କୋରାପୁଟ : ବିପୁଳ ପରିମାଣର ଗଞ୍ଜେଇ ଜବତ । କୋରାପୁଟ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୬ କ୍ୱିଣ୍ଟାଲ ୬୫ କେଜି ଗଞ୍ଜେଇ ଜବତ ହୋଇଛି । ଏହାସହିତ ଚୋରା ଗଞ୍ଜେଇ କାରବାରରେ ଜଣେ ବେପାରୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଖବର ଅନୁଯାୟୀ, ବାହାର ରାଜ୍ୟରୁ ଆସି କିଛି ବେପାରୀ ଏଠାରେ ଗଞ୍ଜେଇ ବେପାର କରୁଥିବା ପୋଲିସ ଓ ଅବକାରୀ ବିଭାଗ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଲଗାତର ଭାବେ ଅବକାରୀ ବିଭାଗ କଡ଼ା ନଜର ରଖିଥିଲା । ଏହିକ୍ରମରେ ଅବକାରୀ ବିଭାଗ ନନ୍ଦପୁର ବ୍ଲକ କମାରଗୁଡା ଛକ ମାରଦା ଗ୍ରାମରେ ଚଢାଉ କରି ଏକ ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିତ ମୂଲ୍ୟ ୬୫ ଲକ୍ଷ ଟଙ୍କା ହେବ । ସେହିପରି ଅବକାରୀ ବିଭାଗର ଚଢାଉରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ବାହାର ରାଜ୍ୟରୁ ଆସିଥିବା ଫେରିବାଲାମାନେ ଗାଁ ଗାଁ ବୁଲି ବ୍ୟବସାୟ କରିବା ସହ ଗଞ୍ଜେଇ କାରବାରରେ ମଧ୍ୟ ସଂପୃକ୍ତି ଅଛି । ଯାହାର ପର୍ଦ୍ଦାଫାସ କରିଛି ଅବକାରୀ ବିଭାଗ । ହରିୟାଣାରୁ ଆସି ଶୀତ ବସ୍ତ୍ର ବିକ୍ରୟ କରୁଥୁବା ସୁଲତାନ ସିଂକୁ ଗିରଫ କରିଛି ଅବକାରୀ ବିଭାଗ ।
