ଭୁବନେଶ୍ୱର : ରାଜଧାନୀରୁ ମିଳିଥିବା କଙ୍କାଳ ଖପୁରି କାହାର ? ମିଳିଥିବା କଙ୍କାଳ ପୁରୁଷର ନା ମହିଳାର ? ଗତ ବୁଧବାର ମଞ୍ଚେଶ୍ବର ଥାନା ଅନ୍ତର୍ଗତ ଇଞ୍ଜଣା-ପଟିଆ ଷ୍ଟେସନ ରାସ୍ତାର କେନାଲ ପୋଲ ତଳୁ ଉଦ୍ଧାର ହୋଇଥିବା ୧୦ ରୁ ଊର୍ଦ୍ଧ୍ବ ଖପୁରି ଓ କଙ୍କାଳ ଏବେବି ରହସ୍ୟଘେରରେ ରହିଛି । ଏହି କଙ୍କାଳଗୁଡ଼ିକ କେଉଁଠାରୁ ଆସିଲା, କିଏ ସେଠାରେ ପକାଇଲା, ଏହା କୌଣସି ଅପରାଧର ପୃଷ୍ଠଭୂମି ସହ ଜଡ଼ିତ ନୁହେଁ ତ ? ଏଭଳି ଅସମାହିତ ପ୍ରଶ୍ନର ଉତ୍ତର ରାଜଧାନୀବାସୀ ଖୋଜୁଥିବା ବେଳେ, ପୁଲିସ ଏ ଦିଗରେ ତଦନ୍ତ କରୁଛି, ଖୁବ୍ଶୀଘ୍ର ଏହାର ସତ୍ୟତା ପଦାକୁ ଆସିବ ବୋଲି ପୁଲିସ ପ୍ରଶାସନ ତରଫରୁ କୁହାଯାଇଛି ।
ମାର୍ଚ୍ଚ ୨୩ ରେ କଙ୍କାଳ ବାବଦରେ ମଞ୍ଚେଶ୍ବର ପୁଲିସକୁ ଖବର ମିଳିବା ମାତ୍ରେ ପୁଲିସ ଅଧିକାରୀ ଓ ସାଇଣ୍ଟିଫିକ୍ ଦଳ ଘଟଣାସ୍ଥଳରେ ପହଞ୍ଚି ନରକଙ୍କାଳ ଜବତ କରି ଅଧିକ ତଦନ୍ତ ପାଇଁ ରସୁଲଗଡ଼ସ୍ଥିତ ଫରେନସିକ ଲାବ୍କୁ ପଠାଇଥିଲେ । ପୁଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଅତି କମ୍ରେ ଏଗୁଡ଼ିକ ୧୦ ରୁ ୧୫ ବର୍ଷ ତଳର । ଉଦ୍ଧାର ଖପୁରି ଓ ନରକଙ୍କାଳ ବହୁତ ପୁରୁଣା ହୋଇଥିବାରୁ ଅଧିକ ପରୀକ୍ଷା ପାଇଁ ଭୁବନେଶ୍ବର ଏମ୍ସ ପରୀକ୍ଷାଗାରକୁ ପଠାଯାଇଛି । କଙ୍କାଳ କେଉଁ ଜାଗାର ଜାଣିବା ପାଇଁ ହାଡ଼ରେ ଲାଗିଥିବା ମାଟିର ପରୀକ୍ଷା କରାଯିବ । କଙ୍କାଳର ବୟସ ମଧ୍ୟ ରିପୋର୍ଟରୁ ଜଣାପଡ଼ିବ । କଙ୍କାଳ ବିଷୟରେ ସମସ୍ତ ସଠିକ୍ ତଥ୍ୟ ଜାଣିବାକୁ ଅଧିକରୁ ଅଧିକ ତଦନ୍ତ ସହ ସମସ୍ତପ୍ରକାର ସାଇଣ୍ଟିଫିକ୍ ଟେଷ୍ଟ କରାଯାଉଥିବା ବେଳେ ଏମ୍ସର ତଥ୍ୟ ପରେ ହିଁ କଙ୍କାଳ କାହାର ସ୍ପଷ୍ଟ ହୋଇପାରିବ ।
ଏଣୁ ଆମକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ପୁଲିସ ଉପାୟୁକ୍ତ ଡ. ଉମାଶଙ୍କର ଦାଶ । ସେପଟେ ଘଟଣାକୁ ନେଇ ଦୁଇଟି ଦିଗ ସାମ୍ନାକୁ ଆସିଛି । ଗୋଟିଏ ହେଉଛି ମେଡିକାଲ କଲେଜର ଅଭ୍ୟାସ ପାଇଁ ଏପରି ମଣିଷ ଖପୁରି ହାଡ଼ ବ୍ୟବହାର କରାଯାଇପାରେ କିମ୍ବା ଯଦି କେହି ଗୁଣିଆ ବା ତନ୍ତ୍ର ସାଧନା କରନ୍ତି ତା ହେଲେ ଏପରି ହତ୍ୟା କରିଥାଇପାରନ୍ତି । କେହି ବ୍ୟକ୍ତି ଏକକାଳୀନ ପକାଇ ଦେଇଥାଇ ପାରନ୍ତି କିମ୍ବା ଶ୍ମଶାନ ସ୍ଥାନରେ ଗୃହ ନିର୍ମାଣ ସମୟରେ ଏଗୁଡ଼ିକ ବାହାରି ଥାଇପାରେ ବୋଲି ସନ୍ଦେହ ପ୍ରକାଶ ପାଉଛି ।
