୭ରେ ଲଘୁଚାପ, ବାତ୍ୟା ନେଇ ସନ୍ଦେହ

ଭୁବନେଶ୍ବର : ଆସନ୍ତା ୬ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ୨୪ ଘଣ୍ଟା ପରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ପ୍ରଭାବରେ ଆଣ୍ଡାମାନ ସାଗର ଆଖପାଖ ଅଞ୍ଚଳରେ ବର୍ଷା ଓ ପବନ ସମ୍ଭାବନା ରହିଛି । ଏହାର ପ୍ରଭାବ ବିଭିନ୍ନ ଅଞ୍ଚଳରେ କ’ଣ ରହିବ, ତାହା ଆକଳନ କରାଯାଇନାହିଁ । ଏଥିସହ ଓଡ଼ିଶାରେ ଏହାର ପ୍ରଭାବ କ’ଣ ରହିବ, ଲଘୁଚାପଟି ଅଧିକ ଘନୀଭୂତ ହେବ କି ନାହିଁ, ଯଦି ହେବ କେତେ ଘନୀଭୂତ ହେବ ଓ ବ‌ାତ୍ୟା ରୂପ ନେବ କି ନାହିଁ, ତାହା ଲଘୁଚାପ ସୃଷ୍ଟି ପରେ ସ୍ପଷ୍ଟ କହି ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ସଙ୍କେତ ଦେଇଛନ୍ତି ଯେ ଲଘୁଚାପଟି ବାତ୍ୟା ରୂପ ନେବ । ଆସନ୍ତା ୫ ତାରିଖ ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୭ ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା ଅଛି । ଏହାର ଗତିପଥ କ’ଣ ହେବ ଓ କେତେ ଘନୀଭୂତ ହେବ;‌ ସେଥିରେ ବିଭିନ୍ନ ମଡେଲ ମଧ୍ୟରେ ସହମତି ନାହିଁ । ୟୁରୋପିଆନ୍‌ ମଡେଲ, ଅଷ୍ଟ୍ରେଲିଆନ୍‌ ମଡେଲ ଓ ଜର୍ମାନୀ ମଡେଲ କହୁଛି ଯେ ଲଘୁଚାପ ହେବା ପରେ ଏହା ବିଶେଷ ଘନୀଭୂତ ହେବନାହିଁ । ଲଘୁଚାପଟି ପଶ୍ଚିମ ଆଡ଼କୁ ଗତି କରି ତାମିଲନାଡୁ ଓ ସଂଲଗ୍ନ ଆନ୍ଧ୍ର ଉପକୂଳକୁ ଗତି କରିବ ଏବଂ ସେତେବେଳକୁ ଦୁର୍ବଳ ହୋଇସାରିଥିବ ।

ଏନ୍‌ସିଇପି-ଜିଏଫ୍ଏସ୍‌ ମଡେଲ କହୁଛି, ଘୂର୍ଣ୍ଣିବଳୟଟି ୭ ତାରିଖରେ ଲଘୁଚାପ ହେବା ପରେ ୯ ତାରିଖରେ ଅବପାତ ଓ ୧୧ ତାରିଖରେ ବାତ୍ୟାରେ ପରିଣତ ହୋଇପାରେ । ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ସିଷ୍ଟମଟି ସେତେବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଥିବ। ଏହାପ‌ରେ କିଛି ଉତ୍ତରକୁ ଯାଇ ଦିଗ ପରିବର୍ତ୍ତନ କରି ମିଆଁମାର-ବାଂଲାଦେଶ ଯାଇପାରେ । ଦିଗ ପରିବର୍ତ୍ତନ ନ କଲେ ଦେଶର ପୂର୍ବ ଉପକୂଳ ଛୁଇଁପାରେ । ସାମୁଦ୍ରିକ ଝଡ଼ ଫନି ଏପ୍ରିଲ ମାସରେ ସୃଷ୍ଟି ହୋଇ ମେ’ ୩ରେ ପୁରୀ ଛୁଇଁଥିଲା, ଯାହାକି ଏକ ବ୍ୟତିକ୍ରମ । କାରଣ ଏପ୍ରିଲ ମାସର ବାତ୍ୟା ଭାରତର ପୂର୍ବ ଉପକୂଳ ଛୁଇଁ ନଥାଏ । ତେବେ ଜଳବାୟୁରେ ପରିବର୍ତ୍ତନ ହେତୁ ବହୁ ନୂଆ ସିଷ୍ଟମ ସୃଷ୍ଟି ହେଉଥିବାରୁ ଏହାର ଗତିପଥ କ’ଣ ହେବ, ତାହା ବର୍ତ୍ତମାନ କହି ହେବନାହିଁ । ଲଘୁଚାପ ସୃଷ୍ଟି ହେବାର ୪୮ ଘଣ୍ଟା ପରେ ଅର୍ଥାତ ୯ ତାରିଖ ବେଳକୁ ଏନେଇ ଅଧିକ ସ୍ପଷ୍ଟ କହିହେବ ବୋଲି ଡ. ପଶୁପାଳକ କହିଛନ୍ତି ।

ଗତକିଛି ଦିନ ଭଳି ଆଜି ବି ପଶ୍ଚିମ ଓଡ଼ିଶାରେ ତାତି ଅଣାୟତ୍ତ ଥିଲା । ବଲାଙ୍ଗୀର, ଟିଟିଲାଗଡ଼ ଓ ବୌଦ୍ଧର ଦିନ ତାପମାତ୍ରା ୪୨ ଡିଗ୍ରି ଉପରେ ‌ରହିଥିଲା । ୪୨.୬ ଡିଗ୍ରି ତାପମାତ୍ରା ସହ ବଲାଙ୍ଗୀର ରାଜ୍ୟର ଉତ୍ତପ୍ତ ସହର ପାଲଟିଥିବା ବେଳେ ଟିଟିଲାଗଡ଼ରେ ୪୨.୫ ଡିଗ୍ରି ଓ ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରି ରହିଥିଲା । ସେହିଭଳି ଝାରସୁଗୁଡ଼ାରେ ୪୦.୮ ଡିଗ୍ରି, ଭବାନୀପାଟଣା ଓ ସୋନପୁର‌ରେ ୪୦.୬ ଡିଗ୍ରି ସୁନ୍ଦରଗଡ଼ରେ ୪୦.୫ ଡିଗ୍ରି ଓ ସମ୍ବଲପୁରରେ ୪୦.୧ ଡିଗ୍ରି ଲେଖାଏଁ ଦିନ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ପଶ୍ଚିମ ଓଡ଼ିଶା ସମେତ ସଂଲଗ୍ନ ଆଭ୍ୟନ୍ତର ଓଡ଼ିଶାରେ ମଧ୍ୟ ତାତି ଏହିଭଳି ଉପରମୁହାଁ ରହିବ । ଏହିସବୁ ସ୍ଥାନରେ ତାପମାତ୍ରା ପ୍ରାୟ ୨ ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ । ଅନ୍ୟପଟେ ଉପକୂଳ ଓଡ଼ିଶାର ପାଗ ଏବେ କୋହଲା ଓ ଶୀତଳ ରହିଥିବା ବେଳେ ଆହୁରି ୨ ଦିନ ଏଭଳି ପାଗ ରହିବ ‌ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

Leave a Reply

Your email address will not be published. Required fields are marked *