ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଶିଶୁ ଚୋରି ଘଟଣାକୁ ୪୮ ଘଣ୍ଟା ପୁରିଛି ତଥାପି ଶିଶୁର ପତ୍ତା ମିଳୁନି । ଅଭିଯୋଗ ପାଇବା ପରଠୁ ଜଗତସିଂହପୁର ପୋଲିସ ଏକ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲେ ମଧ୍ୟ ଶିଶୁଟିର କୌଣସି ସନ୍ଧାନ ମିଳିପାରି ନାହିଁ ।ଅନ୍ୟପଟେ ନାତି ଅପହରଣ ହେବା ପରେ ତାର ଆଈ ଚନ୍ଦ୍ରମା ସ୍ୱାଇଁକୁ ମେଡିକାଲର ପ୍ରତୀକ୍ଷାଗାରରୁ ବାହାର କରିଦିଆଯାଇଛି । ଏବେ ସେ ସହରର ବିଭିନ୍ନ ସ୍ଥାନରେ ବୁଲି ରାତ୍ରି ଯାପନ କରୁଥିବାର ଦେଖିବାକୁ ମିଳିଛି । ତେବେ ଆଈ କିଛି ନୂଆ ତଥ୍ୟ ମଧ୍ୟ ନ୍ୟୁଜ୍ ସେଭେନ ଆଗରେ ବଖାଣିଛନ୍ତି । ବୃଦ୍ଧାଜଣଙ୍କ କହିଛନ୍ତି ଯେ, ଅପହରଣ କରିଥିବା ଅଭିଯୁକ୍ତ ଚାରି ପାଞ୍ଚ ଦିନ ହେଲା ସେମାନଙ୍କ ପାଖରେ ଆସି ବସିବା ସହ ସବୁ କଥା ବୁଝିଥିଲା । ପରେ ନାତିକୁ ଆଣି ବିଭିନ୍ନ ଖାଦ୍ୟ ଖାଇବାକୁ ଦେବାସହ ଆଧାର କାର୍ଡ ମାଗିଥିଲେ । ଏଥି ସହ ୨୦ ହଜାର ଟଙ୍କା ନେଇ ନାତିକୁ ଦେଇଦେବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ । ସେ ଯୁବକକୁ ଚିହ୍ନି ନଥିବାର କହିଛନ୍ତି । ନାତି ଉଦ୍ଧାର ହେବା ପରେ ସେ ତାକୁ ଆଉ ପାଖରେ ନରଖି ଆଶ୍ରମରେ ଛାଡି ଦେବେ ବୋଲି କହିଛନ୍ତି । ଘରେ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ଯୋଗାଡ଼ କରିବା କଷ୍ଟକର ହେବାରୁ ସେମାନେ ଜଗତସିଂହପୁର ମେଡ଼ିକାଲରେ ଆସି ଆଶ୍ରୟ ନେଇଥିଲେ । ସେଠାରେ ମାଗଣା ଖାଦ୍ୟ ଖାଇ ବଞ୍ଚୁଥିଲେ ବୋଲି କହିଛନ୍ତି । ଅନ୍ୟପଟେ ସିସି ଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତକୁ ତ୍ୱରାନ୍ୱିତ କରିଥିବା ଜଗତସିଂହପୁର ଥାନା ଅଧିକାରୀ କହିଛନ୍ତି ।
