ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏକ ନବଜାତ ଶିଶୁକୁ ଦେଖି ପିତାମାତା ଆଶ୍ଚର୍ଯ୍ୟ ହୋଇଗଲେ। ଶିଶୁ ଦେଖିବାକୁ ୬୦ ବର୍ଷ ବୟସ୍କ ଭଳି ଦେଖାଯାଉଥିଲା। ନବଜାତକୁ ଦେଖି ପରିବାର ସଦସ୍ୟ ଡରି ଯାଇଥିଲେ। କିନ୍ତୁ ପରେ ଜାଣିବାକୁ ପାଇଲେ ଯେ ଶିଶୁ ଏକ ଦୁଃସାଧ୍ୟ ରୋଗରେ ପୀଡିତ।
ଘଟଣା ଦକ୍ଷିଣ ଆଫ୍ରିକାର ଏକ ସହରର। ମିରର ଏକ ରିପୋର୍ଟ ଅନୁଯାୟୀ, ଇଷ୍ଟର୍ନ କ୍ୟାପର ଏକ ଛୋଟ ସହରରେ ଅଗଷ୍ଟ ୩୦ ତାରିଖରେ ଜଣେ ୨୦ ବର୍ଷୀୟ ମହିଳା ଶିଶୁ ଜନ୍ମ ଦେଇଥିଲେ। ଜଣେ ଦାଇଙ୍କ ସାହାଯ୍ୟରେ ମହିଳା ନିଜ ଘରେ ଶିଶୁ ଜନ୍ମ ଦେଇଥିଲେ। କିନ୍ତୁ ଶିଶୁ ଜନ୍ମ ହେବା ମାତ୍ରେ ତାକୁ ଦେଖି ମା’ ଓ ଦାଇ ଡରି ଯାଇଥିଲେ। ଶିଶୁର ତ୍ୱଚା ୬୦ ବର୍ଷୀୟ ବୃଦ୍ଧା ଭଳି ହୋଇଥିଲା। ଘରର ଅନ୍ୟ ସଦସ୍ୟମାନେ ଶିଶୁକୁ ଦେଖି ଚକିତ ହୋଇଗଲେ। ଘରଲୋକ ତୁରନ୍ତ ମହିଳା ଓ ଶିଶୁକୁ ନେଇ ହସ୍ପିଟାଲରେ ପହଞ୍ଚିଲେ। ହସ୍ପିଟାଲରେ ଜାଣିବାକୁ ପାଇଲେ ଯେ ଶିଶୁ ଏକ ଦୁଃସାଧ୍ୟ ରୋଗରେ ପୀଡିତ ଯାହାକୁ ପ୍ରିଜୋରିୟା କୁହାଯାଏ। ଏହା ଏକ ଦୁର୍ଲଭ ରୋଗ। ଏହି ରୋଗରେ ପୀଡିତଙ୍କ ବୟସ କେଇ ଗୁଣ ଅଧିକ ଜଣାପଡ଼ିଥାଏ।
ଏହି ରୋଗରେ ପୀଡିତ ଲୋକେ ଅଧିକ ଦିନ ଜୀବିତ ରୁହନ୍ତି ନାହିଁ। କିଛି ଦିନ ପୂର୍ବରୁ ବ୍ରିଟେନରୁ ମଧ୍ୟ ଏହିଭଳି ଏକ ମାମଲା ସାମ୍ନାକୁ ଆସିଥିଲା। ଜଣେ ୧୮ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ହୋଇଯାଇଥିଲା ଓ ଦେଖିବାକୁ ୧୪୪ ବର୍ଷ ବୟସ୍କ ଭଳି ଜଣାପଡୁଥିଲେ। ମୃତ୍ୟୁ ବେଳେ ଯୁବତୀଙ୍କ ପିତାମାତା ବି ଉପସ୍ଥିତ ଥିଲେ। ଏହି ରୋଗରେ ପୀଡିତ ଥିବାରୁ ଯୁବତୀଙ୍କ ମୁଣ୍ଡରେ ନା କେଶ ଥିଲା ନା ଦାନ୍ତ।
ଏହି ରୋଗକୁ ପ୍ରିଜୋରିୟା ସିଣ୍ଡ୍ରୋମ ଛଡା ବେଞ୍ଜାମିନ ବଟନ କଣ୍ଡିସନ ମଧ୍ୟ କୁହାଯାଏ। ଏହା ଏକ ଦୁର୍ଲଭ ସିଣ୍ଡ୍ରୋମ ଓ ଶିଶୁଙ୍କ ମଧ୍ୟରେ ଦୁଇ ବର୍ଷ ବୟସରେ ରୋଗ ସମ୍ପର୍କରେ ଜଣାପଡ଼ିଥାଏ। ସାଧାରଣତଃ ଏହି ସିଣ୍ଡ୍ରୋମରେ ପୀଡିତ ଶିଶୁଙ୍କ କେଶ ଝଡ଼ିଯାଏ, ଗ୍ରୋଥ ହୋଇନଥାଏ ଓ ଶିଶୁର ମୃତ୍ୟୁ ସମ୍ଭାବନା ଶତ ପ୍ରତିଶତ।
ଏହି ଦୁଃସାଧ୍ୟ ରୋଗକୁ ନେଇ ବିଶ୍ୱରେ ଅନେକ ରିସର୍ଚ୍ଚ ହେଉଛି। ଏହା ଉପରେ ବଲିଉଡ୍ ଓ ହଲିଉଡ୍ ଫିଲ୍ମ ମଧ୍ୟ ତିଆରି ହୋଇସାରିଛି। ହଲିଉଡ୍ ସୁପରଷ୍ଟାର ବ୍ରାଡ୍ ପିଟଙ୍କ ଫିଲ୍ମ କ୍ୟୁରିୟସ କେସ ଅଫ ବେଞ୍ଜାମିନ ବଟନ ଏହି ରୋଗ ଉପରେ ଆଧାରିତ। ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ପା’ ମଧ୍ୟ ଏହି ସିଣ୍ଡ୍ରୋମରେ ପୀଡିତ ଶିଶୁ ଉପରେ ଆଧାରିତ।
