ଯାଜପୁର : ଅପପୁଷ୍ଟିକୁ ନେଇ ଅପନିନ୍ଦା ମୁଣ୍ଡାଇଥିବା ନଗଡ଼ାର ବିକାଶ ନାମରେ ବିଭିନ୍ନ ବିଭାଗରେ କୋଟି କୋଟି ଟଙ୍କାର କେଳେଙ୍କାରୀ ପେଡ଼ି ଖୋଲିବାରେ ଲାଗିଛି । ପ୍ରଥମ ପର୍ଯ୍ୟାୟରେ ଆର୍ଡ଼ି ଦ୍ବାରା ହୋଇଥିବା ରାସ୍ତାରେ ୪୪ ଲକ୍ଷ ୨୦ ହଜାର ଟଙ୍କାର ୧୦ଟି ଗୁପ୍ତ ଟେଣ୍ଡର କେଳେଙ୍କାରୀ ବିଭାଗୀୟ ତଦନ୍ତ ବେଳେ ଧରାପଡ଼ିଛି । ଏବେ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଯାଜପୁର ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ, ଡୁବୁରି ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ଟମକା ସେକ୍ସନର କନିଷ୍ଠ ଯନ୍ତ୍ରୀଙ୍କୁ ନୋଟିସ୍ କରାଯାଇଛି । ୧୨ ତାରିଖ ସୁଦ୍ଧା ହାଜର ହୋଇ ନିଜ ପକ୍ଷ ରଖିବାକୁ ନୋଟିସ୍ରେ କଣ୍ଟ ଦିଆଯାଇଛି । ସମୟସୀମା ଆଉ ୨ ଦିନ ବାକି ଥିବାବେଳେ କୌଣସି ଅଧିକାରୀ ଏଯାବତ୍ ପୁଲିସ ନିକଟରେ ଆବଶ୍ୟକ ତଥ୍ୟ ପ୍ରଦାନ କରିନାହାନ୍ତି । ଅନ୍ୟପକ୍ଷରେ, ସମ୍ପୃକ୍ତ ଠିକଦାର କୁଆଡ଼େ ଗଲେ ତାହା ଏବେ ମୁଖ୍ୟ ଆଲୋଚନାର ବିଷୟ ପାଲଟିଛି । ଗୁପ୍ତ ଟେଣ୍ଡର କାରବାରରେ ନିର୍ଦ୍ଦିଷ୍ଟ ୩ ଜଣ ଠିକାଦାରକୁ ସାମିଲ୍ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ମହିଳା ଓ ଅନ୍ୟଜଣେ ଠିକାଦାରଙ୍କ ନାମରେ ୧୦ଟି ଗୁପ୍ତ ଟେଣ୍ଡର ଭାଗବଣ୍ଟା କରାଯାଇଛି । ଏହି ୨ଜଣ ଠିକାଦାରଙ୍କ ନାମରେ ଏତଲା କରାଯାଇ ନାହିଁ । ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ଦ୍ବାରା ହୋଇଥିବା ତଦନ୍ତରେ ଦୁର୍ନୀତି ଧରାପଡ଼ିବା ସତ୍ତ୍ବେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆଜି ପର୍ଯ୍ୟନ୍ତ ହୋଇନାହିଁ । ଏକ ବିଶେଷସୂତ୍ରରୁ ମିଳିଥିବା ଖବର ଅନୁସାରେ, ପୁଲିସ ସତର୍କତା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୁପ୍ତ ଟେଣ୍ଡର ସମ୍ପର୍କିତ କାଗଜପତ୍ର ଯୋଗାଡ଼ରେ ଲାଗିଛି । ଯେଉଁଥିପାଇଁ, ନଗଡ଼ାରେ କୋଟି କୋଟି ଟଙ୍କା ଦୁର୍ନୀତିରେ ସାମିଲ ଥିବା ଅସାଧୁମେଣ୍ଟ ଏବେ ପ୍ରମାଦ ଗଣିବା ଆରମ୍ଭ କରିଛନ୍ତି । ସୂଚନାଯୋଗ୍ୟ ଯେ ନଗଡ଼ାକୁ ରାସ୍ତା ନିର୍ମାଣ ପାଇଁ ଡିଏମ୍ଏଫ୍ରୁ ୨ ଟି ଟେଣ୍ଡର ଓ ୧୦ ଟି ଗୁପ୍ତ ଟେଣ୍ଡର କରାଯାଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ରାସ୍ତା କାମକୁ ସଂପୂର୍ଣ୍ଣ କରିବାକୁ ଟେଣ୍ଡର ପ୍ରକ୍ରିୟା ଚାଲିଥିବାବେଳେ ମରାମତି ପାଇଁ ୧୦ ଟି ଗୁପ୍ତ ଟେଣ୍ଡର କରାଯାଇ ୪୪ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି । ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ବିଧିବଦ୍ଧ ତଦନ୍ତରେ ଗୁପ୍ତଟେଣ୍ଡର ଗୁପ୍ତ କାରବାର ଧରାପଡ଼ିଛି । ସରକାର ଅନ୍ ଲାଇନ ଟେଣ୍ଡରକୁ ଗୁରୁତ୍ବ ଦେଉଥିବାବେଳେ ଆଇନର ଫାଙ୍କରେ ଏହି ଡିଭିଜନରେ ଶହଶହ ସଂଖ୍ୟାରେ ଗୁପ୍ତ ଟେଣ୍ଡର କରାଯାଇଛି ।
