ଟଙ୍କା ନ ଦେଲେ ମିଳେନି ମୃତ୍ୟୁ ପ୍ରମାଣପତ୍ର, ଭାଇରାଲ୍‌ ହେଲା ଅଧିକାରୀଙ୍କ ଲାଞ୍ଚ ନେବା ଭିଡିଓ

ସୋର : ସିମୁଳିଆ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଜନ୍ମ ମୃତ୍ୟୁ ପ୍ରମାଣପତ୍ର ଦେବା ପାଇଁ ଲାଞ୍ଚ ନେଉଥିବା ସମୟରେ ଧରାପଡି ହଟହଟା ହେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ବାଲେଶ୍ଵର ଜିଲ୍ଲା ସିମୁଳିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ବଙ୍ଗାଳପୁର ପଞ୍ଚାୟତର ଇଶାଣ ଗ୍ରାମର ଜଗବନ୍ଧୁ ମଲ୍ଲିକ ବାପା ରବିନ୍ଦ୍ର ମଲ୍ଲିକଙ୍କ ମୃତ୍ୟୁ ପ୍ରମାଣପତ୍ର ନେବାକୁ ଆସିଥିଲେ । ପ୍ରମାଣପତ୍ର ନେବାକୁ ହେଲେ ଲାଞ୍ଚ ଦେବାକୁ ପଡିବ ବୋଲି ଜନ୍ମମୃତ୍ୟୁ ପ୍ରମାଣପତ୍ର ଦେଉଥିବା ସୁପରଭାଇଜର ଦିବାକର ମହାନ୍ତି ଜଗବନ୍ଧୁଙ୍କୁ କହିଥିଲେ ।

ଫଳରେ ଜଗବନ୍ଧୁ ବାପାଙ୍କ ମୃତ୍ୟୁ ପ୍ରମାଣପତ୍ର ପାଇଁ ବାଧ୍ୟ ହୋଇ ଅଧିକାରୀ ଜଣଙ୍କୁ ଲାଞ୍ଚ ଦେଇଥିଲେ । ଯାହା ସୋସିଆଲ ମିଡିଆରେ ଭାଇରlଲ ହେଉଛି । ଦିନ ଦ୍ୱିପ୍ରହରରେ ସାଧାରଣ ଗରିବ ଲୋକମାନଙ୍କ ଠାରୁ ଏପରି ଲାଞ୍ଚ ନିଆଯାଉଛି । ଲାଞ୍ଚ ନଦେଲେ ବାରମ୍ବାର କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡିବ ଲୋକେ ବାଧ୍ୟ ହୋଇ ଉତ୍କୋଚ ଦେଉଛନ୍ତି । ସିମୁଳିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ବାରମ୍ବାର ଏଭଳି ଘଟୁଛି । ଏଥିପ୍ରତି ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *