କଂଗ୍ରେସ୍ ଓ ବିଜେପି ଦମ୍ ଅଛି ଯଦି ଦାବୀ କର “ବ୍ୟାଙ୍କ ଘରୋଇ କରଣ ବନ୍ଦ୍ ହେଉ”

ଅତିଥି ସମ୍ପାଦକ (ସତୀଶ ମିଶ୍ର) : ୟେସ୍ ବ୍ୟାଙ୍କରେ ଥିବା ଦିଅଁଙ୍କ ଡିପୋଜିଟ୍ କେବେ ଫେରିବ,କେତେ ଫେରିବ ତାକୁ ନେଇ ଅନେକ ବିତର୍କ ଆରମ୍ଭ ହୋଇଛି।ହବା ସ୍ୱାଭାବିକ ମଧ୍ୟ। କାରଣ ୫୪୫ କୋଟି ଟଙ୍କା,କୋଉ ଚନ୍ଦନପୁରୀ ପାନ ନୁହେଁ!କିଛି ପ୍ରଶ୍ନ ଉଠୁଛି ପ୍ରାଇଭେଟ ବ୍ୟାଙ୍କରେ ପଇସା କାହିଁକି ରଖା ଗଲା ? ଉତ୍ତର-ଅଧିକ ସୁଧ ଆଶାରେ।ଏବେ କୁହା ଯାଉଛି ଫାଇନାନ୍ସ ସବ୍ କମିଟିର ଜଣେ ସଭ୍ୟ ଶ୍ରୀ ବିଜୟ ସାହୁ ଯିଏକି ଜଣେ ଅଭିଜ୍ଞ ଚାଟାର୍ଡ ଆକାଉଣ୍ଟାଣ୍ଟ ଏଥି ପାଇଁ ସୁପାରିସ କରି ଥିଲେ। ସମ୍ପୃକ୍ତ ଚାଟାର୍ଡ ଆକାଉଣ୍ଟାଣ୍ଟ ମନ୍ଦିର ପରିଚାଳନା କମିଟିର ମଧ୍ୟ ସଭ୍ୟ। ଉକ୍ତ ବ୍ୟାଙ୍କରେ ଅର୍ଥ ରଖା ଯିବା ନିଷ୍ପତ୍ତିରେ କୁଆଡେ ସ୍ଵଛତା ଅବଲମ୍ବନ ହୋଇ ନାହିଁ।ଯଦି ଏହା ସତ୍ୟ ହୋଇ ଥାଏ ତେବେ ଧରି ନେବାକୁ ହେବ ଯେ ଏଭଳି ଘଟଣାରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି।

ତେବେ ମୂଳ କଥାଟି ହେଉଛି ୟେସ୍ ବ୍ୟାଙ୍କଯେ ବୁଡି ବାକୁ ଯାଉଛି ଏକଥା ଅନ୍ତତଃ ଛ ମାସ ଆଗରୁ ସ୍ପଷ୍ଟ ଭାବେ ଜଣା ପଡି ସାରିଥିଲା।ହୁଏତ ଜଣେ ସାଧାରଣ ଜମାକାରୀ ଏକଥା ଜାଣି ନପାରେ,କିନ୍ତୁ ଜଣେ ପ୍ରତିଷ୍ଠିତ ଚାଟାର୍ଡ ଆକାଉଣ୍ଟାଣ୍ଟ ଏହା ନଜାଣି ପାରିବା ଘଟଣାକୁ ଅଜ୍ଞତା ବୋଲି କେବେ ହେଲେ କୁହା ଯାଇ ନପାରେ। ସିଧା ଭାଷାରେ କହିଲେ-ଏହା ଏକ ଠକେଇ,ଏଥିରେ ବ୍ୟକ୍ତି ସ୍ୱାର୍ଥ ବା ବ୍ୟକ୍ତିଗତ ଲାଭ ନିହିତ ଅଛି। ବ୍ୟାଙ୍କ ଉପରେ ରିଜର୍ବ ବ୍ୟାଙ୍କ କଟକଣା ଲଗାଇବାର ଗୋଟିଏ ଦିନ ଆଗରୁ ତିରୁପତି ମନ୍ଦିର ଟ୍ରଷ୍ଟ,ଗୁଜୁରାଟର କିଛି ଅନୁଷ୍ଠାନ ନିଜ ଜମା ରାଶି ସମ୍ପୃକ୍ତ ବ୍ୟାଙ୍କରୁ କାଢି ନେବା ଘଟଣା ବିସ୍ମୟକର ନୁହେଁକି? ସବୁଠାରୁ ବଡ଼ କଥା ହେଉଛି ଏବେଳରେ ଆର ବି ଆଇରେ ଜଣେ ଓଡ଼ିଆ ଗଭର୍ନର ଅଛନ୍ତି,ତଥାପି ଧୋକା ଖାଇଗଲେ ମହାପ୍ରଭୁ!ଏତେ ଘଟଣା ପରେ ଏବେ ରାଜ୍ୟ ସରକାର ସଂପୃକ୍ତ ଚଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ଆଉ କିଛି ଗୁରୁ ଦାୟିତ୍ୱ ଦେଇ ଥିଲେ ଏହାର ତର୍ଜମା କରିବା ଉଚିତ।

କିନ୍ତୁ ଘରୋଇ ବ୍ୟାଙ୍କ ସହିତ ଶ୍ରୀମନ୍ଦିର ପ୍ରଶାସନର ଅର୍ଥ କାରବାରକୁ ନେଇ ଉଠିଥିବା ପ୍ରଶ୍ନ ଅଯଥାର୍ଥ ମନେ ହୁଏ।କାରଣ ଏହି ବ୍ୟାଙ୍କ ସହିତ ଦେଶର ସର୍ବୋଚ୍ଚ ଆର୍ଥିକ ନିତି ନିର୍ଧାରକ ସଂସ୍ଥା ଆର ବି ଆଇର ଅନୁମୋଦନ ଥିଲା।ଏହା କୌଣସି ବେଆଇନ ସଂସ୍ଥା ନୁହେଁ।
ତେଣୁ ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ଜମାକାରୀ ଟଙ୍କା ଫେରି ପାଇ ଯିବେ ବୋଲି ଭରସା ରଖା ଯିବା ଉଚିତ। ଲୋକଙ୍କ ଭାବପ୍ରବଣତା ଭୟରେ ଅନ୍ତତଃ ଜଗନ୍ନାଥ ମହାପ୍ରଭୁ ଅଳ୍ପ ଦହଗଞ୍ଜରେ ଜମା ରାଶି ସୁଧ ମୂଳେ ଫେରି ପାଇ ଯାଇ ପାରନ୍ତି।ତେବେ ସାଧାରଣ ବ୍ୟବସାୟୀ ବା ନାଗରିକର କ୍ଷତିକୁ କିଏ ଭରଣା କରିବ ?
ସାଧାରଣ ଭାରତୀୟଙ୍କର କଷ୍ଟ ଅର୍ଜିତ ଟଙ୍କାକୁ ଉକ୍ତ ବ୍ୟାଙ୍କ କିଛି ମହାନ ବ୍ୟସାୟୀଙ୍କୁ ଋଣ ବାହାନାରେ ଦାନ କରି ଦେଲା। ଏବେ ଷ୍ଟେଟ ବ୍ୟାଙ୍କ ଏବଂ ଏଲ ଆଇ ସି ଏହାକୁ ଭରଣା କରିବେ। ମନେ ରଖିବାକୁ ହେବ ଏହା ମଧ୍ୟ ସାଧାରଣ ଲୋକଙ୍କ ଅର୍ଥ। ଏମିତି କେତେ ଦିନ ଚାଲିବ ଦେଶ ? ଆଗକୁ ଯେଉଁ ସବୁ ଘରୋଇ ବ୍ୟାଙ୍କ ବୁଡିବ ସେ ସବୁକୁ କଣ ଏହି ପରି ଭାବେ ଦେଶର ଲାଭକାରୀ ସଂସ୍ଥା ମାନେ ଅଧିଗ୍ରହଣ କରିବେ !
ଏ ବେଳରେ ଧର ଧର ବୋଲି ହୁରି ପକାଉଥିବା ରାଜନୈତିକ ଦଳ ମାନେ ସ୍ପଷ୍ଟ କରିବା ଉଚିତ-ସେମାନେ ଘରୋଇ ବ୍ୟାଙ୍କ ବ୍ୟବସ୍ଥାର ସମର୍ଥକ ନା ବିରୋଧୀ ? ଉଭୟ କଂଗ୍ରେସ ଓ ବିଜେପି ଏବେ କହୁଛନ୍ତି”ଘରୋଇ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା କାହିଁକି ଜମା ରଖା ଗଲା ?”ଯଦି ସତ୍ ସାହସ ଅଛି ତେବେ ଏକଥା କୁହନ୍ତୁ-ବ୍ୟାଙ୍କ ଘରୋଇକରଣ ବନ୍ଦ୍ ହେଉ।

Leave a Reply

Your email address will not be published. Required fields are marked *