ଜଙ୍ଗଲରେ ଚାଲିଥିଲା ମଦ କାରଖାନା, ଖବର ପାଇ ପୁଲିସ ଆସି ସବୁ ଜାଳି ପୋଡି ନଷ୍ଟ କରିଦେଲା

ମୋରଡା : ମୟୂରଭଞ୍ଜ ଶୁଳିଆପଦା ଥାନା ଅନ୍ତର୍ଗତ ଢେଙ୍କିନେଜିଆ ଜଙ୍ଗଲରୁ ବୁଧବାର ନକଲି ଦେଶୀ ମଦ କାରଖାନା ଠାବ କରିଥିଲା ପୋଲିସ । ତେବେ ଗୁରୁବାର ପୁଣି ସକାଳୁ ପୋଲିସ ଆଉ ଏକ ମଦ କାରଖାନା ଠାବ କରିଛି । ବିଶେଷ ସୂତ୍ରରୁ ଖବର ପାଇ ଶୁଳିଆପଦା ଓଆଇସି ମିନୁ ଭୋଇ ସଦଳବଳେ ଜଙ୍ଗଲ ଭିତରେ ଚଢଉ କରିଥିଲେ ।  ଏହାସହ ଏକ ନକଲି ଦେଶୀ ମଦ କାରଖାନା ଠାବ କରିଥିଲେ । ଘଟଣା ସ୍ଥଳରୁ ୯୦ ଲିଟର ନକଲି ଦେଶୀ ମଦ ସହିତ ବିପୁଳ ମାତ୍ରାରେ  ମହୁଲ ଜବତ କରାଯାଇଛି । ତେବେ ମଦ ତିଆରି ପାଇଁ ମହଜୁଦ ସାମଗ୍ରୀକୁ ଜାଳି ପୋଡି ନଷ୍ଟ କରିଦେଇଛି ପୋଲିସ । ତେବେ ନଷ୍ଟ କରାଯାଇଥିବା ମଦ ଓ ମହୁଲର ଦାମ ୧ ଲକ୍ଷ ୪୫ ହଜାର ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଅପରପକ୍ଷରେ, ଘଟଣା ସ୍ଥଳରୁ ଚୋରା ଦେଶୀ ମଦ ବେପାର କରୁଥିବା ବ୍ୟକ୍ତିମାନେ ଦୌଡି ପଳାଇବାରେ ସଫଳ ହୋଇଥିଲେ ।  ଶୁଳିଆପଦା ପୋଲିସର ତତ୍ପରତା ଓ ଅଚାନକ ଚଢ଼ଉ ଫଳରେ ଚୋରା ବେପାରୀମାନେ ଭୟଭୀତ ହୋଇପଡିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *