ବ୍ରହ୍ମଗିରି : ଚିଲିକାରେ ସୁରକ୍ଷିତ ଜଳଯାତ୍ରା ପାଇଁ ରହିଛି ଭସାପୋଲ । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏହାର ଦାୟିତ୍ବରେ ରହିଛନ୍ତି । କିନ୍ତୁ ଏବେ ମାସକୁ ଦୁଇରୁ ତିନି ଥର ଯାତ୍ରୀ ଓ ଗାଡ଼ି ସହିତ ମଝି ଚିଲିକାରେ ଭସାପୋଲ ଅଟକୁଛି । ଦିନ ଦିନ ଓ ରାତି ରାତି ଭସାପୋଲ ମଝି ଚିଲିକାରେ ଫସିରହୁଛି । ଏପଟେ ଅତ୍ୟନ୍ତ ବିପଦସଂକୁଳ ଅବସ୍ଥାରେ ଚିଲିକାରେ ଚାଲିଛି ଯାତ୍ରୀ ପରିବହନ । ଯାତ୍ରୀଙ୍କ ଜୀବନକୁ ଚିଲିକାରେ ବାଜି ଲାଗିଛି ।
ନିକଟରେ କାଳିଜାଈଙ୍କ ପୀଠରୁ ଯାତ୍ରୀଙ୍କ ସହିତ ଡଙ୍ଗା ଆସୁଥିବା ବେଳେ ବଡ଼ଅଘଟଣ ଘଟିଥିଲା । ଏଥିରେ ଜଣଙ୍କ ଜୀବନ ଯାଇଥିଲା । ଏହା ପୂର୍ବରୁ ବଣଭୋଜି କରି ଚିଲିକାରୁ ଫେରିବା ବେଳେ ମଝି ଚିଲିକାରେ ଡଙ୍ଗା ବୁଡ଼ି ଜୀବନ ଯାଇଥିଲା । କାଳିଜାଈ ଫେରିବା ବେଳେ ଡଙ୍ଗା ଦୁର୍ଘଟଣା ପରେ ସାତପଡ଼ା ଠାରେ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ୍ ପ୍ରଶାସନ ଓ ମୋଟର ବୋଟ୍ ସଂଘ ସହିତ ଡଙ୍ଗାଚାଳକଙ୍କ ମିଳିତ ବୈଠକରେ ସାତପଡ଼ା ଠାରୁ ଜହ୍ନିକୁଦା ଘାଟକୁ ସୁରକ୍ଷିତ ଯାତ୍ରୀ ପରିବହନ ଉପରେ ଗୁରୁତ୍ବ ଦିଆଯାଇଥିଲା । ପ୍ରଶାସନର କଡା ନିର୍ଦ୍ଦେଶ ଥିଲା ଡଙ୍ଗାରେ କ୍ଷମତା ଠାରୁ ଅଧିକ ଯାତ୍ରୀ ପରିବହନ ହେବ ନାହିଁ । ସବୁ ଡଙ୍ଗାରେ ଯାତ୍ରୀମାନେ ଲାଇଫ୍ ଜ୍ୟାକେଟ୍ ପିନ୍ଧିବେ । ଯାତ୍ରୀ ପରିବହନ କରୁଥିବା ଡଙ୍ଗା ପଞ୍ଜୀକରଣ ହେବ । ସବୁ ଡଙ୍ଗାରେ ୱାକିଟକି ରହିବ । ଏମିତି କେତେ କଣ ନିର୍ଦ୍ଦେଶନାମା ଜାରି ହୋଇଥିଲା । ବୈଠକ ପର ଦିନଠାରୁ ସବୁ ଯେମିତି ଚିଲିକା ପାଣିରେ ମିଳେଇ ଗଲା । କ୍ଷମତା ଠାରୁ ଅଧିକ ଯାତ୍ରୀ ପରିବହନ ଚାଲିଲା । କେହି ବି ଲାଇଫ୍ ଜ୍ୟାକେଟ୍ ପିନ୍ଧିଲେ ନାହିଁ । ସବୁକିଛି ପୁରୁଣା ଢାଞ୍ଚାରେ ଚାଲିଲା ।
ଗତକାଲି ଭସାପୋଲ ମଝି ଚିଲିକାରେ ଯାତ୍ରୀଙ୍କ ସହିତ ଅଟକିବା ପରେ ସାତପଡ଼ା ଘାଟରୁ ଯାତ୍ରୀଙ୍କ ସହିତ ଚାରି ଚକିଆ ଯାନ ଲଦା ହୋଇ ଅତ୍ୟନ୍ତ ବିପଦସଂକୁଳ ଅବସ୍ଥାରେ ଚିଲିକା ପାରି ହେଉଥିବା ଦେଖିବାକୁ ମିଳିଛି । ୩୦ ରୁ ଅଧିକ ଯାତ୍ରୀ, ୧୦ ରୁ ଅଧିକ ବାଇକ୍ ଏବଂ ଚାରିଚକିଆ ଗାଡ଼ି ଅଥଳ ଚିଲିକାରେ ଦୀର୍ଘ ୫ କିଲୋମିଟର ପାରି ହେଉଥିବା ଦେଖିବାକୁ ମିଳିଛି । ସବୁକିଛି ପ୍ରଶାସନର ନାକ ତଳେ ଚାଲିଛି । ନା ଅଛି କଟକଣା ନା କାର୍ଯ୍ୟାନୁଷ୍ଠାନ । ସବୁଜାଣି ଶୁଣି ପ୍ରଶାସନ ଚୁପ ବସିଛି । ଆଉ ଚାରି ଚକିଆ ଗାଡ଼ି ନେଇ ଡଙ୍ଗାରେ ଯାଉଥିବା ବ୍ୟକ୍ତିଙ୍କ ଯୁକ୍ତି ହେଉଛି ଭସାପୋଲକୁ ଆଉ ଭରସା ପାଉନି । ମଝି ଚିଲିକାରେ ଅଟକୁଛି । ବରଂ ତା’ ଠାରୁ ଭଲ ଡଙ୍ଗାରେ ଗାଡ଼ି ପରିବହନ କରିବା । ଏଭଳି ସ୍ଥିତିରେ ଚିଲିକାରେ ଯାତ୍ରୀଙ୍କ ଜୀବନ ବାଜିରେ ଲାଗିଛି । ପ୍ରକାଶ ଯୋଗ୍ୟ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍କୁ ଏକମାତ୍ର ଯାତାୟାତର ମାଧ୍ୟମ ହେଉଛି ଜଳପଥ । ସାତପଡ଼ା ଘାଟରୁ ଜହ୍ନିକୁଦା ଘାଟ ପାରି ହେବାକୁ ୫ କିଲୋମିଟର ଜଳପଥ ରହିଛି । ଏବେ ଯେଉଁଭଳି ଚିଲିକାରେ ଯାତ୍ରୀ ପରିବହନ ଚାଲିଛି ଜୀବନ ଚାଲିଯିବାର ଆଶଙ୍କା ଅଧିକ ରହିଥିବା ବୁଦ୍ଧିଜୀବୀ କହିଛନ୍ତି ।
