ବିକାଶ ସାଜିଛି ସାତ ସପନ

ହରଭଙ୍ଗା : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଆଡ଼େଣିଗଡ଼ ପଞ୍ଚାୟତର କଣ୍ଡରା, କୁଚୁପାଜୁ, ବାଙ୍କପାଜୁ, ସୁଲକେଟି ଏବଂ ସାରୁପଦର ପ୍ରଭୃତି ପାଞ୍ଚାଟି ଗାଁକୁ ବିକାଶ ସାତ ସପନ ହୋଇଥିବାବେଳେ ସବୁ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଅଭିଶପ୍ତ ପାଲଟି ଯାଇଛି । ଜିଲା ସଦର ମହକୁମାଠାରୁ ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥରେ ୪୮ କିଲୋମିଟର ଦୂର ଗଲେ ପଡ଼େ ଆଡେଣିଗଡ ପଞ୍ଚାୟତ । ସେଠାରୁ ଉକ୍ତ ୫ ଟି ଗାଁର ଦୂରତା ପ୍ରାୟ ୧୦ କିଲୋମିଟର । ତେବେ ସେଠାରେ ପହଞ୍ଚିବାକୁ ହେଲେ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲ, ଗାଞ୍ଜିବାଡା, ଭାଲୁମୁଣ୍ଡିଆ, ଧନୁଗାଢା ଆଦି ଚାରିପାଞ୍ଚଟି ଜଙ୍ଗଲ ଓ ପାହାଡ଼ ସହ ଅତିକ୍ରମ କରିବାକୁ ହୁଏ କେନ୍ଦୁଘାଟି, ପାଞ୍ଚଟଙ୍କିଆ ଘାଟି, ଏସ.ଗୋଲେଇ ଓ ବସାଙ୍ଗି ପ୍ରଭୃତି ଛଅସାତଟି ଘାଟି  ।  ଏହି ପାହାଡ଼ିଆ ଦୁର୍ଗମ ରାସ୍ତା ଡେଇଁବା ପରେ ଦୃଷ୍ଟିଗୋଚର ହୁଏ ପାହାଡ଼ ଶୀର୍ଷରେ ଥିବା ଉକ୍ତ ୫ ଟି ଗାଁ । ପଞ୍ଚାୟତର ୧୩ ନମ୍ବର ଓାର୍ଡରେ କଣ୍ଡରା ଓ ସାରୁପଦର ଭଳି ଦୁଇଟି ଗାଁରେ ୫୦ରୁ ଅଧିକ ଏବଂ ୭ ନମ୍ବର ୱାର୍ଡ଼ରେ କୁଚୁପାଜୁ, ବାଙ୍କପାଜୁ ଓ ସୁଲକେଟି ଭଳି ତିନିଟି ଗାଁରେ ଶହେରୁ ଅଧିକ ହରିଜନ, ଆଦିବାସୀ ପରିବାର ବସବାସ କରୁଛନ୍ତି । ଚାଷ ସେମାନଙ୍କ ମୁଖ୍ୟ ଜୀବିକା । ଯାତାୟାତ ସୁବିଧା ଅଭାବରୁ ବଜାର ପ୍ରାଙ୍ଗଣକୁ ଧାନ ନେବା ସେମାନଙ୍କ ପାଇଁ ଅସମ୍ଭବ ପ୍ରାୟ । ତେଣୁ ସେମାନେ ଧାନଚାଷ ବନ୍ଦ କରିଦେଇଛନ୍ତି । ବିଭିନ୍ନ ଯୋଜନାରେ ସରକାର ଯୋଗାଇ ଦେଉଥିବା ଭତ୍ତା, ଚାଉଳ, ଗହମ ପ୍ରଭୃତି ନେବା ପାଇଁ ସେମାନଙ୍କୁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବାକୁ ପଡ଼େ । ଆଗରୁ ବୃଦ୍ଧ, ବୃଦ୍ଧା ଅନ୍ୟ ଗ୍ରାମବାସୀ ବା ପଡ଼ୋଶୀଙ୍କ ସହାୟତାରେ ସେ ସବୁ ସଂଗ୍ରହ କରିନେଉଥିଲେ ।  ଏବେ ବାୟୋମେଟ୍ରିକ ପଦ୍ଧତି ଲାଗୁ କରାଯାଇଥିବାରୁ ସେମାନେ ପ୍ରତିମାସ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିପାରୁ ନାହାନ୍ତି । ବର୍ଷାଋତୁରେ ଉକ୍ତ ଗ୍ରାମଗୁଡ଼ିକ ବିଚ୍ଛିନ୍ନାଞ୍ଚଳରେ ପରିଣତ ହୁଏ । ରୋଗୀ ଏବଂ ପ୍ରସୂତୀଙ୍କ ଠିକ୍‌ ସମୟରେ ଡାକ୍ତରଖାନା ପହଞ୍ଚାଇବା ଅସମ୍ଭବ ହୋଇପଡ଼େ । ରାସ୍ତା ନ ଥିବାରୁ ସରକାରୀ ଯୋଜନାଗୁଡ଼ିକ ମଧ୍ୟ ସେମାନଙ୍କ ପାଖରେ ପହଞ୍ଚିପାରୁ ନାହିଁ ।  ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନେ ଘର ନିର୍ମାଣ ସାମଗ୍ରୀ ପାଇପାରୁ ନାହାନ୍ତି । କୁଚୁପାଜୁରେ ଏକ ପ୍ରାଥମିକ ବିଦ୍ୟାଳୟ ଅଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍‌ ୩୫ ଜଣ ପିଲା ପାଠ ପଢ଼ୁଛନ୍ତି । ପଢ଼ାଇବା ପାଇଁ ଅଛନ୍ତି ୪ ଜଣ ଶିକ୍ଷକା । ଅଙ୍ଗନବାଡ଼ି କେନ୍ଦ୍ର ଥିଲେ ମଧ୍ୟ ତାହା ପ୍ରାୟତଃ ବନ୍ଦ ରହୁଥିବା ଅଭିଯୋଗ ହେଉଛି । ପାନୀୟ ଜଳର ବ୍ୟବସ୍ଥା ନଥିବାରୁ ସେମାନେ ଖରାଦିନରେ ଦୂଷିତ କୂଅ ଓ ଚୁଆପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ଏହି ସବୁ ସମସ୍ୟାର ଏକମାତ୍ର କାରଣ ହେଉଛି ରାସ୍ତା । ତେଣୁ ଏଥି ପ୍ରତି ଦୃଷ୍ଟି ଦେଇ ଖୁବଶୀଘ୍ର ଏକ ଦୀର୍ଘସ୍ଥାୟୀ ପକ୍କାରାସ୍ତା ନିର୍ମାଣ କରାଯିବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି । ଏ ନେଇ ଏକ ଦାବିପତ୍ର ବୌଦ୍ଧ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ରାସ୍ତା ନିର୍ମାଣ ନହେଲେ ଏହି ଅଞ୍ଚଳର ପ୍ରାୟ ୫ ଶହ ଭୋଟର ଏଥର ନିର୍ବାଚନ ବର୍ଜନ କରିବେ ବୋଲି ମହେଶ୍ୱର ଦେହୁରୀ, ସତ୍ୟ ନାରାୟଣ ଦେହୁରୀ, ପ୍ରଶାନ୍ତ ବେହେରା, ଅଗସ୍ତି ମଲ୍ଲିକ, ଅଚ୍ୟୁତାନନ୍ଦ ବେହେରା, ତ୍ରିପୁରା ବେହେରା, ବାଳକୃଷ୍ଣ ବେହେରା ପ୍ରମୁଖ ଚେତାବନୀ ଦେଇଛନ୍ତି । ଅଶ୍ୱିନୀ କୁମାର ଦେହୁରୀ କହନ୍ତି, ରାସ୍ତା ଅଭାବରୁ ରୋଗୀ ଓ ପ୍ରସୂତୀଙ୍କୁ ଡାକ୍ତରଖାନା ନେଇପାରୁ ନାହୁଁ । ସରକାର ମଞ୍ଜୁର କରିଥିଲେ ମଧ୍ୟ ଘର ତିଆରି କରିପାରୁ ନାହୁଁ । ରାସ୍ତା ନିର୍ମାଣ ନହେଲେ ଭୋଟ ଦେବୁ ନାହିଁ । ମହେଶ୍ବର ଦେହୁରୀଙ୍କ କହିବା ହେଲା, ‘ମୋତେ ୭୦ ବର୍ଷ ହେଲା । ତଥାପି ଭଲ ରାସ୍ତାଟିଏ ଦେଖି ପାରିଲି ନାହିଁ । ଦେଶ କେବେଠୁ ସ୍ବାଧୀନ ହେଲାଣି, ହେଲେ ଅମେ ନିଜକୁ ପରାଧୀନ ବୋଲି ମନେ କରୁଛୁ’ । ଏଥର ରାସ୍ତା ନାହିଁ ତ ଭୋଟ ନାହିଁ ବୋଲି କହିଛନ୍ତି ବଶିଆନନ୍ଦ ଦେହୁରୀ । ଅଚ୍ୟୁତାନନ୍ଦ ବେହେରାଙ୍କ କହିବା ହେଲା ସ୍ୱାଧୀନତା ପରେ ବି ଆମ ପାଖରେ ମୌଳିକ ସୁବିଧା ପହଞ୍ଚି ପାରିନାହିଁ । ରାସ୍ତା ଯୋଗୁଁ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ସବୁ ସରକାରୀ ଯୋଜନାରୁ ଆମେ ବଞ୍ଚିତ । ଭୋଟ କାହିଁକି ଦେବୁ ?

Leave a Reply

Your email address will not be published. Required fields are marked *