ବାଲେଶ୍ବର : ବାଲେଶ୍ବର ସହର ଟାଉନ୍ ଥାନା ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ଟାଉନ୍ ଥାନାରୁ ପୌର କାର୍ଯ୍ୟାଳୟ ଯିବା ବାଟରେ ଜେସିବି ସାହାଯ୍ୟରେ ଡ୍ରେନ୍ ଖୋଳା ଚାଲିଥିବାରୁ ଏହା ପ୍ରଭାବରେ ଦୁଇମହଲା ବିଶିଷ୍ଟ ପୁରୁଣା ବିଲ୍ଡିଂ ଭୁଶୁଡ଼ି ପଡ଼ିଥିଲା । ଏଥିରେ କାହାରି କିଛି କ୍ଷତି ହୋଇନଥିବା ଜଣାପଡ଼ିଛି ।
ଆଜି ଦ୍ବିପ୍ରହର ସମୟରେ ଏହି ଘଟଣା ଘଟିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଡ୍ରେନ୍ ନିର୍ମାଣ ପାଇଁ ପିଡବ୍ଲୁଡି ପକ୍ଷରୁ ଜେସିବି ଲଗାଇ ଗାତ ଖୋଳା ଚାଲିଥିଲା। ତେବେ ପୁରୁଣା ବିଲ୍ଡିଂ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ବେଳେ ତା ନିକଟରେ ଗାତ ଖୋଳିଲେ କିଛି ଅଘଟଣ ଘଟିପାରେ ବୋଲି ପୂର୍ବରୁ ଆଶଙ୍କା କରାଯାଇଥିଲା । ଏଥିଲାଗି ବିଲ୍ଡିଂର ମାଲିକଙ୍କୁ ମଧ୍ୟ ସତର୍କ କରାଯାଇଥିଲା ବୋଲି କୁହାଯାଇଛି । ତେବେ ଗାତ ଖୋଳା ସମୟରେ ବିଲ୍ଡିଂଟି ଭାରସାମ୍ୟ ହରାଇ ଭୁଶୁଡ଼ି ପଡ଼ିଥିଲା । ଘଟଣା ସ୍ଥଳରେ ପୌରାଧ୍ୟକ୍ଷା ସବିତା ପହଞ୍ଚି କ୍ଷତିଗ୍ରସ୍ତ ଘର ମାଲିକଙ୍କୁ ଭେଟିଥିଲେ । କାହିଁକି ଏପରି ଘଟିଲା ତଦନ୍ତ କରିବାକୁ ପ୍ରଶାସନ ସହ ସେ କଥା ହେବେ ବୋଲି ଶ୍ରୀମତୀ ସାହୁ କହିଛନ୍ତି । ଏଥିସହ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ନିଜେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ କିଭଳି ପରିସ୍ଥିତିରେ ଏହା ଘଟିଲା ତାର ତଦନ୍ତ କରିବାକୁ ସେ ଡ୍ରେନେଜ୍ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଫାୟାର ଟିମ୍କୁ ଉଦ୍ଧାର କାର୍ଯ୍ୟରେ ସହେଯାଗ କରିବାକୁ କହିଥିବା ଜିଲ୍ଲାପାଳ କହିଥିଲେ ।
