କୋରାପୁଟ : କୋରାପୁଟ ଜିଲ୍ଲାରେ ବିଗିଡିଛି ଆଇନଶୃଙ୍ଖଳା ପରିସ୍ଥିତି । ଖାସ କରି ପରବ ହେଲେ ଗାଁରେ ଦେଖିବାକୁ ମିଳେ ଖୁସିର ମାହୋଲ ଆସେ । ଘରେ ଘରେ ଭୋଜିଭାତ ସହ ଗାଁ ଦାଣ୍ଡରେ ଗ୍ରାମ ଦେବତୀଙ୍କ ଆଗମନ ହୁଏ । ହେଲେ ଚଳିତବର୍ଷ ଏହି ପରବ ଆଣିଛି କୋରାପୁଟିଆଙ୍କ ପାଇଁ ଦୁଃଖ । ଗାଁରେ ଭାଷୁଛି ଅତ୍ୟାଧିକ ଦେଶୀ ଓ ବିଦେଶୀ ମଦ । ଏହି ମଦ ଆଣିଛି ଖାଲି ଯେ ଦୁଃଖ ତାହା ନୁହେଁ, ଉଜାଡି ଦେଇଛି ପରିବାର । ଗତ ସପ୍ତାହକ ମଧ୍ୟରେ କୋରାପୁଟ ଉପଖଣ୍ଡରେ ୬ଟି ହତ୍ୟାକାଣ୍ଡ ସଂଙ୍ଗଠିତ ହୋଇଛି। ଏଥିରେ ମହିଳା, କିଶୋର ଓ ଯୁବକ ରହିଛନ୍ତି । ୭ଟି ହତ୍ୟାକାଣ୍ଡରୁ ଗୋଟିଏରେ କେବଳ ମୋବାଇଲକୁ ନେଇ ହୋଇଥିବାବେଳେ ଅନ୍ୟ ସବୁ ହତ୍ୟାକାଣ୍ଡ ପଛରେ ରହିଛି ଉଭୟ ଦେଶୀ ଓ ବିଦେଶୀ ମଦ । କୋରାପୁଟ ସଦରଥାନା ଅଧୀନରେ ଦୁଇଟି ହତ୍ୟାକାଣ୍ଡ, କୋରାପୁଟ ଟାଉନ ଥାନା ଅଧୀନରେ ଦୁଇଟି ହତ୍ୟାକାଣ୍ଡ, ପଟାଙ୍ଗୀ ଓ ନନ୍ଦପୁରରେ ଗୋଟିଏ ଲେଖାଏଁ ହତ୍ୟାକାଣ୍ଡ ସଂଗଠିତ ହୋଇଛି ।
ସପ୍ତାହର ପ୍ରଥମ ଦିନରେ ହିଁ କୋରାପୁଟ ସଦର ଥାନା ଏକଟାଗୁଡା କାଜୁ ଜଙ୍ଗଲ ଗଳିତ ଶବ ଉଦ୍ଧାର କରାଯାଇଥିଲା । ମିଳିଥିଲା ଖପୁରି ସହ ହାଡକଙ୍କାଳ । ଏହାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବାବେଳେ କୂଳକିନାରା ପାଉନଥିବା ଜଣାପଡିଛି । ସେହିପରି ତିନିଦିନ ତଳେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ପୋଡାଗଡ ଅନ୍ତର୍ଗତ ଲୁକୁମାରି ଗାଁରେ ମଦ ନିଶାରେ ଚୁର ହୋଇ ୩ ବର୍ଷ ପୁଅର ଚିନୁର ଗଣ୍ଡିମୁଣ୍ଡ ଅଲଗା କରିଦେଇଥିଲା ମା ଫୁଲମତୀ ମୁଦୁଲି । ପୁଲିସ ହତ୍ୟାରେ ବ୍ୟବହୃତ ହୋଇଥିବା କାତି ଓ ନାଲି ଶାଢିକୁ ଜବତ କରିଥିବା ଜଣାପଡିଛି । ଏହାସହ ଫୁଲମତୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ପରବ ସମୟରେ ଗାଁରେ ଭୋଜିଭାତ ଚାଲିଥିବାବେଳେ ଏହି କାଣ୍ଡ ଘଟିଥିଲା ।
ସେହିପରି କୋରାପୁଟ ସହର ଭୂଦାନ କଲୋନୀରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଥିଲା । ମଦ୍ୟପ ସ୍ୱାମୀ ଜାମା ମାଝି(୩୮) ଶାବଳ ମାଡରେ ପିଙ୍କି ଓରଫ ସୁନୀତା ମାଝି(୩୩) ସ୍ତ୍ରୀର ଘଟିଛି ମୃତ୍ୟୁ ଘଟିଥିା । ଅତ୍ୟଧିକ ମଦ୍ୟପାନ ଯୋଗୁଁ ଏହି ହତ୍ୟାକାଣ୍ତ ହୋଇଥିବା ପୁଲିସ କହିଛି । ଗତକାଲି କୋରାପୁଟ ଟାଉନ ଥାନା ଅନ୍ତର୍ଗତ ମସିପୁଟ ଗ୍ରାମରେ ମୋବାଇଲରେ ଫ୍ରି-ଫାୟାର ଖେଳକୁ ନେଇ ଜଣେ ନାବାଳକ ସାଙ୍ଗଙ୍କୁ ହତ୍ୟା କରିଛନ୍ତି ଦୁଇ ସାଙ୍ଗ । ମୃତକ ଜଣକ ହେଲେ ଗାଁର ପିତବାସ ଭୋଇଙ୍କ ପୁଅ ଲୁଲୁ ଭୋଇ(୧୨) । ପୁଲିସ ଲକି ମାଳି(୧୮)ଙ୍କୁ କୋର୍ଟ ଚାଲାଣ କରିଥିବାବେଳେ ଅନ୍ୟ ଜଣେ ନାବାଳକଙ୍କୁ ଜୁଭନୋଇଲ କୋର୍ଡରେ ଉପସ୍ଥାପନ କରିଛି । ସେହିପରି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅଧିନସ୍ଥ ପାଡୁଆ ଥାନା ଗୋଲୁର ଗ୍ରାମ ପଂଚାୟତ ଅନ୍ତର୍ଗତ ଗାଦିଆଗୁମା ଗ୍ରାମରେ ଚାଲିଥିଲା ପରବ ।
ତିନିଦିନିଆ ପରବରେ ଗାଁରେ ଭୋଜିଭାତ ଚାଲିଥିବାବେଳେ ନିକଟ ଏକ ବର ଗଛରେ ପରଜାବଡ଼ପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତାଟିପୁଟ ଗ୍ରାମର ୧୮ ବର୍ଷୀୟ ଯୁବକ କାମେଶ ବଡ଼ନାୟକଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ଯୁବକଙ୍କ ଘର ପରଜାବଡ଼ପଡା ଗ୍ରାମ ପଂଚାୟତର ତାଟିପୁଟ ହୋଇଥିବା ବେଳେ ଗୋଲୁର ଗ୍ରାମ ପଂଚାୟତର ଗାଦିଆଗୁମା ଗ୍ରାମ ନିକଟ ବରଗଛରେ କାମେଶ ବଡ଼ନାୟକଙ୍କ ଶବ ସନ୍ଦେହ ଜନକ ଭାବେ କାହିଁକି ଝୁଲୁଲା ତାହାର ତଦନ୍ତ କରୁଛି ନନ୍ଦପୁର ପୁଲିସ ।
କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ସୁଙ୍କି ଗ୍ରାମପଞ୍ଚାୟତର ଗାଉଡ଼ଗୁଡା ଗ୍ରାମରେ ନିଶାସକ୍ତ ଅବସ୍ଥାରେ ଘରକୁ ଅପରାହ୍ନ ପ୍ରାୟ ଚାରିଟା ସମୟରେ ନିଜ ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ । ଏହାପରେ ନିଜେ ଦୌଡ଼ି ଦୌଡ଼ି ସୁଙ୍କି ଥାନାରେ ଯାଇ ଆତ୍ମସମର୍ପଣ କରିବା ସହିତ ଦୋଷ ସ୍ୱୀକାର କରିଥିଲା ।
କରୋନା ଯୋଗୁାଁ ଗତ ଦୁଇ ବର୍ଷ ହେଲା ଚଇତି ପରବ ବନ୍ଦ ରହିଥିଲା । ଚଳିତ ବର୍ଷ ସରକାରଙ୍କ ପକ୍ଷରୁ କୌଣସି କଟକଣା ନ ଥିବାରୁ ଗାଁ ଗାଁରେ ଚାଲିଛି ପରବ । ଭୋଜି ଭାତ ସହ କୁଟୁମ୍ବଙ୍କ ସହ ଚାଲୁଛି ମଦର ଆସର । ଅତ୍ୟଧିକ ମଦ ଯୋଗୁଁ ଉଜୁଡୁଛି ଆଦିବାସୀଙ୍କ ସଂସାର । ଆଉ ଏହାକୁ ଦେଖି ପୁଲିସ ଓ ଅବକାରୀ ବିଭାଗ ଚୁପ ରହିଥିବା ଦେଖିବାକୁ ମିଳିଛି ।
