ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ଠକି ଦେଲେ ଗ୍ରାମସେବକ

ମୋହନା : ମୋ ସ୍ୱାମୀ ଅନ୍ଧ ଲୋକ ଆମେ ଗରିବ ଲୋକ ବୋଲି ସରକାର ଆମକୁ ଆବାସ ଯୋଜନାରେ ପକ୍କା ଘର ପାଇଁ ଆର୍ଥିକ ସହାୟତା ଦେଇଛନ୍ତି । ହେଲେ କ’ଣ ହେବ ପଞ୍ଚାୟତର ଗ୍ରାମ ନିର୍ବାହୀ ଅଧିକାରୀ ଆମର ଘର କରିଦେବେ ବୋଲି ଠିକାଦାର ସାଜିଲେ । କିନ୍ତୁ ଘରକୁ ଅସମ୍ପୂର୍ଣ୍ଣ କରି ଗୋଟିଏ ବଖରା ଛାତ ପକେଇ ଛାଡିଦେଇ ଆମକୁ ଠକିଦେଲେ ଅଧିକାରୀ । ଆମେ ଏବେ ବି ଏମିତି କୁଡିଆ ଘରେ ରହୁଛୁ । ଏଭଳି କିଛି ଅଭିଯୋଗକୁ ନେଇ ଦୁଃଖ ଭରା କଣ୍ଠରେ କହିଛନ୍ତି ହିତାଧିକାରୀ ।

ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ମାଣ୍ଡିମେରା ପଞ୍ଚାୟତର ଦିବ୍ୟାଙ୍ଗ ବ୍ୟକ୍ତି ଦୁର୍ଯ୍ୟୋଧନ ବିଷୋୟୀଙ୍କ ପରିବାର । ତାଙ୍କ ପରିବାର କହିଲେ ସ୍ତ୍ରୀ ରଚନା ଓ ବିଧବା ମା’ ସାଙ୍ଗକୁ ତିନୋଟି ଝିଅ ଏବଂ ଦୁଇଟି ପୁଅକୁ ମିଶାଇ ମୋଟ ଆଠଜଣ । ତାଙ୍କ ଘର ଉପରେ ଚାଳଛପର ମଧ୍ୟ ନାହିଁ । ଛପର କହିଲେ କଳାରଙ୍ଗର ପଲିଥିନ ବନ୍ଧା କେତେଖଣ୍ଡ କାଠରେ ଭରା ଦିଆଯାଇଛି ଘରକୁ । ଘର ଭିତର କଥା ନକହିବା ଭଲ । ଦିନରେ ସୂର୍ଯ୍ୟ ତ ରାତିରେ ଚନ୍ଦ୍ର ଦେଖାଯାଉଛି । ଘରର କବାଟ କହିଲେ ତାରୁଡ୍ରମର ଟିଣ ଓ ମହିଳାମାନେ ପରିଧାନ କରୁଥିବା ଲୁଗା । ବର୍ଷାରେ ଘରେ ପାଣିଗଳି ଘର ଭିତର ମାଟି କାନ୍ଥର ମାଟି ଖସିଗଲାଣି । ଏମିତି ଘରେ ପରିବାରର ଆଠଜଣ ସଦସ୍ୟ କେମିତି ଜୀବନ କାଟୁଛନ୍ତି ତାହା ସ୍ପଷ୍ଟ ଅନୁମାନ କରିହେଉଥିବ । ତେବେ ତାଙ୍କୁ ଆର୍ଥିକ ବର୍ଷ ୨୦୧୯/୨୦ ରେ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଆର୍ଥିକ ସହାୟତା ଯୋଗାଇଛନ୍ତି । ପଞ୍ଚାୟତର ନିର୍ବାହୀ ଅଧିକାରୀ ଘର ନିର୍ମାଣ କରିବା ପାଇଁ ଠିକା ନେଇ ଅଧପନ୍ତରିଆ ଅବସ୍ଥାରେ ଛାଡ଼ି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ଏଭଳି ଅବସ୍ଥା ପାଇଁ ୨୦୧୯/୨୦ ଆର୍ଥିକ ବର୍ଷରେ ତାଙ୍କ ପରିବାରକୁ ଆବାସ ଯୋଜନାରେ ସାମିଲ କରାଯାଇ କାର୍ଯ୍ୟାଦେଶ ମିଳିବା ପରେ ବହୁ କଷ୍ଟରେ ଅଧାକାମ ସାରିଦେଲେ ସେମାନେ । ହେଲେ ଏକାଉଣ୍ଟକୁ ଠିକ୍ ସମୟରେ ସରକାରୀ ଅର୍ଥ ନଆସିବାରୁ ପୁଣି ପଞ୍ଚାୟତକୁ ଦୌଡିଲେ ଦିବ୍ୟାଙ୍ଗ ପରିବାର । ଏହାର ସୁଯୋଗ ନେଇ ଘରକୁ ସଂପୂର୍ଣ୍ଣ କରିବା ପାଇଁ ଠିକା ନେଇଥିଲେ ମାଣ୍ଡିମେରା ପଞ୍ଚାୟତର ନିବାହୀ ଅଧିକାରୀ । କିନ୍ତୁ ଦୁଇଟି ବଖରା ଛାତ ପକାଇବେ ବୋଲି ପ୍ରତିଶୃତି ଦେଇ କେବଳ ଗୋଟିଏ ବଖରା ଘରକୁ ଅତି ନିମ୍ନମାନର କାର୍ଯ୍ୟ କରି ଛାତ ପକାଇଥିବାରୁ ତାହା ମଧ୍ୟ ବର୍ଷା ଦିନେ ପାଣି ଗଳୁଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ବର୍ତ୍ତମାନ ସେମାନେ ସେହି ଘରେ ରହିବେ କ’ଣ, ସେଥିରେ ଲଟାବୁଦା ମାଡିଯାଇ ନଷ୍ଟ ହେବାକୁ ବସିଲାଣି । ତେଣୁ ଦିବ୍ୟାଙ୍ଗ ଦୁର୍ଯ୍ୟୋଧନ ଏବେ ସେହି ଅଧପନ୍ତରିଆ ଘରକୁ ଚାହିଁ ବସିଛନ୍ତି । କେବେ ଘର କାମ ସଂପୂର୍ଣ୍ଣ ହେବ ସେ ଯାଇ ରହିବେ ତାହାକୁ ନେଇ ଚିନ୍ତିତ । ତେଣୁ ତାଙ୍କ ପରିବାର ପ୍ରତି ସରକାର ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ପରିବାର ଲୋକେ ।

ଅନ୍ୟପଟେ ମାଣ୍ଡିମେରା ପଞ୍ଚାୟତର ନିର୍ବାହୀ ଅଧିକାରୀ ଲଛମନ ରାଓ ଯେ କେବଳ ଏହି ଜଣଙ୍କ ଘର ଠିକା ନେଇଛନ୍ତି ତାହା ନୁହେଁ, ସେ ସେହି ଅଞ୍ଚଳରେ ଅନେକ ଲୋକଙ୍କ ଘରର ଠିକାଦାର ସାଜି ଅନେକ ହିତାଧିକାରୀଙ୍କ ଘରକୁ ଏମିତି ଅଧପନ୍ତରିଆ ଅବସ୍ଥାରେ ଛାଡିଦେଇଥିବା କହିଛନ୍ତି ସ୍ଥାନୀୟ ଗ୍ରାମବାସୀ । ଯଦି ପଞ୍ଚାୟତ ନିର୍ବାହୀ ଅଧିକାରୀ ଜଣେ ସରକାରୀ ବାବୁ ତା’ହେଲେ ଠିକାଦାର କାମ କରୁଥିଲେ କେମିତି ? ଯଦି ଦିବ୍ୟାଙ୍ଗ ହିତାଧିକାରୀଙ୍କ ଘରକୁ ସଂପୂର୍ଣ୍ଣ କରିବା ପାଇଁ ପ୍ରତିଶ୍ରୁତି ଦେଲେ, ନିମ୍ନମାନର କାମ କଲେ କାହିଁକି ? ଆଉ ଅସମ୍ପୂର୍ଣ୍ଣ କରି ଛାଡିଦେଲେ କାହିଁକି ? ସଂପୂର୍ଣ୍ଣ କରିବେ କେବେ ?

ତାଙ୍କର ଏଭଳି ଅବସ୍ଥା ପାଇଁ ପ୍ରଶାସନ ଏହି ଲାଞ୍ଚୁଆ ନିବାହୀ ଅଧିକାରୀଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ, ତାହାକୁ ଅପେକ୍ଷା କରିଛନ୍ତି ହିତାଧିକାରୀ ଓ ଗ୍ରାମବାସୀ । ଏ ସଂପର୍କରେ ପିଇଓ ଲଛମନ ରାଓଙ୍କୁ ପଚାରିବାରୁ ସେ କହିଛନ୍ତି ୨୦୧୯/୨ଠ ଡିସେମ୍ବର ମାସରେ ହିତାଧିକାରୀଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ତାଙ୍କ ଅନୁରୋଧକୁ ରକ୍ଷାକରି ମୁଁ ୩୦ ହଜାର ଟଙ୍କା ଖର୍ଚ୍ଚରେ ୧୫ ଦିନ ମଧ୍ୟରେ ଘରର ଛାତ ଓ ୩ଟି ପିଲର କରି ଘର କାମ ଶେଷ କରିଛି । ହିତାଧିକାରୀଙ୍କ ଅଭିଯୋଗ ଭିତ୍ତିହୀନ । ବିଡିଓଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ ।

Leave a Reply

Your email address will not be published. Required fields are marked *