ହେମଗିର ଗଳିତ ଶବ ଉଦ୍ଧାର ଘଟଣା : ଖପୁରି ଓ ପୋତା ସନ୍ଦିଗ୍ଧ ପୁଟୁଳିକୁ ନଜର ଦେଲାନି ପୁଲିସ !

ସୁନ୍ଦରଗଡ଼/ହେମଗିର : ବୁଧବାର ହେମଗିର ଥାନା କନିକା ଜୁଲୁମବାହାଲ ମୁଖ୍ୟ ରାସ୍ତା ବଡ଼ଘୁମୁଡ଼ା ରେଲୱେ ଫାଟକ ସଂଲଗ୍ନ ସିଙ୍ଗାରିବାହାଲ ସଂରକ୍ଷିତ ଜଙ୍ଗଲ ମଧ୍ୟସ୍ଥ ପ୍ରବାହିତ ଜାମଝରିଆ ନାଳ କଡ଼ ଏକ ଗଛରେ ରହସ୍ୟମୟ ଭାବେ ଜଣେ ଅଚିହ୍ନା ଯୁବକଙ୍କ ଝୁଲନ୍ତା ଗଳିତ ଶବ ପୁଲିସ ଉଦ୍ଧାର କରିଥିଲା । ତେବେ ଗଳିତ ଶବକୁ ଚିହ୍ନଟ କରିବା କଷ୍ଟସାଧ୍ୟ ଥିବାରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସେଠାରେ ଶବ ବ୍ୟବଚ୍ଛେଦ କରିବା ସହ ନମୁନା ସଂଗ୍ରହ କରି ପୋତି ଦେଇଥିଲେ । କିନ୍ତୁ ଝୁଲନ୍ତା ଶବ ଠାରୁ ଅନତି ଦୂରରେ ବୃକ୍ଷ ରୋପଣ ପାଇଁ ଜଙ୍ଗଲ ବିଭାଗ ଦ୍ଵାରା ଖୋଳା ଯାଇଥିବା ଏକ ଗାତରେ ପଡ଼ିଥିବା ଏକ ମଣିଷ ଖପୁରି ଓ ସେଠାରେ ପୋତା ଯାଇଥିବା ସନ୍ଦିଗ୍ଧ ପ୍ଲାଷ୍ଟିକ ମଶିଣା ପୁଟୁଳିକୁ ପୁଲିସ ନଜର ଦେଇ ନଥିବା ଅଭିଯୋଗ ହୋଇଛି ।

ଖପୁରିର ଆକାରକୁ ଦେଖିଲେ, ତାହା ୮/୧୦ ବର୍ଷର ଶିଶୁର ବୋଲି ସନ୍ଦେହ ହୋଇଥିଲା । ପାରିପାର୍ଶ୍ବିକ ସ୍ଥିତିରୁ ଏହା ହତ୍ୟାକାଣ୍ଡ ମନେ ହେଉଥିବା ବେଳେ ମଣିଷ ଖପୁରି ଓ ପୋତା ପ୍ଲାଷ୍ଟିକ ମଶିଣା ସହ ଏହାର ସମ୍ପର୍କ ଥିବା ଚର୍ଚ୍ଚା ହେଉଛି । ହେଲେ ପୁଲିସ କେବଳ ଝୁଲନ୍ତା ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ କରାଇ ଫେରି ଆସିଛି । ଏଯାଏ ଶବ ଚିହ୍ନଟ ହୋଇ ନାହିଁ । ଏସ୍ଥିତିରେ ଗାତକୁ ଖୋଳି ଅଧିକ ଅନୁସନ୍ଧାନ କରିବା ସହ ଖପୁରିକୁ ଜବତ କରି ପରୀକ୍ଷାଗାରକୁ ପଠାଇବା ପରିବର୍ତ୍ତେ ପୁଲିସ ଏହାକୁ ନଜରଅନ୍ଦାଜ କରିଦେବା ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଖପୁରିକୁ କୁକୁର ନେଇ ଆସିଥିବା ଥାନାଧିକାରୀ କହୁଥିବା ବେଳେ ତାହା ଏବେ କେଉଁଠି, ପୋତି ଦିଆଯାଇଛି କି ବୋଲି ପଚାରିଲେ ସେ ସମ୍ପର୍କରେ ସେ ଜାଣି ନଥିବା ପ୍ରକାଶ କରିଛନ୍ତି । ପୁଲିସ ଘଟଣାକୁ ଗମ୍ଭୀରତାର ସହ ନେଇ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବାକୁ ସାଧାରଣରେ ମତପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *