ରଗଡ଼ି : କୋରେଇ ବ୍ଲକ୍ରେ ଶିକ୍ଷକତା କରୁଥିବା ସମ୍ପର୍କୀୟ ଭାଇଭଉଣୀଙ୍କୁ ଜାଲ ଜାତିଗତ ପ୍ରମାଣପତ୍ର ଦେଇଥିବା ଅଭିଯୋଗରେ ଚାକିରିରୁ ନିଲମ୍ବିତ କରାଯାଇଛି । ଅଭିଯୋଗ ଅନୁଯାୟୀ, ପଚ୍ଛିକୋଟ ସରକାରୀ ଉଚ୍ଚବିଦ୍ୟାଳୟରେ ଶିକ୍ଷକତା କରୁଥିବା ମାନସ କୁମାର ନାୟକ ୨୦୧୦ ମସିହାରେ ତଫସିଲଭୁକ୍ତ ଜାତି ପ୍ରମାଣପତ୍ର ହାସଲ କରିଥିଲେ । ସେହିପରି ତରପଦା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ତାଙ୍କ ଭଉଣୀ ଜ୍ୟୋତ୍ସ୍ନା ନାୟକ ମଧ୍ୟ ତଫସିଲଭୁକ୍ତ ଜାତି ପ୍ରମାଣପତ୍ର ଦେଇ ୨୦୦୭ ମସିହାରେ ଚାକିରି କରିଥିଲେ । ହେଲେ ଏହି ପ୍ରମାଣପତ୍ର ଜାଲ ବୋଲି ଅଭିଯୋଗ ହୋଇଛି ।
ଅଭିଯୋଗ ଆଧାରରେ ତଦନ୍ତ କରାଯାଇ ମାନସ ଓ ଜ୍ୟୋତ୍ସ୍ନାଙ୍କୁ ନିଲମ୍ବିତ କରାଯାଇଛି । ପ୍ରକାଶ ଯେ, ଜାତି ପ୍ରମାଣପତ୍ର ଓ ଯୋଗ୍ୟତା ପ୍ରମାଣପତ୍ରରେ ଚଞ୍ଚକତା କରି ଅନେକ ଶିକ୍ଷକ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଥିଲା । ରାଜ୍ୟ ସରକାର ଏହାର ଯାଞ୍ଚ ପାଇଁ ଦୁଇ ବର୍ଷ ତଳେ ନିର୍ଦ୍ଦେଶ ଦେଇଥିଲେ । କେତେକ ଶିକ୍ଷକ ଚଞ୍ଚକତା କରିଥିବା ପ୍ରମାଣ ମିଳିବା ପରେ ସେମାନଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଆଉ କେତେକ ତଦନ୍ତ ପୂର୍ବରୁ ଚାକିରି ଛାଡ଼ି ଦେଇଥିଲେ ।
କୋରେଇ ବ୍ଲକ୍ରେ କାର୍ଯ୍ୟକରି ନିଲମ୍ବିତ ହୋଇଥିବା ଏହି ଦୁଇ ସମ୍ପର୍କୀୟ ଭାଇଭଉଣୀଙ୍କ ପରିବାରର ଜାତି ଜମି ପଟ୍ଟା ଅନୁଯାୟୀ ଖଣ୍ଡରା । ଯାହା ପଛୁଆବର୍ଗ ଶ୍ରେଣୀ ଭୁକ୍ତ । ହେଲେ ସେମାନେ ତଫସିଲଭୁକ୍ତ ଜାତି ବୋଲି ଦର୍ଶାଇ ଚାକିରି କରିଥିଲେ । ଆରଡିସିଙ୍କ କାର୍ଯ୍ୟାଳୟରେ ଏହାର ତଦନ୍ତ କରାଯାଇ ଉଭୟ ପଛୁଆବର୍ଗର ବୋଲି ଜଣାପଡ଼ିଥିଲା । ଯାହାକୁ ନେଇ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ସେମାନଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା । ଏସମ୍ପର୍କରେ କୋରେଇ ବ୍ଲକ୍ ଶିକ୍ଷା ଅଧିକାରୀ ସୁଦର୍ଶନ ମଲ୍ଲିକଙ୍କୁ ପଚାରିବାରୁ ଉଭୟଙ୍କୁ ନିଲମ୍ବିତ କରାଯାଇଥିବା କହିଥିଲେ ।
