ବରଗଡ଼ : ଜାଲ୍ ଜାତିଗତ ପ୍ରମାଣପତ୍ରରେ ଚାକିରି ଅଭିଯୋଗକୁ ନେଇ ଆଜି କ୍ରାଇମବ୍ରାଞ୍ଚ ଖୋଳତାଡ଼ ଆରମ୍ଭ କରିବାପରେ ଅଡ଼ୁଆରେ ପଡ଼ିଛନ୍ତି କ୍ରାଇମବ୍ରାଞ୍ଚ ଡିଏସ୍ପି ରମେଶଚନ୍ଦ୍ର ଦୋରା । କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍ପିଙ୍କ ସହିତ ଦୁଇଜଣିଆ ଟିମ୍ ବରଗଡ଼ ତହସିଲ ଅଫିସ୍ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି ।
ଶ୍ରୀଦୋରାଙ୍କ ବିରୋଧରେ ଜାଲ୍ ଜାତିଗତ ପ୍ରମାଣପତ୍ରରେ ଚାକିରି କରୁଥିବା ନେଇ ଅଭିଯୋଗ ହୋଇଥିଲା । ତାଙ୍କର ମୂଳ ଜାତି ତେଲେଙ୍ଗା, ଯାହାକି ଓବିସି/ଏସ୍ଇବିସି ବର୍ଗରେ ଆସୁଛି । ହେଲେ, ସେ ଚାକିରି ସମୟରେ ଦାଖଲ କରିଥିବା ଜାତିଗତ ପ୍ରମାଣପତ୍ରରେ ତାଙ୍କ ଜାତି ‘କଣ୍ଡଦୋରା’ ଦର୍ଶାଯାଇଛି । ‘କଣ୍ଡଦୋରା’ ଅନୁସୂଚିତ ଜନଜାତି ବର୍ଗରେ ଯାଉଛି । ଶ୍ରୀ ଦୋରା ସମ୍ବଲପୁର ଟାଉନ୍ ଥାନା ଅଧିକାରୀ ଭାବେ କାର୍ଯ୍ୟରତ ଥିବାବେଳେ ୨୦୨୧ ଫେବ୍ରୁଆରି ମାସରେ ଏନେଇ ହାଇକୋର୍ଟରେ ଏକ ମାମଲା ହୋଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସମ୍ବଲପୁର ଏସ୍ପି ଏହା ଉପରେ ତଦନ୍ତ କରିବାକୁ ସମ୍ବଲପୁରର ତତ୍କାଳୀନ ଅତିରିକ୍ତ ଏସ୍ପି ଅମରେଶ ପଣ୍ଡା (ବର୍ତ୍ତମାନର ସୁବର୍ଣ୍ଣପୁର ଏସ୍ପି)ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀ ପଣ୍ଡା ତଦନ୍ତ କରି ଶ୍ରୀ ଦୋରାଙ୍କୁ କ୍ଲିନ୍ଚିଟ୍ ଦେଇଥିଲେ । ଏହା ଭିତରେ ଶ୍ରୀ ଦୋରା ପଦୋନ୍ନତି ପାଇ କ୍ରାଇମ୍ବ୍ରାଞ୍ଚ ଡିଏସ୍ପି ଭାବେ ଅବସ୍ଥାପିତ ହୋଇଛନ୍ତି ।
କିନ୍ତୁ, ଶ୍ରୀ ପଣ୍ଡାଙ୍କ ରିପୋର୍ଟରେ ଅସନ୍ତୁଷ୍ଟ ପ୍ରକାଶ କରିବା ସହିତ ମାମଲାର ମୂଳ ଅଭିଯୋଗକାରୀ ଆଇନଜୀବୀ ସୁରେନ୍ଦ୍ର ମହାପାତ୍ର ସୂଚନା ଅଧିକାର ଆଇନ୍ ଓ ଅନ୍ୟାନ୍ୟ ସୂତ୍ରରୁ ଶ୍ରୀ ଦୋରାଙ୍କ ଅସଲ ଜାତିନେଇ ପ୍ରମାଣ ଯୋଗାଡ଼ କରିଥିଲେ । ବରଗଡ଼ ସହର ନିବାସୀ ଶ୍ରୀ ଦୋରା ସ୍ଥାନୀୟ ରଙ୍ଗପଡ଼ା ୟୁପି ସ୍କୁଲ୍ରେ ପାଠ ପଢ଼ିଛନ୍ତି ଏବଂ ବିଇଓ ବରଗଡ଼ ଦେଇଥିବା ତଥ୍ୟ ଅନୁସାରେ ସ୍କୁଲ୍ ରେଜିଷ୍ଟର୍ରେ ତାଙ୍କ ଜାତି ‘ତେଲେଙ୍ଗା’ ବୋଲି ଉଲ୍ଲେଖ ରହିଛି । ସେହିଭଳି, ତଦନ୍ତ ଅଧିକାରୀ ଶ୍ରୀପଣ୍ଡା ରିପୋର୍ଟରେ ୧୪.୧୧.୧୯୯୪ ରେ ବରଗଡ଼ ତହସିଲଦାର ଜାରିକରିଥିବା ପ୍ରମାଣପତ୍ରରେ ତାଙ୍କ ଜାତି କଣ୍ଡଦୋରା ବୋଲି ଉଲ୍ଲେଖ ଥିବା ଦର୍ଶାଇଥିଲେ । ତେବେ, ଶ୍ରୀ ମହାପାତ୍ରଙ୍କୁ ସୂଚନା ଆଇନ୍ରେ ମିଳିଥିବା ତଥ୍ୟ ଅନୁଯାୟୀ ବରଗଡ଼ ତହସିଲ୍ କାର୍ଯ୍ୟାଳୟ ପକ୍ଷରୁ ଶ୍ରୀଦୋରାଙ୍କ ନାଁରେ କୌଣସି ଜାତିଗତ ପ୍ରମାଣପତ୍ର ଜାରି କରାଯାଇଥିବା ନେଇ ରେକର୍ଡ ମହଜୁଦ ନାହିଁ । କେବଳ ସେତିକି ନୁହେଁ; ସମ୍ବଲପୁର ଏସ୍ପି କାର୍ଯ୍ୟାଳୟ ବା ତଦନ୍ତକାରୀ ଅଧିକାରୀ ଶ୍ରୀପଣ୍ଡାଙ୍କ ତରଫରୁ ଜାତିଗତ ପ୍ରମାଣପତ୍ର ସଂପର୍କରେ କୌଣସି ତଥ୍ୟ ମଗାଯାଇ ନାହିଁ ବା ତହସିଲ କାର୍ଯ୍ୟାଳୟରେ କୌଣସି ଯାଞ୍ଚ କରାଯାଇନଥିବା ଆର୍ଟିଆଇରେ ସୂଚନା ଦିଆଯାଇଛି ।
ପୁଲିସ୍ ଚାକିରି ପାଇଁ ବ୍ୟବହାର କରିଥିବା ଜାତିଗତ ପ୍ରମାଣପତ୍ରକୁ ପ୍ରଦାନକାରୀ ଅଧିକାରୀଭାବେ ବରଗଡ଼ ତହସିଲଦାର ଅସ୍ବୀକାର କରିବା ଫଳରେ ଶ୍ରୀଦୋରାଙ୍କ ଅଡ଼ୁଆ ବଢ଼ିଯାଇଛି । ସେହିପରି, ଉପରଠାଉରିଆ ତଦନ୍ତ ନେଇ ସୁବର୍ଣ୍ଣପୁର ଏସ୍ପି ଶ୍ରୀ ପଣ୍ଡାଙ୍କ ଉପରେ ମଧ୍ୟ ଆଙ୍ଗୁଳି ଉଠାଇଛନ୍ତି ଅଭିଯୋଗକାରୀ । ସେ ଏନେଇ ଗତ ମେ ମାସରେ ସିଆଇଡି କ୍ରାଇମ୍ବ୍ରାଞ୍ଚ ନିକଟରେ ନିଜ ବୟାନ ଲିପିବଦ୍ଧ କରାଇଥିଲେ । କ୍ରାଇମ୍ବ୍ରାଞ୍ଚକୁ ମଧ୍ୟ ଏହାର ପ୍ରମାଣସ୍ବରୂପ ସମସ୍ତ କାଗଜପତ୍ର ପ୍ରଦାନ କରିଥିଲେ । ଏହାପରେ କ୍ରାଇମ୍ବ୍ରାଞ୍ଚର ଅତିରିକ୍ତ ଏସ୍ପି ଡିବି ମିଶ୍ରଙ୍କ ନେତୃତ୍ବରେ ୨ ଜଣିଆ ଟିମ୍ ବୁଧବାର ଠାରୁ ବରଗଡ଼ ଆସି ୨ ଦିନ ଧରି ଅଭିଯୋଗର ତଦନ୍ତ କରିବା ପରେ କଟକ ଫେରି ଯାଇଛନ୍ତି । ସେମାନେ ବରଗଡ଼ ତହସିଲ୍ଦାରଙ୍କୁ ପଚରାଉଚରା ସହ କାଗଜପତ୍ର ନେଇଥିବା ସୂଚନା ମିଳିଛି ।
