ଭବାନୀପାଟଣା : ନାଗାବଳୀର ଓଡ଼ିଶା ପଟ ମୁକୁଳା ଥିବାରୁ ଫାଇଦା ନେଉଛି ଆନ୍ଧ୍ର । ୨ଟି ବ୍ୟାରେଜ୍ ନିର୍ମାଣ କରି ନିଜର କ୍ଷେତ ପାଇଁ ଜଳଚେସନ ବ୍ୟବସ୍ଥା କରିଛି । ଓଡ଼ିଶା ପକ୍ଷରୁ ବ୍ୟାରେଜ୍ ନିର୍ମାଣ ନହେବା ଫଳରେ ଏହି ପଡ଼ୋଶୀ ରାଜ୍ୟ ଫାଇଦା ହାତେଇବାରେ ଲାଗିଛି । ୧୮ ବର୍ଷ ତଳେ ରାୟଗଡ଼ା ଜିଲ୍ଲା ମିନାଝୋଲାଠାରେ ବ୍ୟାରେଜ ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଲା । ମାତ୍ର, ତାହା ଆଉ ଆଗକୁ ବଢ଼ି ପାରିନାହିଁ ।
ଓଡ଼ିଶାର କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଗୁଣପୁର ପଞ୍ଚାୟତର ବାଲିସରା ଲାଖବାହାଲ ଗ୍ରାମ ନିକଟରୁ ନାଗାବଳୀ ନଦୀ ଉତ୍ପତ୍ତି ହୋଇଛି । ଏଠାରୁ ବାହାରି କଳାହାଣ୍ଡି ଜିଲ୍ଲାର ନାକରୁଣ୍ଡି, କେରପାଇ, ରାୟଗଡ଼ା ଜିଲ୍ଲାର କଲ୍ୟାଣୀସିଂହପୁର, ରାୟଗଡ଼ା, ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଦେଇ କଳିଙ୍ଗପଟନମଠାରେ ବଙ୍ଗୋପସାଗରରେ ମିଶିଛି । ନାଗାବଳୀ ନଦୀ ଲାଖବାହାଲଠାରୁ କଳିଙ୍ଗପଟନମ ପର୍ଯ୍ୟନ୍ତ ପ୍ରାୟ ୨୫୬.୫ କିମି ନିଜର ଗତିପଥ ବିସ୍ତାର କରିଛି । ଓଡ଼ିଶାରେ ୮ ହଜାର ବର୍ଗ କିମି ଥିବାବେଳେ ଆନ୍ଧ୍ରପ୍ରଦେଶରେ ୨୮୦୦ ବର୍ଗ କିମି ରହିଛି । ଓଡ଼ିଶାରେ ୧୬୦ କିମି ଯାଇଥିବା ବେଳେ ଅବଶିଷ୍ଟ ଆନ୍ଧ୍ରପ୍ରଦେଶରେ ରହିଛି । ଓଡ଼ିଶାରୁ ଏହି ନଦୀ ବାହାରିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଏଯାବତ୍ ବ୍ୟାରେଜ ନିର୍ମାଣ ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନାହିଁ । ୨୦୦୪ ମସିହାରେ ରାଜ୍ୟ ସରକାର ପକ୍ଷରୁ ରାୟଗଡ଼ା ଜିଲ୍ଲାର ମିନାଝୋଲାଠାରେ ବହୁମୁଖୀ ଜଳବିଦ୍ୟୁତ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କାରାଯାଇଥିଲା । ଏହାପରେ ୧୮ ବର୍ଷ ବିତି ଯାଇଥିଲେ ମଧ୍ୟ ବ୍ୟାରେଜ ନିର୍ମାଣ ହୋଇପାରି ନାହିଁ ।
ମିନାଝୋଲା ଜଳବିଦ୍ୟୁତ ପ୍ରକଳ୍ପ ନିମନ୍ତେ ଅର୍ଥ ମଞ୍ଜୁର ନହେବା ଯୋଗୁ ସରକାରୀ ନାଲିଫିତା ତଳେ ଏହାର ଭବିଷ୍ୟତ ପଡ଼ିରହିଛି । ଅନ୍ୟ ପକ୍ଷରେ ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାରେ ୨ଟି ବ୍ୟାରେଜ ନିର୍ମାଣ ହୋଇସାରିଛି । ଏହାକୁ ନେଇ ୧୯୬୨ ମସିହା ସେପ୍ଟେମ୍ବର ୩୦ ତାରିଖରେ ଆନ୍ତଃରାଜ୍ୟ ଜଳ କମିସନଙ୍କ ପାଖରେ ଫେରାଦ ହୋଇଥିଲା । ତତ୍କାଳୀନ ଅଧ୍ୟକ୍ଷ ଜଷ୍ଟିସ ମୁକୁନ୍ଦମ ଶର୍ମା ଏହି ବିବାଦର ଶୁଣାଣି କରି ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ୫୦% ଲେଖାଏଁ ପାଣି ବ୍ୟବହାର କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ ଓଡ଼ିଶା ମୁନ୍ଦାଏ ପାଣି ମଧ୍ୟ ଜଳସେଚନ ନିମନ୍ତେ ବ୍ୟବହାର କରିପାରି ନାହିଁ । ଏପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ ପକ୍ଷରୁ ବିଜୟନଗରମ ଜିଲ୍ଲାରେ ଗୋଟା ବ୍ୟାରେଜ ଓ ନାରେଡ଼ି ବ୍ୟାରେଜ ନିର୍ମାଣ କରିସାରିଛି । ନାରେଡ଼ି ବ୍ୟାରେଜ ଦ୍ବାରା ଏହାର ବାମ ମୁଖ୍ୟ କେନାଲରେ ୧ ଲକ୍ଷ ୪୮ ହଜାର ଏକର ଓ ଦକ୍ଷିଣ ମୁଖ୍ୟ କେନାଲରେ ୬୨ ହଜାର ୭ ଶହ ଏକର ଜମି ଜଳସେଚିତ ହେଉଛି । ସେହିଭଳି ଉଭୟ ଗୋଟା ଓ ନାରେଡ଼ି ବ୍ୟାରେଜ ଦ୍ବାରା ୧୧୫ ହଜାର ମିଲିୟନ କ୍ୟୁବିକଫିଟ୍ ଜଳ ନିଷ୍କାସିତ ହେଉଛି । ଓଡ଼ିଶାରେ ନାଗାବଳୀ ଅଞ୍ଚଳରେ ବାର୍ଷିକ ବୃଷ୍ଟିପାତ ୧୪ ଶହ ମିମି ଥିବାବେଳେ ଆନ୍ଧ୍ରପ୍ରଦେଶରେ ବାର୍ଷିକ ୨୫୦ ରୁ ୩୦୦ ମିମି ବୃଷ୍ଟିପାତ ହୋଇଥାଏ । ଓଡ଼ିଶାର ଏହି ବୃଷ୍ଟିପାତରୁ ନାଗାବଳୀ ନଦୀ ଜରିଆରେ ଆଜି ଆନ୍ଧ୍ରପ୍ରଦେଶ ଶସ୍ୟ ଶ୍ୟାମଳା ହେଉଛି ।
ଅନ୍ୟପକ୍ଷରେ, ନାଗାବଳୀକୁ ନେଇ ଆନ୍ଧ୍ରପ୍ରଦେଶ ଫାଇଦା ଉଠାଉଥିବା ବେଳେ ଓଡ଼ିଶା ଜଳକା ହୋଇ ରହିଛି । ୧୮ ବର୍ଷ ପରେ ମଧ୍ୟ ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ମିନାଝୋଲାଠାରେ ବ୍ୟାରେଜ ନିର୍ମାଣ ମରୀଚିକା ପାଲଟିଛି । ଓଡ଼ିଶାର ରାଜନେତାମାନେ ଏଦିଗରେ କୌଣସି ପଦକ୍ଷେପ ନେଉ ନଥିବା ଯୋଗୁ ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ଆନ୍ଧ୍ରପ୍ରଦେଶ ନାଗାବଳୀ ଯୋଗୁ ଜଳସେଚନ ବ୍ୟବସ୍ଥା କରି ଚାଷୀଙ୍କ ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିବାରେ ଲାଗିଛି । ଅନ୍ୟପକ୍ଷରେ ସବୁଥାଇ ଇଚ୍ଛାଶକ୍ତିର ଅଭାବ ଯୋଗୁ ପ୍ରକଳ୍ପର ଭବିଷ୍ୟତ ସନ୍ଦିହାନ ହୋଇପଡ଼ିଛି ।
