ବାଲେଶ୍ବର : ‘ପିଏମ୍ କିଷାନ୍ ନିଧି ଯୋଜନା’ରେ ସହାୟତା ପାଇବା ପାଇଁ ୨୦୨୦ ମସିହାରେ ପଞ୍ଜୀକରଣ କରିଥିଲି । ହେଲେ ଆଜିଯାଏଁ ଖାତାକୁ ଟଙ୍କା ଆସିଲା ନାହିଁ । ବାରମ୍ବାର ବ୍ଲକ ଅଫିସ୍ ଦୌଡ଼ି ଦୌଡ଼ି ଥକିଗଲିଣି । ଅସୁବିଧା କେଉଁଠି ରହିଛି ବୁଝିବାରୁ ଜିଲ୍ଲା କୃଷି କାର୍ଯ୍ୟାଳୟରେ ପାଖରେ କାମ ଅଟକିଛି ବୋଲି ଜାଣିବାକୁ ପାଇଲି । ଏନେଇ ବାରମ୍ବାର ବି ଅଭିଯୋଗ କଲିଣି ହେଲେ କିଛି ସୁଫଳ ମିଳିଲା ନାହିଁ । ଏ ବାବଦରେ ରାଜ୍ୟ କୃଷି ବିଭାଗକୁ ମେଲ୍ ବି କରିଥିଲି । ଜିଲ୍ଲା ସ୍ତରରେ ଜମି ସଂପର୍କିତ କାଗଜପତ୍ର ପେଣ୍ଡିଂ ରହିଛି, ବ୍ଲକ୍ ଜରିଆରେ ଜିଲ୍ଲା କୃଷି ଅଧିକାରୀ ଯାଞ୍ଚ୍ କରି ପଠାଇଲେ ଆମେ ରେଜିଷ୍ଟର କରିପାରିବୁ ବୋଲି ବିଭାଗୀୟ ଅଧିକାରୀ କହିଲେ । ପରେ ଏନେଇ ମୋତେ ଆସିଥିବା ମେଲ୍ ସଂପର୍କରେ ମୁଁ ବ୍ଲକ ଅଫିସ୍ରେ ଦେଖାଇଥିଲି ।
ଏହା ପରେ ପୁଣି ମୁଁ ନଭେମ୍ବରରେ ଥରେ, ଡିସେମ୍ବରରେ ଥରେ ଓ ଜାନୁଆରିରେ ଥରେ ଏମିତି ତିନିଥର ଜମିର କାଗଜପତ୍ର ଦେଲି । ହେଲେ ଜଣଙ୍କର ଆମେ ପଠାଇପାରିବୁନି । ଅଧିକ ଅଭିଯୋଗ ଆସିଲେ ପଠାଇବୁ ବୋଲି ବ୍ଲକ୍ ଅଫିସ୍ରେ କୁହାଗଲା । ଏମିତି ହୋଇ ତିନିମାସ ବିତିଗଲା; କିଛି ନ ହେବାରୁ ମୁଁ ପୁଣି ଆଉ ଥରେ ରାଜ୍ୟ କୃଷି ବିଭାଗକୁ ଜଣାଇଥିଲି । ଏନେଇ ଜିଲ୍ଲା କୃଷି ବିଭାଗକୁ ୩ ଥର ରିମାଇଣ୍ଡର ବି ଆସିଲା । ଚାପ ପଡ଼ିବା ପରେ ଜିଲ୍ଲା କୃଷି ବିଭାଗରୁ ମୋତେ ଫୋନ୍ ଆସିଲା, ଆଉ ସମସ୍ୟା ସଂପର୍କରେ ପଚାରି ବୁଝିଲେ ।
ମୁଁ ସମସ୍ତ କଥା କହିଥିଲି । ନିର୍ବାଚନ ସମୟରେ ଆମେ ସମସ୍ତେ ବ୍ୟସ୍ତ ଅଛୁ । ଆପଣ ବାରମ୍ବାର କାହିଁକି ରାଜ୍ୟ କୃଷି ବିଭାଗକୁ ଜଣାଉଛନ୍ତି । ଧୈର୍ଯ୍ୟ ଧରନ୍ତୁ । ନିର୍ବାଚନ ସରିଲା ପରେ ପଠାଇଦିଆଯିବ ବୋଲି କୁହାଗଲା । ହେଲେ ଦୁର୍ଭାଗ୍ୟ, ଆଜିଯାଏଁ କିଛି ହେଲା ନାହିଁ । ସେପଟେ ରାଜ୍ୟ କୃଷି ବିଭାଗ ଜିଲ୍ଲା କୃଷି ବିଭାଗ ଉପରେ ଦାୟିତ୍ବ ଦେଇ ହାତ ଟେକିଦେଇଛନ୍ତି । ମୁଁ ବୁଝିପାରୁନି କାହିଁକି ଏମିତି ଜଣେ ଚାଷୀଙ୍କୁ ନିରାଶ କରାଯାଉଛି । ସରକାର ସମସ୍ତଙ୍କୁ ସହାୟତା ଦେଉଛନ୍ତି ହେଲେ ମୁଁ କି ପାପ କରିଛି ବୋଲି ଜଳେଶ୍ବର ବ୍ଲକ କେଶପୁରା କୋଟସାହି ଅଞ୍ଚଳର ଚାଷୀ କମଳାକାନ୍ତ ନାୟକ କହିଛନ୍ତି । ଖାଲି ମୋର ଏମିତି ନୁହେଁ, ଜଳେଶ୍ବର ବ୍ଲକରେ ୧ ହଜାରରୁ ଅଧିକ ଚାଷୀ କୌଣସି କାରଣରୁ ଟଙ୍କା ପାଇନାହାନ୍ତି ।
ପିଏମ୍ କିଷାନ୍ ନିଧି ଯୋଜନାରେ କେନ୍ଦ୍ର ସରକାର ବର୍ଷକୁ ଚାଷୀଙ୍କୁ ୬ ହଜାର ଟଙ୍କା ପ୍ରଦାନ କରୁଥିବା ବେଳେ ଜିଲ୍ଲାରେ ବହୁ ଚାଷୀଙ୍କ ଆକାଉଣ୍ଟରେ ଏହି ଟଙ୍କା ପଡ଼ୁନାହିଁ । ଆଧାରକାର୍ଡ ଭୁଲ୍ ରହିବା, ଜମି କାଗଜପତ୍ର ଭୁଲ୍ ରହିବା ଆଦି କାରଣରୁ ଚାଷୀ ଏହି ସୁବିଧାରୁ ବଂଚିତ ହେଉଛନ୍ତି । ହେଲେ ଏ ଦିଗରେ ବହୁ ଚାଷୀ ଜାଣିନଥିବାରୁ ଚୁପ୍ହୋଇ ରହିଛନ୍ତି । ଆଉ କାରଣ ଖୋଜି ଖୋଜି ଶେଷରେ ନିରାଶ ହୋଇଛନ୍ତି । କୃଷି ବିଭାଗ ପକ୍ଷରୁ କିନ୍ତୁ ଏ ଦିଗରେ କୌଣସି ସୂଚନା ଚାଷୀଙ୍କୁ ଦିଆଯାଉ ନାହିଁ । କମଳାକାନ୍ତଙ୍କ ପରି ଯଦିଓ କିଛି ଚାଷୀ ଅସୁବିଧା ସଂପର୍କରେ ଜାଣୁଛନ୍ତି କୃଷି ବିଭାଗର ଅବହେଳା ପାଇଁ କିଛି ସୁଫଳ ପାରୁନାହାନ୍ତି । ଜିଲ୍ଲାରେ ୪ ଲକ୍ଷରୁ ଅଧିକ ଚାଷୀ ରହିଥିବା ବେଳେ, ଏମିତି ୧୦ ହଜାରରୁ ଅଧିକ ଚାଷୀଙ୍କ ଖାତାକୁ ଟଙ୍କା ଆସୁନାହିଁ ।
ତେବେ ଯେଉଁ ଚାଷୀମାନଙ୍କ ଖାତାକୁ ଟଙ୍କା ଆସୁନାହିଁ । ସେମାନେ ଚାହିଁଲେ ବି ଆଉ ଥରେ ନୂଆ ପଞ୍ଜୀରକରଣ କରିପାରୁନାହାନ୍ତି । କାରଣ ଥରେ ଯଦି ସେହି ଲିଙ୍କ୍ରେ ଆଧାରକାର୍ଡ ଏଣ୍ଟ୍ରି ହୋଇଯାଇଛି, ଆଉ ଥରେ ଦେଲେ ନେଉନଥିବା ଅଭିଯୋଗ ହୋଇଛି । ତେଣୁ ଏହି କାମ କୃଷି ବିଭାଗ ହିଁ କରିପାରିବ । ହେଲେ ଜିଲ୍ଲା କୃଷି ବିଭାଗ ଏଥିପ୍ରତି ଆଦୌ ଗୁରୁତ୍ବ ଦେଉନାହିଁ । ପିଏମ୍ କିଷାନ୍ ଯୋଜନା କେନ୍ଦ୍ର ସରକାରଙ୍କର ବୋଲି ଜାଣିଶୁଣି ବୋଧେ ଏଥିପ୍ରତି ଗୁରୁତ୍ବ ଦିଆଯାଉନାହିଁ ବୋଲି ବହୁ ଚାଷୀ କହିଛନ୍ତି ।
