କଲମପୁର : କୋଭିଡ କଟକଣାର ଦୀର୍ଘ ୧୮ ମାସ ପରେ ପ୍ରାଥମିକ ବିଦ୍ୟାଳୟ ଖୋଲିବାର ଆଶା କରାଯାଉଛି । ପ୍ରଥମ ରୁ ପଞ୍ଚମ ପିଲା ପୁଣି ବିଦ୍ୟାଳୟ ଯିବେ । ହସି ଉଠିବ ବିଦ୍ୟାଳୟ ପରିବେଶ । ଯାହା ସମସ୍ତଙ୍କ ପାଇଁ ଖୁସି ଖବର । କିନ୍ତୁ କଲମପୁର ବ୍ଲକ ଅଧିନସ୍ଥ ବିଜମରା ସରକାରୀ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଦୟନୀୟ । ଗତ କିଛି ମାସ ତଳେ ବିଦ୍ୟାଳୟ ମରାମତି ପାଇଁ ୩ ଲକ୍ଷ ୩୩ ହଜାର ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିଲା । ବିଦ୍ୟାଳୟ ମରାମତି ପାଇଁ ବିଭାଗୀୟ କାର୍ଯ୍ୟଧାରା ଅନୁସାରେ ନିର୍ଦ୍ଦେଶ ଦିଆଗଲା । କନିଷ୍ଠ ଯନ୍ତ୍ରୀ ଶିବ ପ୍ରସାଦ ବେହେରା ଏହାର ମରାମତି ଦାଇତ୍ୱରେ ରହିଛନ୍ତି । ଗତ ତିନି ମାସ ତଳେ ବିଦ୍ୟାଳୟର ଛାତ ବାହାର କରି ଦିଆଯାଇଥିଲା । କିନ୍ତୁ ଏଥିମଧ୍ୟରେ ଦୀର୍ଘ ଦିନ ବିତି ସାରିଥିଲେ ମଧ୍ୟ ବିଦ୍ୟାଳୟ ମରାମତି କାମ ଠପ୍ ହେଇଯାଇଛି । ଯେଉଁଥିପାଇଁ ଛାତ୍ରଛାତ୍ରୀ ବିଦ୍ୟାଳୟ ଆସିଲେ ବସିବେ କେଉଁଠି ? ଶିକ୍ଷକ ଶିକ୍ଷୟତ୍ରୀ ଶିକ୍ଷାଦାନ କିଭଳି କରିବେ ଯାହା ବିଦ୍ୟାଳୟର ଅବିଭାବକ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ପ୍ରଶ୍ନ କରୁଛନ୍ତି । ଆଉ କେତେଦିନ ପରେ ବିଦ୍ୟାଳୟ କାମ ଶେଷ ହେବ ? ଏନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ହରିଶଙ୍କର ବାଗଙ୍କ ସହ ଯୋଗାଯୋଗ କରାଯାଇଥିଲା ବିଦ୍ୟାଳୟର ଅବସ୍ଥା ସମ୍ବନ୍ଧରେ ସେ ଜାଣିଥିବା ବେଳେ ତୁରନ୍ତ କାର୍ଯ୍ୟ ସମ୍ପାଦନ ପାଇଁ ବି.ଡି.ଓଙ୍କୁ ସାକ୍ଷାତ କରି ଆଲୋଚନା କରିବାପାଇଁ ସୁଚନା ଦେବା ସହ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସୁଚନା ଦେଇଥିଲେ ।
