ଭୁବନେଶ୍ବର : ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ ଗ୍ରହଣ କରି ତାହାର ସମାଧାନ କରିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ମାତ୍ର କରୋନା ପାଇଁ ଦୁଇବର୍ଷରୁ ଅଧିକ ଦିନ ହେଲା, ସ୍କୁଲ ବନ୍ଦ ରହିଥିବାରୁ କୌଣସି ସ୍ଥାନରୁ କିଛି ବି ଅଭିଯୋଗ ଆସିନି କିମ୍ବା ସମାଧାନ ହୋଇନି । ପିଲାଙ୍କ ଠାରୁ ଅଭିଯୋଗ ଗ୍ରହଣ କରିବା କ୍ଷେତ୍ରରେ ହେଲପ୍ ଲାଇନ୍ ପ୍ରମୁଖ ମାଧ୍ୟମ ହୋଇଥିଲେ ମଧ୍ୟ ପିଲାମାନେ ଜାଣିପାରୁ ନାହାନ୍ତି । ତାହାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟାପକ ପ୍ରଚାରପ୍ରସାର କରିବା ଦିଗରେ ସ୍କୁଲ କର୍ତୃପକ୍ଷ ପ୍ରାଥମିକତା ଦେବାକୁ ଓସେପା ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି ।
ସ୍କୁଲ ଛାତ୍ରଛାତ୍ରୀଙ୍କ ହେଲ୍ପ ଲାଇନ୍ ନମ୍ବର ୧୮୦୦୩୪୫୬୭୨୨/ ୧୪୪୧୭ ସମ୍ପର୍କରେ ଛାତ୍ରଛାତ୍ରୀ, ଅଭିଭାବକ, ଗୋଷ୍ଠୀ ସଦସ୍ୟ, ସ୍କୁଲ ପରିଚାଳନା କମିଟି ସଦସ୍ୟଙ୍କୁ ଅବଗତ କରାଯିବାର ଆବଶ୍ୟକତା ରହିଛି । ତେଣୁ ସ୍କୁଲ କର୍ତୃପକ୍ଷ ହେଲ୍ପ ଲାଇନ୍ ନମ୍ବରକୁ କ୍ୟାମ୍ପସର ପ୍ରମୁଖ ସ୍ଥାନ ତଥା କାନ୍ଥରେ ଲେଖିବେ । ପ୍ରଧାନ ଶିକ୍ଷକମାନେ ସ୍କୁଲ ଶିକ୍ଷକଙ୍କୁ ହେଲପ୍-ଲାଇନ୍ ନମ୍ବର ସମ୍ପର୍କରେ ଅବଗତ କରିବା, ସ୍କୁଲ ନୋଟିସ୍ ବୋର୍ଡ/ପ୍ରାର୍ଥନା ସମୟରେ ପିଲାଙ୍କୁ ଅବଗତ କରିବା ଦିଗରେ ପଦକ୍ଷେପ ନେବେ । ସିଆରସିସିମାନେ ହେଲ୍ପଲାଇନ୍ ସମ୍ପର୍କରେ ବିଭିନ୍ନ ବୈଠକରେ ଅନ୍ୟମାନଙ୍କୁ ଜଣାଇବେ ।
