କୋଭିଡ କେନ୍ଦ୍ର ବିଜୁଳି ବିଲ୍‌ ପୈଠ ହେଉନି : ବିଦ୍ୟାଳୟରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ

ଦଶରଥପୁର : କୋଭିଡ୍‌ ସେଣ୍ଟର ପାଇଁ ବ୍ୟବହାର କରାଯାଇଥିବା ବିଦ୍ୟୁତ୍‌ ବିଲ୍‌ କିଏ ପୈଠ କରିବ, ଏହାକୁ ନେଇ ଦ୍ବନ୍ଦ୍ବ ଦେଖା ଦେଇଛି । ପଞ୍ଚାୟତ କର୍ତ୍ତୃପକ୍ଷ ସେତେବେଳେ କୋଭିଡ୍‌ କେନ୍ଦ୍ର ଦାୟିତ୍ବରେ ଥିଲେ । ସରପଞ୍ଚମାନେ ଜିଲ୍ଲାପାଳ କ୍ଷମତା ପାଇଥିଲେ । କୋଭିଡ୍‌ କେନ୍ଦ୍ରରେ ଅନେକ ବିଦ୍ୟୁତ୍‌ ଉପକରଣ ବ୍ୟବହାର ହୋଇଥିଲା । ଏଥିଯୋଗୁଁ ବିଜୁଳି ବିଲ୍‌ ଯଥେଷ୍ଟ ଅଧିକ ‌ଆସିଥିଲା । ମାତ୍ର ତାକୁ ସେମାନେ ପୈଠ କରିନଥିଲେ । ବରଂ ପରେ  କୋଭିଡ୍‌ କେନ୍ଦ୍ର ଉପକରଣ ଗାଏବ ହୋଇଯାଇଥିଲା । ଏବେ ସେହି ବକେୟା ବିଜୁଳି ବିଲ୍‌ ସବୁ ବଦ୍ୟାଳୟ ଉପରେ ବୋଝ ହୋଇ ଗଡ଼ୁଛି ।

ଏମିତିକି କେତେକ ବିଦ୍ୟାଳୟରୁ ସଂଯୋଗ କାଟି ଦିଆଯାଇଛି । ଦଶରଥପୁର ବ୍ଲକର ମୋଟ ୩୫ଟି ପଞ୍ଚାୟତରେ ୧୬୭ଟି ବିଦ୍ୟାଳୟରେ ଅସ୍ଥାୟୀ କେନ୍ଦ୍ର ଖୋଲାଯାଇଥିଲା । ଆକ୍ବାଗାର୍ଡ, ଲାଇଟ୍‌, ଫ୍ୟାନ, ପାଣି ମଟର, ଇନଭର୍ଟର ଆଦି ପ୍ରାୟ ୧ ବର୍ଷ ବ୍ୟବହାର କରାଯାଇଥିଲା । ତେଣୁ ମୋଟା ଅଙ୍କ ବିଜୁଳି ବିଲ୍‌ ଆସିଥିଲା । ଏହି ଟଙ୍କା ବାକି ରହିଛି । ଚଳିତ ମାସ ବିଦ୍ୟୁତ୍‌ କର୍ମଚାରୀମାନେ ଟଙ୍କା ଆଦାୟ କରିବା ସମୟରେ ଅଧିକାଂଶ ବିଦ୍ୟାଳୟରେ ୨୦ ରୁ ୩୦ ହଜାର ଟଙ୍କାର ବିଲ୍‌ ଦେଖାଇଛନ୍ତି । ଏତେ ଟଙ୍କା ‌ଦେବାକୁ ସେମାନେ ଅସମର୍ଥ ବୋଲି ପ୍ରଧାନଶିକ୍ଷକମାନେ କହିଛନ୍ତି । ବିଲ୍‌ ପୈଠ ନକରିବାରୁ ଜାଫରପୁର ପଞ୍ଚାୟତ ନାରିଗାଁ ଉଚ୍ଚବିଦ୍ୟାଳୟରେ ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯାଇଛି । ତୁରନ୍ତ ପଞ୍ଚାୟତ ଏସବୁ ବିଲ୍‌ ଭରିବାକୁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *