ବାରିପଦା : ବାଲି ମାଫିଆଙ୍କୁ ଅନୁକମ୍ପା ଦେଖାଇ ଫସିଗଲେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ତହସିଲଦାର ମମତାଜ ମହାରଣା । ତହସିଲଦାରଙ୍କ ବିରୋଧରେ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ (ଏନ୍ଜିଟି) ନିକଟରେ ଏକାଧିକ ପ୍ରମାଣ ରହିଛି । ଫଳରେ, ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହେବାର ସମ୍ଭାବନା ରହିଛି । ପର୍ଯ୍ୟାବରଣ, ମାଇନିଂ, ପରିବେଶ ନିୟମାବଳୀର ଉଲ୍ଲଂଘନ ଏବଂ ମାଇନିଂ କ୍ଲିଅରାନ୍ସ ଅବଧି ଶେଷ ହେବାପରେ ବି ବଡ଼ସାହି ତହସିଲ ଅଧୀନରେ ଥିବା ଆରପଟା ଓ ଡିଙ୍ଗିରା ଘାଟରେ ଖୁଲମଖୁଲା ବାଲି ଉତ୍ତୋଳନ ଓ ଚାଲାଣ ଚାଲିଥିଲା । ଫଳରେ, ୨୧୦ ଦିନରେ ଏ ବାବଦରେ ସରକାରଙ୍କ ୨୩ କୋଟି ୭୨ ଲକ୍ଷ ଟଙ୍କାର ରାଜସ୍ବ କ୍ଷତି ହୋଇଛି । ଏହି ମାମଲାର ଶୁଣାଣି କରି ବଡ଼ସାହି ତହସିଲଦାରଙ୍କ ବିରୋଧରେ କାହିଁକି ଅପରାଧିକ ମାମଲା ରୁଜୁ ହେବନାହିଁ ବୋଲି ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ କୈଫିୟତ୍ ତଲବ କରିଛନ୍ତି ଏନ୍ଜିଟି । ଏଥିସହିତ, ଲିଜ୍ଧାରୀଙ୍କଠାରୁ ରାଜସ୍ବ କ୍ଷତି ହୋଇଥିବା ଅର୍ଥ ଆଦାୟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି ।
ଆସନ୍ତା ମେ ୧୭ ତାରିଖ ସୁଦ୍ଧା ଏ ନେଇ ରିପୋର୍ଟ ଦେବାକୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ କୁହାଯାଇଛି । ଏନ୍ଜିଟିଙ୍କ ଏହିଭଳି ନିର୍ଦ୍ଦେଶ ପରେ ତହସିଲଦାର ମମତାଜ ମହାରଣାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଏ ସମ୍ପର୍କରେ ଜିଲ୍ଲାପାଳ ବିନୀତ ଭରଦ୍ବାର କହିଛନ୍ତି, ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ଅନୁଯାୟୀ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଅନ୍ୟପକ୍ଷରେ, ଲିଜ୍ଧାରୀ ପ୍ରଦୀପ ବିନ୍ଧାଣୀ ବାଲି ଉତ୍ତୋଳନ ଓ ଚାଲାଣ ନେଇ ରହିଥିବା ତ୍ରୁଟି ପାଇଁ ତହସିଲଦାରଙ୍କୁ ଦାୟୀ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ସେପଟେ ଜିଲ୍ଲାରେ ବାଲି ଖନନ ଓ ଉତ୍ତୋଳନ ପାଇଁ ପ୍ରସ୍ତୁତ କରା ଯାଇଥିବା ଜିଲ୍ଲା ସର୍ଭେ ରିପୋର୍ଟ(ଡିଏସ୍ଆର୍)କୁ ବେଆଇନ ଦର୍ଶାଇ ସମାଜସେବୀ ବିବେକାନନ୍ଦ ପଟ୍ଟନାୟକଙ୍କ ପକ୍ଷରୁ ଦାୟର ହୋଇଥିବା ମାମଲାର ଆଜି ପ୍ରାଥମିକ ଶୁଣାଣି ହୋଇଛି । ପରବର୍ତ୍ତୀ ଶୁଣାଣି ମେ ୩୦ ତାରିଖକୁ ଧାର୍ଯ୍ୟ କରାଯାଇଛି। ସେଦିନ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍ ଚୂଡ଼ାନ୍ତ ରାୟ ଶୁଣାଇବେ ବୋଲି ସ୍ପଷ୍ଟ କରିଛନ୍ତି ।
ସୂଚନାଯୋଗ୍ୟ; ଜିଲ୍ଲାରେ କୋଟି କୋଟି ଟଙ୍କାର ବେଆଇନ ବାଲି ଉତ୍ତୋଳନ ଓ ଚାଲାଣ ହେଉଥିବା ନେଇ ବଡ଼ସାହି ବ୍ଲକ୍ ପୁଣ୍ଡଲା ଗ୍ରାମର ରାଧାମୋହନ ସିଂ ଏନ୍ଜିଟିର ଆଶ୍ରୟ ନେଇଥିଲେ । ଗତ ୬ ତାରିଖରେ ରାଜ୍ୟ ପରିବେଶ ଇମ୍ପାକ୍ଟ ଅଥରିଟି ତଥା ବରିଷ୍ଠ ବୈଜ୍ଞାନିକ ପ୍ରଦୀପ କୁମାର ନାୟକଙ୍କ ନେତୃତ୍ବରେ ୪ ଜଣିଆ କମିଟି ବୁଢ଼ାବଳଙ୍ଗ ନଦୀର ଏକାଧିକ ବାଲିଘାଟକୁ ଯାଇ ତଦନ୍ତ କରି ଟ୍ରିବ୍ୟୁନାଲକୁ ରିପୋର୍ଟ ପ୍ରଦାନ କରିଥିଲେ ।
