ସମ୍ବଲପୁର : ମହାନଦୀ ଓ ଏହାର ଉପନଦୀଗୁଡ଼ିକ ଉପରେ ଛତିଶଗଡ଼ର ଅବିଚାରିତ ବନ୍ଧ, ବ୍ୟାରେଜ୍ ନିର୍ମାଣ କାରଣରୁ ବିଗତ ପ୍ରାୟ ଏକ ଦଶନ୍ଧି ହେଲା ଅଣମୌସୁମୀ ସମୟରେ ମହାନଦୀର ଜଳପ୍ରବାହ କ୍ଷୀଣ ହୋଇଛି । ତେବେ ସେହି ବନ୍ଧ ଗୁଡ଼ିକ କାର୍ଯ୍ୟକାରୀ ହୋଇ ସାରିଥିବାରୁ ମହାନଦୀର ପରିବର୍ତ୍ତିତ ସ୍ଥିତି ଯାହା ତାକୁ ଗ୍ରହଣ କରି ହିଁ ଓଡ଼ିଶାକୁ ଏବେ ନିଜର ରଣନୀତି କରିବାକୁ ହେବ । ଅଣମୌସୁମୀ ଋତୁରେ ହୀରାକୁଦରୁ ହିଁ ଓଡ଼ିଶା ପାଇଁ ମହାନଦୀର ଆରମ୍ଭ ଏହାକୁ ଗ୍ରହଣ କରି ସେହି ଅନୁଯାୟୀ ଯୋଜନା କରିବାକୁ ହେବ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି ।
ଓଡ଼ିଶା ସରକାର ବିଳମ୍ବରେ ହେଲେ ବି ଏ ଦିଗରେ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ମହାନଦୀ ସମେତ ଓଡ଼ିଶାର ସବୁ ପ୍ରମୁଖ ନଦୀ ଓ ଏହାର ଉପନଦୀ ଓ ଶାଖା ନଦୀଗୁଡ଼ିକରେ ଛୋଟବଡ଼ ବ୍ୟାରେଜ୍, ଚେକ୍ ଡ୍ୟାମ୍ ଆଦି ନିର୍ମାଣ କରି ନଦୀଶଯ୍ୟାରେ ହିଁ ପାଣିକୁ ସଂରକ୍ଷିତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ଗତ ବର୍ଷ ରୁ ୮ଟି ଏଭଳି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ସାରିଥିଲାବେଳେ ଚଳିତ ବର୍ଷ ପ୍ରାୟ ୩୦ଟି ପ୍ରକଳ୍ପ ଆରମ୍ଭ କରିବାର ଯୋଜନା ରହିଛି । ଏହି କାମ ଗୁଡ଼ିକ ଯୁଦ୍ଧକାଳୀନ ଭିତ୍ତିରେ କରି ୨ ବର୍ଷ ରୁ ୫ ବର୍ଷ ମଧ୍ୟରେ ଶେଷ କରିବାକୁ ସରକାର ଯୋଜନା ରଖିଛନ୍ତି ।
ଏସବୁ କାର୍ଯ୍ୟକାରୀ ହେଲା ପରେ ତଥା ବର୍ଷା ଋତୁରେ ସମୁଦ୍ରକୁ ବୋହି ଯାଉଥିବା ଜଳ ସଂରକ୍ଷଣ ପାଇଁ ବିଭିନ୍ନ ପଦକ୍ଷେପ ନେଲା ପରେ ହୁଏତ ଓଡ଼ିଶାର ଜଳ ସଂକଟ ଅନେକ ମାତ୍ରାରେ ହ୍ରାସ ପାଇବ । କିନ୍ତୁ ବର୍ତ୍ତମାନ ସାରା ରାଜ୍ୟ ତତଲା କଢ଼େଇରେ ଭାଜି ହେଉଥିଲାବେଳେ ଓଡ଼ିଶା ପାଖରେ ରାଜ୍ୟର ଆବଶ୍ୟକତା ଅନୁଯାୟୀ ଯେ ଯଥେଷ୍ଟ ପରିମାଣର ପାଣି ଅଛି ତାହା କେହି ଜୋର ଦେଇ କହିପାରିବେ ନାହିଁ ।
ମହାନଦୀକୁ ଜଳ ପ୍ରବାହ ସଂପର୍କରେ ହୀରାକୁଦ ମୁଖ୍ୟ ବନ୍ଧ ଓ ଉପର ବେସିନ୍ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁଙ୍କ କହିବା ହେଲା ଅଣମୌସୁମୀ ସମୟରେ ହୀରାକୁଦକୁ ଜଳପ୍ରବାହ ମୁଖ୍ୟତଃ ଉପର ମୁଣ୍ଡର ଅଦିନିଆ ବର୍ଷା ଉପରେ ନିର୍ଭର କରେ । ଚଳିତ ବର୍ଷ ମାର୍ଚ୍ଚ, ଏପ୍ରିଲ୍ରେ ପ୍ରାୟତଃ ବର୍ଷା ହୋଇ ନଥିବାରୁ ହୀରାକୁଦକୁ ଜଳପ୍ରବାହ ସାମାନ୍ୟ କମିଛି । କିନ୍ତୁ ଜଳପ୍ରବାହ କମ୍, ବେଶୀ ହେଲେ ବି ସଂପୂର୍ଣ୍ଣ ବନ୍ଦ ହୋଇ ନଥାଏ । ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ଜଳସ୍ତର ସନ୍ତୋଷଜନକ ରହିଛି ଓ ଯୋଜନା ଅନୁଯାୟୀ ଜଳବ୍ୟୟ କରାଯାଉଛି ।
ମୌସୁମୀ ଆସିବା ପର୍ଯ୍ୟନ୍ତ କେଉଁ କାମ ପାଣି ହୀରାକୁଦରୁ କେତେ ପାଣି ଛଡ଼ାଯିବ ସେନେଇ ସାରଣୀ ପ୍ରସ୍ତୁତ କରାଯାଇଛି ଓ ସେହି ଅନୁଯାୟୀ ପାଣି ଛଡ଼ା ଯାଉଛି । ତେଣୁ କୌଣସି ସମସ୍ୟା ଉପୁଜିବା ଆଶଂକା ନାହିଁ । ମେ’ ୫ରେ ଏକ ଲଘୁଚାପ ଆସିବା ନେଇ ପାଣିପାଗ ବିଭାଗ ଆକଳନ କରିଛି ଯଦି ସେହି ଲଘୁଚାପରୁ ହୀରାକୁଦକୁ କିଛି ପାଣି ମିଳେ ତା’ହେଲେ ଜଳ ପରିଚାଳନା ଆହୁରି ସହଜ ହୋଇଯିବ ବୋଲି ଶ୍ରୀ ସାହୁ କହିଛନ୍ତି ।
ହୀରାକୁଦ ଜଳଭଣ୍ଡାରରୁ ଛଡ଼ା ଯାଉଥିବା କେନାଲ୍ ପାଣିରେ ହୀରାକୁଦ କ୍ୟାଚ୍ମେଣ୍ଟ ଅଞ୍ଚଳରେ ଥିବା ବରଗଡ଼, ସୋନପୁର ଓ ସମ୍ବଲପୁର ଜିଲ୍ଲାର ୧ ଲକ୍ଷ ୫୯ ହଜାର ହେକ୍ଟର ଜମିରେ ରବି ଚାଷ ହୋଇଥାଏ । ଖରିଫ୍ ଚାଷ ପାଇଁ ହୀରାକୁଦ କ୍ୟାଚ୍ମେଣ୍ଟ ପରିସର ଅଧିକ ହୋଇଥିଲାବେଳେ ରବି ପାଇଁ ଏହା ସେହି ୧.୬ ଲକ୍ଷ ହେକ୍ଟରରେ ସୀମିତ । ସାଧାରଣତଃ ଖରିଫ୍ ପାଇଁ ଏପ୍ରିଲ୍ ୩୦ ଯାଏ କେନାଲ୍ରେ ପାଣି ଛଡ଼ା ଯାଇଥାଏ । କିନ୍ତୁ ଚାଷୀଙ୍କ ଅନୁରୋଧ କାରଣରୁ ଏଥର ଆଉ ୫ ରୁ ୧୦ ଦିନ ଅଧିକ କେନାଲ୍ରେ ପାଣି ଛଡ଼ାଯିବ ।
ବର୍ତ୍ତମାନ ଖରାଦିନେ ବିଦ୍ୟୁତ୍ ଚାହିଦା ବୃଦ୍ଧି ଓ କୋଇଲା ସଂକଟକୁ ଆଖିରେ ରଖି ରାଜ୍ୟ ସରକାର ଜଳବିଦ୍ୟୁତ୍ ଉତ୍ପାଦନ ବୃଦ୍ଧି ଉପରେ ଯୋର ଦେଉଛନ୍ତି । ହୀରାକୁଦ ବନ୍ଧର ପାଣିରେ ଦୁଇଟି ଜଳ ବିଦ୍ୟୁତ୍ କେନ୍ଦ୍ର ବୁର୍ଲା ଓ ଚିପିଲିମା ପରିଚାଳିତ ହେଉଥିଲାବେଳେ ଅଣମୌସୁମୀ ସମୟରେ ପ୍ରାୟତଃ ୪୦% ରୁ ୫୦% କ୍ଷମତାରେ ବିଦ୍ୟୁତ୍ ଉତ୍ପାଦନ ହୋଇଥାଏ । କେନାଲ୍ ବନ୍ଦ ହେଲା ପରେ ସେହି ଜଳକୁ ଜଳବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବହାର କରାଯାଇ ପାରିବ ଜଳ ବିଦ୍ୟୁତ୍ ଉତ୍ପାଦନ ଅବ୍ୟାହତ ରହିବ ବୋଲି ଶ୍ରୀ ସାହୁ ଆଶାବ୍ୟକ୍ତ କରିଛନ୍ତି । ସେହିପରି ଅନେକ ସମୟରେ ମୌସୁମୀ ଆସିବାରେ ବିଳମ୍ବ ହେଉଥିବାରୁ ତଳି ପକାଇବା ପାଇଁ ବି ହୀରାକୁଦ କ୍ୟାଚ୍ମେଣ୍ଟର ଚାଷୀ କେନାଲ୍ ପାଣି ଉପରେ ନିର୍ଭର କରିଥାଆନ୍ତି । ସେଥି ପାଇଁ ବି ପାରି ସଂରକ୍ଷିତ ରହିବ ବୋଲି ଶ୍ରୀ ସାହୁ କହିଛନ୍ତି ।
