଳେ ଦରଦାମ ଏବେ ଲୋକଙ୍କୁ କନ୍ଦାଇବାରେ ଲାଗିଛି । କିନ୍ତୁ ଦରଦାମକୁ ନିୟନ୍ତ୍ରଣ କରିବା ପାଇଁ ସରକାରୀ ସ୍ତରରେ କୌଣସି ରଣନୀତି ପ୍ରସ୍ତୁତ ହେଉ ନ ଥିବାରୁ ଲୋକ ଅଧିକ ବିବ୍ରତ ହୋଇପଡ଼ୁଛନ୍ତି । ଦରଦାମକୁ ନେଇ ସରକାରୀ ଭାବେ କିଛି ପ୍ରତିକ୍ରିୟା ଦେଖିବାକୁ ମିଳୁନି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ହାତ ଟେକି ଦେଇଛନ୍ତି । ସବୁଠାରୁ ଅଭାବନୀୟ ଘଟଣା ହେଉଛି ଯେ ବିରୋଧୀଙ୍କର ରହସ୍ୟଜନକ ନିରବତା ।

Leave a Reply

Your email address will not be published. Required fields are marked *