ଏସ୍‌ପି ଅଫିସ୍‌ ସମ୍ମୁଖରେ ଦେହରେ ନିଆଁ ଲଗାଇ ଆତ୍ମହୁତି ଉଦ୍ୟମ କରିଥିବା ଯୁବକ ମୃତ

ଗଞ୍ଜାମ : ଆତ୍ମହୁତି ଉଦ୍ୟମ କରିଥିବା ଯୁବକ ମୃତ । ଗତକାଲି ଗଞ୍ଜାମ ଏସ୍‌ପି ଅଫିସ ଆଗରେ ନିଆଁ ଲଗାଇ ଯୁବକ ଜଣଙ୍କ ଆତ୍ମହୁତି ଉଦ୍ୟମ କରିଥିଲେ । ଭୁବନେଶ୍ବରର ଏକ ଘରୋଇ  ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଗତକାଲି ସନ୍ଧ୍ୟା ସମୟରେ ନ୍ୟାୟ ନ ପାଇବାରୁ ଗଞ୍ଜାମ ଏସ୍ପିଙ୍କ କାର୍ଯ୍ୟଳୟ ଆଗରେ ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇଦେଇଥିଲେ ଯୁବକ ଜଣଙ୍କ ।

ମୃତ ଯୁବକ ଜଣଙ୍କ ହେଉଛି ଗଞ୍ଜାମ ରମ୍ଭା ଥାନା ଅନ୍ତର୍ଗତ ବୋରି ଗାଁର ବାଦଲ ସାହୁ । ତେବେ ସେ କାହିଁକି ଏମିତି ଚରମ ପଦକ୍ଷେପ ନେଲେ, ତାହା ଜଣାପଡ଼ି ନାହିଁ । ସେ ଏସ୍‌ପିଙ୍କୁ ଭେଟି ନଥିଲେ କି ତାଙ୍କ ସମସ୍ୟା ବିଷୟରେ କହି ନଥିଲେ । ସେ ଘରେ କାହାକୁ ନ କହି ବାଇକ୍‌ରେ ଛତ୍ରପୁର ଆସିଥିଲେ ।

ସେଠାରେ ଅପରାହ୍ଣରେ ଏସ୍‌ପି ଅଫିସ୍ ସମ୍ମୁଖରେ ମୁଖ୍ୟ ରାସ୍ତାରେ ହଠାତ୍ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଏସ୍‌ପି ଅଫିସ୍‌ର କିଛି କର୍ମଚାରୀ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ତେବେ ସେତେବେଳକୁ ତାଙ୍କ ଶରୀରର ସବୁ ଅଂଶ ପୋଡ଼ି ସାରିଥିଲା ।

ତାଙ୍କୁ ଉଦ୍ଧାର କରି ପ୍ରଥମେ ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ନିଆଯାଇଥିଲା । ସେଠାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ସୂଚନାମୁତାବକ, ୧୨ ବର୍ଷ ହେଲା ଗାଁରୁ ବାସନ୍ଦ ଥିଲେ ବାଦଲ ।

Leave a Reply

Your email address will not be published. Required fields are marked *