ଦନ୍ତାହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର

ବଣାଇ : ବଣାଇ ରେଞ୍ଜ ଧରଣୀଧର ପାଲି ସେକ୍ସନ ଅନ୍ତର୍ଗତ କେଲୋ ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ତେଲିଡିହି ଗ୍ରାମରେ ଆଜି ସକାଳୁ ଦନ୍ତାହାତୀ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ତେଲିଡିହି ଗ୍ରାମର ଖୁଣ୍ଟୁଣି କିସାନ ଭୋର ସମୟରେ ନିଜ ଘର ଅଗଣାରେ ଝାଡ଼ୁ ମାରୁଥିବା ସମୟରେ ହଠାତ୍ ଏକ ଦନ୍ତାହାତୀ ଆସି ପଛପଟୁ ତାଙ୍କୁ ଆକ୍ରମଣ କରିବାରୁ ସେ ତଳେ ପଡ଼ିଯାଇ ଗୁରୁତର ହୋଇଥିଲେ । ଗ୍ରାମବାସୀଙ୍କ ଠାରୁ ଖବର ପାଇ ତୁରନ୍ତ ଵଣାଇ ରେଞ୍ଜ ଅଧିକାରୀ ମନୋଜ ପାତ୍ରଙ୍କ ସମେତ ଫରେଷ୍ଟର ସଦାଶିବ ପାତ୍ର, ବନରକ୍ଷୀ ଜଗନ୍ନାଥ ପ୍ରଧାନ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧାଙ୍କୁ ଉଦ୍ଧାର କରି ଵଣାଇ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ରାଉରକେଲା ସ୍ଥିତ ସରକାରୀ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ରେଞ୍ଜ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଵନକର୍ମଚାରୀ ଓ ହାତୀ ଘଉଡ଼ାଇବା ନିମନ୍ତେ ନିୟୋଜିତ ଥିବା ସମସ୍ତ ସ୍କ୍ୱାର୍ଡ କର୍ମଚାରୀ ମିଳିତ ଭାବେ ଗ୍ରାମରେ ପହଞ୍ଚି ହାତୀକୁ ଦୂର ଜଙ୍ଗଲକୁ ଘଉଡ଼ାଇବା ନିମନ୍ତେ ଚେଷ୍ଟା ଜାରି ରଖିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *