୬ ରେ ଲଘୁଚାପ, ୧୦ ରେ ସ୍ଥଳଭାଗ ଛୁଇଁବ

ଭୁବନେଶ୍ୱର : ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖାପାଖ ଅଞ୍ଚଳରେ ଆଜି ସକାଳ ୫.୩୦ ସମୟରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହି ଘୁର୍ଣ୍ଣିବଳୟ ବାୟୁମଣ୍ଡଳର ମଧ୍ୟ ଭାଗ ଯାଏଁ ବ୍ୟାପିଛି । ଘୁର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସେହିପରି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ଆକଳନ ଅନୁଯାୟୀ ବୁଧବାର ସୁଦ୍ଧା ସୃଷ୍ଟି ହେବାକୁ ଥିବା ଲଘୁଚାପ ପରବର୍ତ୍ତୀ ୨୪ ଘଣ୍ଟାରେ ଗଭୀର ଅବପାତ ଏବଂ ମେ ୬ ସୁଦ୍ଧା ଆହୁରି ଘନୀଭୂତ ହୋଇ ବାତ୍ୟା ରୂପ ନେବ । ତେବେ ଏହି ବାତ୍ୟା ବଙ୍ଗୋପସାଗର ଭିତରେ ହିଁ ସୃଷ୍ଟି ହୋଇ ବାଂଲାଦେଶ ଆଡ଼କୁ ମୁହାଁଇବ ବୋଲି ଏହା ଆକଳନ କରିଛି । ଅନ୍ୟପକ୍ଷରେ ଲଘୁଚାପ ସୃଷ୍ଟି ହେବା ପରେ ହିଁ ଏହା ଗତିପଥ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁପାରେ । ଗୋପାଳପୁରରୁ ଦୀଘା କିମ୍ବା ପାରଦ୍ବୀପରୁ ପୁରୀ ମଧ୍ୟରେ ସମ୍ଭବତଃ ଏହା ସ୍ଥଳଭାଗ ଛୁଇଁପାରେ । ତେବେ ବାତ୍ୟାର ତୀବ୍ରତା କମ୍ ରହିବ । ଉପକୂଳ ଛୁଇଁବାବେଳକୁ ଏହା ଦୁର୍ବଳ ହୋଇଯିବ । ଏହା ୮ରେ ବାତ୍ୟା ରୂପ ନେବ । ଓଡ଼ିଶା ଉପକୂଳରେ ୧୦ ତାରିଖ ସକାଳେ ଛୁଇଁବା ସମ୍ଭାବନା ରହିଛି । ସ୍ଥଳଭାଗ ଛୁଇଁବାବେଳକୁ ପବନ ବେଗ ଘଣ୍ଟାକୁ ୭୦ କିମି ପର୍ଯ୍ୟନ୍ତ କମିଯାଇଥିବ । ଏହାର ପ୍ରଭାବରେ ୯ ଓ ୧୦ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *