ନାନା ଅବ୍ୟବସ୍ଥାରେ ଚାଲିଛି ରାଉରକେଲା ମାତୃ-ଶିଶୁ ହସ୍ପିଟାଲ

ରାଉରକେଲା : ନାନା ଅବ୍ୟବସ୍ଥାରେ ଚାଲିଛି ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ପରିସରସ୍ଥ ମାତୃ-ଶିଶୁ ହସ୍ପିଟାଲ (ଏମ୍‌ସିଏଚ୍‌) । ଫଳରେ ଉପଯୁକ୍ତ ଚିକିତ୍ସା‌ ଯୋଗାଇବାରେ ଏହା ବିଫଳ ହୋଇଛି ବୋଲି  ଅଭିଯୋଗ ଆଣିଛନ୍ତି ଅନେକ ଚିକିତ୍ସାଧୀନ ‌ରୋଗୀ ଓ ତା’ଙ୍କ ସମ୍ପର୍କୀୟ । କିଛି ମାସ ପୂର୍ବରୁ ଏହାର ବିଭିନ୍ନ ସମସ୍ୟା ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ କିଛି ସମସ୍ୟାକୁ ପର୍ଯ୍ୟାୟକ୍ରମେ ସମାଧାନ କରିଥିଲେ । କିନ୍ତୁ ଏବେ ପୁଣି ସମାନ ସ୍ଥିତି ଉପୁଜିଛି । ୬ ମହଲା ବିଶିଷ୍ଟ ଏହି ହସ୍ପିଟାଲର ଉପର ତଳକୁ ଯିବା ଆସିବା ପାଇଁ ଦୁଇଟି ଲିଫ୍ଟର ବ୍ୟବସ୍ଥା ରହିଛି । ତା’ ଭିତରୁ ଗୋଟିଏ ଅଚଳ ହୋଇ ପଡିଛି । ମାସ ମାସ ଧରି ଏହା ଅଚଳ ହୋଇ ପଡ଼ିଥିଲେ ହେଁ ମରାମତି କରାଯାଉନି । ଫଳରେ ଗୋଟିଏ ଲିଫ୍ଟରେ ଉପରେ ଡାକ୍ତର, ନର୍ସ ଓ ଚିକିତ୍ସା ପାଇଁ ଆସୁଥିବା ପ୍ରସୂତି ମହିଳା ନିର୍ଭର କରୁଥିବାରୁ ସମସ୍ୟା ଜଟିଳ ହେଉଛି ।

ଅନେକ ସମୟରେ ଗୁରୁତର ଗର୍ଭବତୀ ମହିଳାମାନେ ଅପେକ୍ଷାରେ ଠିଆ ହେବାକୁ ବାଧ୍ୟ ହେଉଛନ୍ତି । ପୁଣି ଦିନବେଳା ପ୍ରସୂତି ମହିଳା ଓ ନବଜାତ ଶିଶୁଙ୍କୁ ଡାକ୍ତରମାନେ ସେବା ଯୋଗାଉଥିବାବେଳେ ରାତିରେ କୌଣସି ଡାକ୍ତର ରହୁନାହାନ୍ତି । ଏ ସଂକ୍ରାନ୍ତରେ ଅଭିଯୋଗ ହେଉଥିଲେ ହେଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ଧ୍ୟାନ ଦିଆ ଯାଇନାହିଁ ବୋଲି ‌ରୋଗୀମାନେ ଅଭିଯୋଗ କରିଛନ୍ତି । ଗ୍ରାଉଣ୍ଡ ଫ୍ଲୋରରେ ରହିଛି ସୁରକ୍ଷିତ ଗର୍ଭପାତ ପାଇଁ ସ୍ବୀକୃତିପ୍ରାପ୍ତ ସ୍ବାସ୍ଥ୍ୟ କେନ୍ଦ୍ର (ପିପିସି ଓଟି) । ଏହି କେନ୍ଦ୍ରରେ ଜଣେ ଡାକ୍ତର ଓ ଜଣେ ଷ୍ଟାଫ୍‌ ନର୍ସଙ୍କୁ ନିଯୁକ୍ତି ଦିଆଯାଇଛି । କିନ୍ତୁ ଏମ୍‌ସିଏଚ୍‌ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀଙ୍କ ଅବହେଳାରୁ ପ୍ରାୟ ଦେଢ଼ବର୍ଷ ଧରି  ପିପିସି ଓଟିରେ ତାଲା ଝୁଲୁଛି । ଫଳ‌ରେ ଯେଉଁ ଲକ୍ଷ୍ୟ ନେଇ ଏହି ଓଟିର ବ୍ୟବସ୍ଥା କରାଯାଇଥିଲା, ତାହା ପୂରଣ ହେଉନି । ନିକଟରେ ଓଟି ବନ୍ଦକୁ କେନ୍ଦ୍ର କରି ଡାକ୍ତର ଓ ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

କଥା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପର୍ଯ୍ୟନ୍ତ ଯାଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ଓଟିକୁ ଖୋଲାଯିବାକୁ ବ୍ୟବସ୍ଥା କରାଗଲା ନାହିଁ । କେବଳ ଏତିକି ନୁହେଁ, ପ୍ରାୟ ଏକ ବର୍ଷରୁ ଅଧିକ କାଳ ଧରି ପରିବାର ନିୟୋଜନ ଅସ୍ତ୍ରୋପଚାରକୁ ମଧ୍ୟ ବନ୍ଦ କରି ଦିଆଯାଇଛି । ଯେଉଁ ମହିଳାମାନେ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ଆସୁଛନ୍ତି, ସେମାନଙ୍କୁ ବିଭିନ୍ନ ଆଳ ଦେଖାଇ ଘରୋଇ ହସ୍ପିଟାଲକୁ ଯିବାକୁ କୁହାଯାଉଛି । ଜିଲ୍ଲା ଖଣିଜ ପାଣ୍ଠିରୁ ଆର୍‌ଜିଏଚ୍‌ ଚିକିତ୍ସା ସେବାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବାବେଳେ କ’ଣ ପାଇଁ ପରିବାର ନିୟୋଜନ ଅସ୍ତ୍ରୋପଚାରକୁ ବନ୍ଦ କରି ଦିଆଯାଇଛି, ତା’ର ସମୀକ୍ଷା ହେବା ଦରକାର ବୋଲି ଦାବି ହେଉଛି । ଉଲ୍ଲେଖଯୋଗ୍ୟ, ୨୦୧୩ରେ ଏମ୍‌ସିଏଚ୍‌ ବିଲ୍‌ଡିଂ ନିର୍ମାଣ କାମ ଆରମ୍ଭ ହୋଇଥିଲା ।  ପ୍ରାୟ ୧୧ କୋଟି ୫୨ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ୨୦୧୫ ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଠିକା ସଂସ୍ଥାକୁ ସମୟ ଦିଆଯାଇଥିଲା । କିନ୍ତୁ ନିର୍ଦ୍ଧାରିତ ସମୟର ବର୍ଷକ ପରେ, ଅର୍ଥାତ୍‌ ୨୦୧୬ ଡିସେମ୍ବର ମାସରେ ନିର୍ମାଣ କାର୍ଯ୍ୟ ‌ଶେଷ ହୋଇଥିଲା । ୨୦୧୭ ଅକ୍ଟୋବର ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମାତୃ୍ -ଶିଶୁ ହସ୍ପିଟାଲକୁ ଲୋକାର୍ପିତ କରିଥିଲେ ।

Leave a Reply

Your email address will not be published. Required fields are marked *