ବାଟମାରଣା ହେଉଛି ପିଲାଙ୍କ ଚାଉଳ, କଳାହାଣ୍ଡିର ଗୋଟିଏ ବ୍ଲକ୍‌ରେ ୧୮୦ କ୍ବିଣ୍ଟାଲ ହଡ଼ପ୍‌

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କୁ ଆସୁଥିବା ଚାଉଳରେ ବ୍ୟାପକ ବାଟମାରଣା ହେଉଛି । କାଗଜ କଲମରେ ପ୍ରତି ବସ୍ତାରେ ୫୦ କେଜି ରହୁଥିବା ବେଳେ ଅସଲରେ ୩୫ କେଜି ଚାଉଳ କେନ୍ଦ୍ରମାନଙ୍କୁ ଯୋଗାଣ ହେଉଛି । ଏହି ହିସାବରେ ଗୋଟିଏ ବ୍ଲକ୍‌ରେ ବର୍ଷକୁ ମଧ୍ୟରେ ପ୍ରାୟ ୧୮୦ କ୍ବିଣ୍ଟାଲ ଚାଉଳ ହଡ଼ପ ହୋଇଥିବା କୁହାଯାଉଛି । ଏନେଇ ଅଙ୍ଗନବାଡ଼ି କର୍ମୀ ମୁହଁ ଖୋଲିଲେ ସେମାନଙ୍କୁ ଅଧିକାରୀମାନେ ନାଲିଆଖି ଦେଖାଉଛନ୍ତି । ସିଡିପିଓ, ସୁପରଭାଇଜର ଓ ଚାଉଳ ଯୋଗାଣକାରୀ ସଂସ୍ଥାର ମଧୁଚନ୍ଦ୍ରିକା ଯୋଗୁଁ କାହାର ଭାଗ କେତେ ବୋଲି ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି ।

ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ୧୩ ଟି ବ୍ଲକର ଅଙ୍ଗନବାଡ଼ି କେନ୍ଦ୍ରକୁ ନବରଙ୍ଗପୁର ଜିଲ୍ଲାର ଏକ ଯୋଗାଣ ସଂସ୍ଥା ଚାଉଳ ଯୋଗାଉଛି । ବର୍ଷକୁ ୪ ଥର କରି ସମ୍ପୃକ୍ତ ସଂସ୍ଥା ପ୍ରତି ୩ ମାସରେ ଥରେ ଅଙ୍ଗନବା‌ଡ଼ି କେନ୍ଦ୍ରକୁ ଚାଉଳ ଯୋଗାଣ ହୋଇଥାଏ । ଜିଲ୍ଲାର ଗୋଲାମୁଣ୍ଡା ଆଇସିଡିଏସ୍‌ ଅଧୀନରେ ଥିବା ୭ଟି ସେକ୍ଟରକୁ ବି ଚାଉଳ ଆସୁଛି । ଏହି ସେକ୍ଟର ଅଧୀନରେ ୧୩୮ଟି ଅଙ୍ଗନବାଡ଼ି ଓ ୪୨ଟି ମିନି ଅଙ୍ଗନବାଡ଼ି କେନ୍ଦ୍ର ଅଛି । ମୋଟ୍‌ ୧୮୦ଟି ଅଙ୍ଗନବାଡ଼ି କେନ୍ଦ୍ର ଅଛି । ୧୮୦ଟି ଅଙ୍ଗନବାଡ଼ି କେନ୍ଦ୍ରରେ ପ୍ରାୟ ୭ ହଜାର ୯୦୧ ଜଣ ୩ ରୁ ୬ ବର୍ଷର ଶିଶୁ ଗରମ ରନ୍ଧାଖାଦ୍ୟ ଖାଇଥା’ନ୍ତି । ଏଥିପାଇଁ ପ୍ରାୟ ପ୍ରତି ୩ ମାସରେ ପ୍ରାୟ ୧୫୦ ରୁ ଉର୍ଦ୍ଧ୍ବ କ୍ବିଣ୍ଟାଲ ଚାଉଳ କେନ୍ଦ୍ରକୁ ଯୋଗାଣ ହୋଇଥାଏ । ଜଣେ ୩ ରୁ ୬ ବର୍ଷର ଶିଶୁ ପାଇଁ ୮୦ ଗ୍ରାମ ଚାଉଳ ଯୋଗାଣ ହୋଇଥାଏ । ଗୋଟିଏ ଚାଉଳ ଭର୍ତ୍ତି ଅଖାରେ ୫୦ କେଜି ଚାଉଳ ରହିଥାଏ । ତେବେ, ଅଭିଯୋଗ ହେଉଛି ଯେ ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ରକୁ ୩୫ କେଜି ଚାଉଳ ଆସୁଛି । ଫଳରେ; ଅବଶିଷ୍ଟ ୧୫ କେଜି ଚାଉଳ କୁଆଡ଼େ ଯାଉଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି । ଏ ସମ୍ପର୍କରେ କେତେକ ଅଙ୍ଗନବାଡ଼ି ‌କେନ୍ଦ୍ରର କର୍ମୀ ଅଭିଯୋଗ କରିଛନ୍ତି; ‘ଯୋଗାଣକାରୀ ସଂସ୍ଥା ଓ ଆଇସିଡିଏସ୍‌ ସିଡିପିଓ, ସୁପରଭାଇଜରଙ୍କ ମଧୁଚନ୍ଦ୍ରିକା ଯୋଗୁ ପ୍ରତି ଅଙ୍ଗନବାଡ଼ି କେନ୍ଦ୍ରକୁ କମ୍‌ ଚାଲୁ ଆସୁଛି ।’

ତେବେ, ଅଙ୍ଗନବାଡ଼ି କର୍ମୀଙ୍କ ଅଭିଯୋଗକୁ ଦୃଷ୍ଟିରେ ରଖିଲେ; ଯଦି ୧ କ୍ବିଣ୍ଟାଲ ଚାଉଳ ଅଖାରୁ ୩୦ କେଜି ଚାଉଳ ହଡପ୍‌ କରାଯାଉଥାଏ, ତା’ହେ‌ଲେ ସମୁଦାୟ ୧୫୦ କ୍ବିଣ୍ଟାଲରେ ୪୫ କ୍ବିଣ୍ଟାଲ ଚାଉଳ ବାଟମାରଣା କରାଯାଉଛି । ଏହିପରି ଭାବେ ୩ମାସରେ ୪୫ କ୍ବିଣ୍ଟାଲ ଏବଂ ବର୍ଷକୁ ୧୮୦ କ୍ବିଣ୍ଟାଲ ଚାଉଳ ଗୋଟିଏ ବ୍ଲକ୍‌ରେ ବାଟମାରଣା ହେଉଛି । ଅନ୍ୟପକ୍ଷରେ ଏହି ଚାଉଳ ବେସରକାରୀ ଭାବେ କେଜି ପ୍ରତି ୪୦ ଟଙ୍କା ବିକ୍ରି କରାଯାଉଥିବାବେଳେ ୯ ହଜାର ୯୦୧ ଶିଶୁଙ୍କ ପାଇଁ ଆସୁଥିବା ଚାଉଳ ବାବଦ‌ରେ ବର୍ଷକୁ ୧୦ ରୁ ୧୨ ଲକ୍ଷ ଟଙ୍କା ହଡପ୍‌ କରାଯାଉଥିବା ଅଭିଯୋଗ ହୋଇଛି ।

ଅନ୍ୟ ଏକ ଅଭିଯୋଗ ଅନୁସାରେ, ନିର୍ଦ୍ଧାରିତ ପରିମାଣଠାରୁ କମ୍‌ ଚାଉଳ ଆସୁଥିବାରୁ କେତେକ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁମାନଙ୍କୁ ଖାଦ୍ୟ ଯୋଗାଇବାରେ ସମସ୍ୟା ସୃଷ୍ଟି ହେଉଛି । ଏନେଇ ଅଭିଯୋଗକଲେ ଅଧିକାରୀମାନେ ନାଲିଆଖି ଦେଖାଉଥିବା ଏହି ଅଭିଯୋଗରୁ ଜଣାପଡ଼ିଛି ।

ଅନ୍ୟପକ୍ଷରେ, ଏନେଇ ଗୋଲାମୁଣ୍ଡା ସିଡିପିଓ ପ୍ରେମାମଞ୍ଜରୀ ସାହୁଙ୍କୁ ପଚାରିବାରୁ କମ୍‌ ଚାଉଳ ଯୋଗାଣ ହେଉଥିବା କଥାକୁ ସ୍ୱୀକାର କରିବା ସହ ସେ ଏହା ଉପରେ ଧ୍ୟାନ ‌ଦେବେ ବୋଲି କହିଛନ୍ତି । ତେବେ ଉକ୍ତ ଘଟଣା କଳାହାଣ୍ଡି ଜିଲ୍ଲାର ଗୋଟିଏ ବ୍ଲକର ଉଦାହରଣ ଅଟେ । ଏଭଳି ଅନ୍ୟ ୧୨ଟି ବ୍ଲକରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ଭିଜିଲାନ୍ସ ପକ୍ଷରୁ ତୁରନ୍ତ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ ଗୁମର ଫିଟିବ ବୋଲି ସାଧାରଣରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *