ପର୍ଯ୍ୟଟନ ସ୍ଥଳ ଗୁମାଗଡ଼ର ବିକାଶର ବାଟ ଫିଟିଲା

ଗୁଡଭେଲା : ବଲାଙ୍ଗିର ଜିଲ୍ଲା ସଦର ସହକୁମାଠାରୁ ୪୫ କିଲୋମିଟର ତୁଷୁରାରୁ ୧୦ କିଲୋମିଟର ଦୂର ପାହାଡ ବଣ ଜଙ୍ଗଲ ଘେରା ଆଦିବାସୀ ଅଞ୍ଚଳର ଗୁଡଭେଲା ବ୍ଳକ ମାଢେକେଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭୂଆପଡାରେ କାହିଁ କେତେ ଆବାହମାନ କାଳରୁ ପାଣି କୁଳୁକୁଳୁ ନାଦ, ପକ୍ଷୀଙ୍କ କିଚିରିମିଚିରି ରାବ ମନକୁ ମୋହିଆସୁଛି । ତେଲ ଓ ରାହୁଲ ନଦୀର ସଙ୍ଗମ ସ୍ଥଳି ଗୁମାଗଡ ବା ଖର୍ଲିଗଡା ଶୀତ ଋତୁ ଆସିଲେ ବଲାଙ୍ଗୀର, ସୋନପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଜିଲ୍ଲା ପର୍ଯ୍ୟଟକମାନେ ବଣଭୋଜି ଏବଂ ସାମୟିକ ଅବକାଶ ସକାଶେ ଆସିଥାନ୍ତି । ହେଲେ ଦୁଃଖର ବିଷୟରେ ପର୍ଯ୍ୟଟକମାନଙ୍କ ପାଇଁ ସ୍ଥାୟୀ ରାସ୍ତାଟିଏ ମଧ୍ୟ ନାହିଁ । ପର୍ଯ୍ୟଟନସ୍ଥଳୀର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଗୁମାଗଡ ଉନ୍ନତି ପାଇଁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ, ସ୍ଥାନୀୟ ନିର୍ବାଚିତ ପ୍ରତିନିଧି କିମ୍ବା ସରକାରୀ ପ୍ରଶାସନ ନଜରକୁ ଆସିନାହିଁ । ଏହି ଐତିହାସିକ ପର୍ଯ୍ୟଟନସ୍ଥଳୀର ପ୍ରଚାର ପ୍ରସାର ହୋଇପାରୁ ନଥିବାରୁ ତାହା ଆଜି ଅବହେଳିତ ହୋଇ ରହିଛି । ଏହା କେବଳ ଐତିହାସିକ ମୁକସାକ୍ଷୀ ହୋଇ ରହି ଯାଇଥିଲେ ମଧ୍ୟ ଏହି ସ୍ଥାନକୁ ବିକାଶର ଯୋଜନା ଛୁଇଁ ପାରିନାହିଁ । ଏନେଇ ଗତ ଜାନୁଆରୀ ୧୩ ତାରିଖରେ ଦୈନିକ ଖବରକାଗଜରେ ବିକାଶ ଯୋଜନାରୁ ଦୂରରେ ଗୁମାଗଡ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା । ଏହାର ପ୍ରଭାବରେ ଜିଲ୍ଲା ପ୍ରଶାସନ ନିଦ ଭାଙ୍ଗିଛି । ଶନିବାର ବଲାଙ୍ଗୀର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ମହେନ୍ଦ୍ର ମହାପାତ୍ର ଗୁମାଗଡ ଗସ୍ତରେ ଆସିଥିଲେ । ଏଠାରେ ଐତିହାସିକ କିମ୍ବଦନ୍ତୀ ଥିବା ବହୁ ପୁରାତନ ଭଗ୍ନାବଶେଷ କିର୍ତ୍ତିରାଜୀ ଦେଖି ପ୍ରତ୍ନତାତ୍ତ୍ୱିକ ବିଭାଗ ସହିତ କଥା ହୋଇ ଉନ୍ନତି କରାଯିବ ଏବଂ ପର୍ଯ୍ୟଟକଙ୍କ ଗମନାଗମନ ପାଇଁ ରାସ୍ତା ନିର୍ମାଣ କରିବା ସହ ଅନ୍ୟାନ୍ୟ ବିକାଶ କରିବା ପାଇଁ ସେ କହିଥିଲେ । ତାଙ୍କ ସହ ତୁଷୁରା ତହସିଲଦାର ରବିନ୍ଦ୍ର ପଟେଲ, ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ବାଳ, ବରିଷ୍ଠ କିରାଣୀ ପୁନେନ୍ଦୁ ମହାକୁର, କନିଷ୍ଠ କିରାଣୀ ଆକାଶ ମିଶ୍ର, ଗୁଡଭେଲା ରାଜସ୍ୱ ନୀରିକ୍ଷକ ସତ୍ୟରାଜ ପୁରୋହିତ ଓ ସମାଜସେବୀ ପ୍ରକାଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *