୭ କିଲୋ ଗ‌ଞ୍ଜେଇ ଜବତ

ଖୋର୍ଦ୍ଧା : ଖୋର୍ଦ୍ଧା ଟାଉନ ଥାନା ପୁଲିସ ୨ ଜଣଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୭ କିଲୋ ଗ‌ଞ୍ଜେଇ ଜବତ କରିଛି । ଗଂଜେଇ ଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ଏସପି ରାଜକିଶୋର ଦୋରାଙ୍କ ନିର୍ଦ୍ଦେଶରେ ଏସପିଓଙ୍କ ସୁଶୀଲ କୁମାର ମିଶ୍ର ଓ ଡେପୁଟି ଏସପି ସଂଜୟ କୁମାର ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଏକ ଟିମ୍ ଗଠନ କରାଯାଇଥିଲା । ଏସ୍ଆଇ ସୁକାନ୍ତ ଦଳାଇ, ଏଏସ୍ଆଇ ପି.କେ. ପ୍ରଧାନ, ହାବିଲଦାର ଅଭୟ ସାମନ୍ତରାୟଙ୍କୁ ନେଇ ଗଠିତ ଟିମ୍ ନୂଆବସ୍‌ ଷ୍ଟାଣ୍ଡ ନିକଟ ଟିଏଲ୍‌ସି ରାସ୍ତାରେ ଅପେକ୍ଷା କରିଥିଲେ । ଏହି ସମୟରେ ବୌଦ୍ଧ ହରଭଙ୍ଗା ଥାନା ଅଧୀନ ଗୁଣ୍ଡୁରିସାହିର ଅଜିତ କୁମାର ପ୍ରଧାନ(୨୪) ଓ ଅଶାନ୍ତ ଜଗାଦଳେଇ (୨୬) ପଲସର ବାଇକ ନଂ. ଓଡି ୧୨ଡି ୫୮୦୬ ରେ ଏକ ବସ୍ତା ନେଇ ଆସୁଥିଲେ । ଗାଡ଼ି ଅଟକାଇ ଯାଂଚ କରିବାରେ ବସ୍ତାରୁ ୬ କିଲୋ ୫୦୫ ଗ୍ରାମ ଗଞ୍ଜେଇ ଓ ଭାଙ୍ଗ ମିଳିଥିଲା, ଯାହାର ଆନୁମାନିକ ମୂଲ୍ୟ ୫୫ ହଜାର ଟଙ୍କା ହେବ । ପୁଲିସ ଉଭୟଙ୍କୁ ଗିରଫ କରିବା ସହ ବାଇକ ଓ ସେମାନଙ୍କଠାରୁ ଦୁଇଟି ମୋବାଇଲ୍ ଫୋନ୍ ଜବତ କରିଛି । ମାମଲାର ଅଧିକ ଅନୁସନ୍ଧାନ ପାଇଁ ଏସ୍ଆଇ ସସ୍ମିତା ବେହେରାଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ଖୋର୍ଦ୍ଧା ରୋଡ୍ ରେଳବାଇ ପୁଲିସ ଓ ସ୍ୱତନ୍ତ୍ର ଏସ୍‌ଟିଏଫ୍‌ର ମିଳିତ ଚଢ଼ଉ କରାଯାଇ ବୁଧବାର ଖୋର୍ଦ୍ଧା ରୋଡ (ଜଟଣୀ) ରେଳ ଷ୍ଟେସନରୁ ଜନୈକ ଦମ୍ପତିଙ୍କୁ ସନ୍ଦେହରେ ଗିରଫ କରାଯାଇଥିଲା । ଯାଞ୍ଚ କରିବା ପରେ ସେମାନଙ୍କ ନିକଟରୁ ୧୧ କିଲୋଗ୍ରାମ ଗଂଜେଇ ଜବତ କରାଯାଇଛି । ରେଳ ଗାଡିରେ ହେଉଥିବା ବହୁ ଚୋରି ଘଟଣାରେ ଉକ୍ତ ଦମ୍ପତି ସମ୍ପୃକ୍ତ ଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି । ମଙ୍ଗଳବାର ସ୍ୱତନ୍ତ୍ର ଯାଂଚରେ ଜଟଣୀ ରେଳଷ୍ଟେଶନରେ ଏହି ଦମ୍ପତି ଧରାପଡ଼ିଥିଲେ । ସେମାନେ ଗଂଜାମ ବ୍ରହ୍ମପୁରରୁ ବସ୍‌ ଯୋଗେ ଆସି ଷ୍ଟେସନରେ ହାୱାଡା ଯିବା ପାଇଁ ଜଗନ୍ନାଥ ଏକସପ୍ରେସକୁ ଅପେକ୍ଷା କରିଥିଲେ । ଯାଂଚରେ ସେମାନଙ୍କ ନିକଟରୁ ୧୧ କିଲୋଗ୍ରାମ ୨୦୦ ଗ୍ରାମ ଗଂଜେଇ ମିଳିଥିଲା । ଗିରଫ ହୋଇଥିବା ଉଭୟ ହେଉଛନ୍ତି, ସୀମାଂଚଳ ପ୍ରଧାନ(୫୨) ଓ ତାଙ୍କ ପତ୍ନୀ ସଂଜୁ ପ୍ରଧାନ(୪୫) । ଉଭୟଙ୍କ ଘର ଗଂଜାମ ଦିଗପହଣ୍ଡି ଥାନା ଅନ୍ତର୍ଗତ ଚିକିଟି-ହାଡ଼ିସାହି । ଉଭୟଙ୍କୁ ଜଟଣୀ ଜେଏମ୍ଏଫ୍‌ସି କୋର୍ଟରେ ହାଜର କରାଯିବା ପରେ ଜେଲ୍ ପଠାଇ ଦିଆଯାଇଛି ।

Leave a Reply

Your email address will not be published. Required fields are marked *