ଭୁବନେଶ୍ବର : ଆସନ୍ତା ସପ୍ତାହରୁ ରାଜ୍ୟରେ ଅଧିକ ଥଣ୍ଡା ଅନୁଭୂତ ହେବ । ରାତିର ତାପମାତ୍ରା ୨ ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବା ସହ କେତେକ ସ୍ଥାନରେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି । କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନକୁହୁଡ଼ି ପଡ଼ିବ । ଏହା ବ୍ୟତୀତ ଅନୁଗୁଳ, ବଲାଙ୍ଗୀର, ଗଜପତି ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବ । ପାଗ ଶୁଖିଲା ରହିବା ସହ ସର୍ବନିମ୍ନ ତାପମାତ୍ରାରେ ସେତେଟା ପରିବର୍ତ୍ତନ ହେବ ନାହିଁ ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ୍ ଆର ବିଶ୍ବାସଙ୍କ କହିବାନୁଯାୟୀ ୫ ଦିନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ । ତେବେ ୧୨ ତାରିଖ ଯାଏ ସର୍ବନିମ୍ନ ତାପମାତ୍ରାରେ ସେତେଟା ପରିବର୍ତନ ହେବ ନାହିଁ । ଏହାପରେ ରାଜ୍ୟର ଅନେକ ସ୍ଥାନରେ ୨ ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ । ତେଣୁ ଥଣ୍ଡା ଅନୁଭୂତ ହେବ । ଗତ ୨୪ ଘଣ୍ଟା ମଧ୍ୟରେ ସେମିଳିଗୁଡ଼ା ହିଲ୍ ଷ୍ଟେସନରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୨.୮ ଡିଗ୍ରି ରେକର୍ଡ କରାଯାଇଛି । ଏହା ବ୍ୟତୀତ ବୌଦ୍ଧରେ ୧୪ ଡିଗ୍ରି ଥିବା ବେଳେ ଦାରିଙ୍ଗବାଡ଼ିରେ ୧୪.୫, ଫୁଲବାଣୀରେ ୧୫.୫, କେନ୍ଦୁଝରଗଡ଼ରେ ୧୬, ଭବାନୀପାଟଣାରେ ୧୬.୨ ଡିଗ୍ରି ରେକର୍ଡ ହୋଇଛି ।
