ଦୁଇ ମାସ ହେଲା ରାସ୍ତାରେ ବୋହୁଛି ନର୍ଦ୍ଦମା ପାଣି

ବାଲେଶ୍ବର : ବାଲେଶ୍ବର ସହର ୨୭ ନଂ ୱାର୍ଡ ମିର୍ଜାପୋଖରୀରୁ କେକେଏସ୍‌ କଲେଜ୍‌ ରାସ୍ତା ଉପରେ ଦୁଇ ମାସରୁ ଊର୍ଦ୍ଧ୍ବ ହେବ ନର୍ଦ୍ଦମା ପାଣି ମାଡ଼ୁଛି । ଡ୍ରେନ୍‌ରୁ ସମସ୍ତ ଅଳିଆ ରାସ୍ତା ଉପରେ ଆସି ଜମି ରହୁଛି । ପରିସ୍ଥିତି ଏମିତି ହୋଇଛି, ରାସ୍ତା ମଝିରେ କୃତ୍ରିମ ଡ୍ରେନ୍‌ ସୃଷ୍ଟି ହୋଇଯାଇଛି । ଲୋକଙ୍କ ଘର ସମ୍ମୁଖରେ ପାଣି ଜମି ରହି ଦୁର୍ଗନ୍ଧ ପରିବେଶ ସୃଷ୍ଟି ହୋଇଛି । ଯାହାଫଳରେ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି । ଦିନରାତି ଅହରହ ପାଣି ବୋହି ରାସ୍ତା ଉପରେ ମାଡ଼ୁଥିବାରୁ ଯାତାୟାତ କରିବାକୁ ନାହିଁ ନଥିବା ଅସୁବିଧା ସମ୍ମୁଖୀ ହେଉଛନ୍ତି ଅଞ୍ଚଳବାସୀ। ଯାହା ଜଣାଯାଇଛି, ଆଜକୁ ୪ ମାସରୁ ଅଧିକ ହେବ ଉକ୍ତ ଅଞ୍ଚଳର ରାସ୍ତା କାମ ଆରମ୍ଭ ହୋଇଛି । ଡ୍ରେନ୍‌ ପାଣି କୌଣସି କାରଣରୁ ନିଷ୍କାସନ ହୋଇପାରୁନାହିଁ । ଯାହାଫଳରେ ପାଣି ସବୁ ରାସ୍ତା ଉପରେ ଭାସୁଛି ।

ଏମିତିକି ଡ୍ରେନ୍‌ର ଯାବତୀୟ ଆବର୍ଜନା ଜମି ଜମି ସେସବୁ ପାଣି ସୁଅରେ ରାସ୍ତା ଉପରେ ଜମା ହୋଇ ରହୁଛି । ମାସ ମାସ ଧରି ପାଣି ଜମି ରହିବାରୁ ରାସ୍ତା ଉପରେ ଶିଉଁଳି ମାଡ଼ିଗଲାଣି । ଫଳରେ ଛୋଟବଡ଼ ଦୁର୍ଘଟଣା ବି ଘଟୁଛି । ପାଣି ନିଷ୍କାସନ ପାଇଁ ରାସ୍ତାକୁ ସାମାନ୍ୟ ଖୋଳି ଦିଆଯାଇଥିବା ବେଳେ, ଏତେଦିନ ଧରି ପାଣି ବୋହିବାରୁ ଛୋଟବଡ଼ ଖାଲ ବି ସୃଷ୍ଟି ହୋଇଗଲାଣି । କିଛି ବିକଳ୍ପ ବ୍ୟବସ୍ଥା ନଥିବାରୁ ଲୋକେ ବାଧ୍ୟ ହୋଇ ଏହି ପାଣିକୁ ମାଡ଼ି ଯାଉଛନ୍ତି । ସେହିପରି ଡ୍ରେନ୍‌ ବି ପୋତିହୋଇ ଗଲାଣି । ନିୟମିତ ସଫା ହେଉନାହିଁ । ଅଧିକାଂଶ ଡ୍ରେନ୍‌ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି । ଫଳରେ ଉକ୍ତ ରାସ୍ତାର ଅଧିକାଂଶ ସ୍ଥାନରେ ରାସ୍ତା ଉପରେ ଡ୍ରେନ୍‌ ପାଣିର ଦୃଶ୍ୟ ଦେଖିବାକୁ ମିଳିଛି ।  ଏହି ଦୁର୍ଗନ୍ଧ ପାଣିକୁ ମାଡ଼ି ମାଡ଼ି ଲୋକେ ଅତିଷ୍ଠ ହୋଇପଡ଼ିଲେ । ସେହିପରି ଡ୍ରେନ୍‌ ପାର୍ଶ୍ବ ଦେଇ ଯାଇଥିବା ପିଇବା ପାଣି ପାଇପ୍‌ କୌଣସି କାରଣରୁ ଫାଟିଯାଇଛି । କିଛି କିଛି ସ୍ଥାନରେ ପାଣି ବୋହୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଯେଇଁଥିରେ ଡ୍ରେନ୍‌ ପାଣି ମିଶୁଛି । ଏ‌େତଦିନ ଧରି ରାସ୍ତା କାମ ଅଧାପନ୍ତରିଆ ହୋଇ ପଡ଼ିରହିବା ଏବଂ ଏଥିପ୍ରତି ପୌର ପ୍ରଶାସନ ଗୁରୁତ୍ବ ନ ଦେବାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ଝାଡ଼ିଛନ୍ତି ।

Leave a Reply

Your email address will not be published. Required fields are marked *