ଦାବି ପୂରଣର ପ୍ରତିଶ୍ରୁତି ଦିଆଯିବା ସତ୍ତ୍ୱେ ଆଜିଠୁ ଓଡ଼ିଶା ଡ୍ରାଇଭର୍ ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

ଭୁବନେଶ୍ବର : ବିଭିନ୍ନ ଦାବିପୂରଣ ପାଇଁ ଓଡ଼ିଶା ଡ୍ରାଇଭର୍ ମହାସଂଘ ପକ୍ଷରୁ ରାଜଧାନୀରେ ଆନ୍ଦୋଳନ କରାଯାଇଥିଲା । ଏହାପରେ ଗତକାଲି ସରକାରଙ୍କ ପକ୍ଷରୁ ଦାବି ପୂରଣର ପ୍ରତିଶ୍ରୁତି ଦିଆଯିବା ସତ୍ତ୍ୱେ ଆଜିଠୁ ଓଡ଼ିଶା ଡ୍ରାଇଭର୍ ମହାସଂଘ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦେଇଛି । ଏହା ଫଳରେ ଆଜି ଡ୍ରାଇଭରମାନେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିବେ ବୋଲି ଜଣାଯାଇଛି ।

ସୂଚନାଯୋଗ୍ୟ, ଗତକାଲି ଡ୍ରାଇଭର ମହାସଂଘର କର୍ମକର୍ତ୍ତାଙ୍କ ସହ ସରକାର ଆଲୋଚନା କରିଥିଲେ । ଏହାପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ, ଡ୍ରାଇଭର ମହାସଂଘର ଦାବି ସଂକ୍ରାନ୍ତରେ ପରିବହନ ଓ ଶ୍ରମ ବିଭାଗ ଅଧୀନରେ ଏକ କମିଟି ଗଠନ କରାଯିବ । ଏହି କମିଟି ବିଭିନ୍ନ ରାଜ୍ୟ ଗସ୍ତ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ । ଆଗାମୀ ତିନି ମାସ ଭିତରେ ଦାବି ପୂରଣ ନେଇ ଉଦ୍ୟମ ହେବ । ଡ୍ରାଇଭର ମହାସଂଘକୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ କୁହାଯାଇଛି ବୋଲି ମନ୍ତ୍ରୀ କହିଥିଲେ ।

ଉଲ୍ଲେଖଯୋଗ୍ୟ, ବିଭିନ୍ନ ଦାବିପୂରଣ ପାଇଁ ଓଡ଼ିଶା ଡ୍ରାଇଭର୍ ମହାସଂଘ ପକ୍ଷରୁ ରାଜଧାନୀ ଭୁବନେଶ୍ବରରେ ବିଶାଳ ରାଲିର ଆୟୋଜନ କରାଯାଇଛି । ୧୦ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ । ଡ୍ରାଇଭମାନେ ରାଲିରେ ଯାଇ ନବୀନ ନିବାସ ଘେରାଉ କରିବେ ବୋଲି ସୂଚନା ମିଳିଥିଲା । ସୋମବାର ଭୋରରୁ ରାଜ୍ୟର ବିଭିନ୍ନ ଅଂଚଳରୁ ହଜାର ହଜାର ସଂଖ୍ୟାରେ ଡ୍ରାଇଭର ଆସି ଭୁବନେଶ୍ବରରେ ପହଞ୍ଚିଥିଲେ । ମାଷ୍ଟରକ୍ୟାଣ୍ଟିନ୍ ଛକରେ ସେମାନେ ଏକତ୍ରିତ ହୋଇଥିଲେ । ଏତେ ସଂଖ୍ୟକ ଡ୍ରାଇଭରଙ୍କ ସମାଗମ କାରଣରୁ ଭୁବନେଶ୍ବରର ରାସ୍ତାଘାଟଗୁଡ଼ିକ ଜାମ୍ ହୋଇଯାଇଥିଲା ।

Leave a Reply

Your email address will not be published. Required fields are marked *