ଜଙ୍ଗଲ ନିଆଁରେ ଚାରିଆଡେ ଧୂଆଁମୟ

ହରଭଙ୍ଗା : ଯୁଗ ବଦଳିଲାଣି, ମାତ୍ର ଲୋକଙ୍କ ଅଭ୍ୟାସ ବଦଳୁନାହିଁ । ସବୁ ପ୍ରକାର ସଚେତନତା ପ୍ରଚାର ପ୍ରସାର ସତ୍ତ୍ବେ ଖରାଦିନ ଆସିଲା ମାତ୍ରେ ଜଙ୍ଗଲ ନିଆଁରେ ବ୍ୟାପକ ଜଙ୍ଗଲ ଧ୍ୱଂସ ହେଉଛି । ଏହା ସହ ପ୍ରାକୃତିକ ଜଙ୍ଗଲ ସମ୍ପଦ ନଷ୍ଟ ହେବା ସହିତ ମନୁଷ୍ୟ ଉପରେ ଏହାର କୁପ୍ରଭାବ ପଡୁଛି । ଗତବର୍ଷ ପରି ଏ ବର୍ଷ ମଧ୍ୟ ବୌଦ୍ଧ ବନଖଣ୍ଡ ଅଧିନରେ ଜଙ୍ଗଲ ପୋଡି ଚାଲିଥିବା ଦେଖିବାକୁ ମିଳୁଛି । ଜଙ୍ଗଲପୋଡିର ପ୍ରମୁଖ କାରଣ କେନ୍ଦୁପତ୍ର ସଂଗ୍ରହ ବୋଲି କୁହାଯାଉଛି । ଲୋକମାନେ ନିଜର କିଛି ସ୍ୱାର୍ଥ ପାଇଁ ଜଙ୍ଗଲ ସମ୍ପଦ ନଷ୍ଟ କରିବା ସହ ଜଙ୍ଗଲୀ ଜନ୍ତୁ ଓ ପ୍ରାଣୀଜଗତକୁ ବିପଦରେ ପକାଉଛନ୍ତି । ତାହା ସହିତ ଖରାଦିନ ତାପମାତ୍ରା ଦ୍ୱିଗୁଣିତ ହେଉଛି । ବୌଦ୍ଧ ବନଖଣ୍ଡ ପକ୍ଷରୁ ଜଙ୍ଗଲ ବଂଚାଇବା ପାଇଁ ବନବିଭାଗ ସବୁ ପ୍ରକାର ଉଦ୍ୟମ ଚଳେଇଛି । ବନାଗ୍ନି ରୋକିବା ଦିଗରେ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ଫାଇଟିଙ୍ଗ ଫରେଷ୍ଟ ଫାୟାରର ଏକ ହ୍ୱାଟସପଗ୍ରୁପ ତିଆରି କରିଛନ୍ତି । ଏଥିରେ ଗଣମାଧ୍ୟମଙ୍କ ଠାରୁ ଆରମ୍ଭ କରି, ନିଜ ବିଭାଗୀୟ କର୍ମଚାରୀ, କେନ୍ଦୁପତ୍ର ବିଭାଗ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ବନସୁରକ୍ଷା ସମିତିମାନଙ୍କୁ ଏଥିରେ ସାମିଲ କରି ଜଙ୍ଗଲ ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ କର୍ତ୍ତବ୍ୟ ତୁଲାଇବା ପାଇଁ ସଚେତନ କରିଛନ୍ତି । ବୌଦ୍ଧ ବନଖଣ୍ଡ ଅଧିକାରୀଙ୍କ ଏଭଳି ମହତ ଉଦ୍ଦେଶ୍ୟ ବନାଗ୍ନି ରୋକିବାରେ ଯଥେଷ୍ଟ ସହାୟକ ହେବ ବୋଲି ସେ ଆଶାପ୍ରକଟ କରିଛନ୍ତି । ଜଙ୍ଗଲ ନିଆଁ ସର୍ମ୍ପକରେ କେହି ସୂଚନା ପାଇଲେ ବୌଦ୍ଧ ବନଖଣ୍ଡ ଅଧିକାରୀଙ୍କ ମୋବାଇଲ ନମ୍ବର ୯୪୩୭୦୬୨୦୭୩ ରେ ସୂଚନା ଦେଇ ପୂର୍ଣ୍ଣ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଏଭଳି ମହତ୍ କାର୍ଯ୍ୟରେ ସମସ୍ତଙ୍କ ସହଯୋଗ ମିଳିଲେ ବନାଗ୍ନିରୁ ଜଙ୍ଗଲ ସମ୍ପଦ ନିଶ୍ଚିତ ସୁରକ୍ଷା ପାଇପାରିବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *