ଦିଗହରା ପାଠପଢା, ସ୍କୁଲ ମୁଖିଆଙ୍କ ଜନ୍ମଦିନ ପାଇଁ ନୃତ୍ୟ ଅଭ୍ୟାସ କରୁଛନ୍ତି ଶିକ୍ଷକଶିକ୍ଷୟତ୍ରୀ

ଡେସ୍କ : ରାଜ୍ୟରେ ଛତୁ ଫୁଟିଲା ଭଳି ଖୋଲିଥିବା ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡିକରେ ଶିକ୍ଷାଦାନ ମାନ କେତେ ଉନ୍ନତ ତାହା ଆଖିରେ ନ ଦେଖିଲେ ବିଶ୍ୱାସ ହେବନି । ଇଂରାଜୀ ମାଧ୍ୟମ ସ୍କୁଲଗୁଡ଼ିକରେ ପାଠପଢାକୁ ବାଦ ଦେଲେ ବିଭିନ୍ନ କାର୍ଯ୍ୟକ୍ରମର ବାହାନା ଦେଖାଇ ଅଭିଭାବକମାନଙ୍କ ଠାରୁ ଅର୍ଥ ଆଦାୟ କରିବା ସହ କେତେକ ବିଦ୍ୟାଳୟରେ ଅନଭିଜ୍ଞ ଶିକ୍ଷକ ନିଯୁକ୍ତି କରି କୋମଳମତି ପିଲାମାନଙ୍କ ଭବିଷ୍ୟତକୁ ଅନ୍ଧାର ମଧ୍ୟକୁ ଠେଲି ଦିଆଯାଉଛି । ତେବେ ସବୁ ସୀମା ଲଙ୍ଘନ କରିଛି କଟକ ବାରବାଟୀ ଷ୍ଟାଡିଅମ ମଧ୍ୟରେ ଥିବା ଏକ ଇଂରାଜୀ ମାଧ୍ୟମ ସ୍କୁଲ ।

ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ସୋମବାର ଅର୍ଥାତ ମେ ମାସ ୯ ତାରିଖରେ ସ୍କୁଲ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକଙ୍କ ଜନ୍ମଦିନ । ସେ କେବଳ ଗୋଟିଏ ନୁହେଁ ବରଂ ୫୫ଟି ଇଂରାଜୀ ମାଧ୍ୟମ ବିଦ୍ୟାଳୟର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଥିବା ଜଣାପଡିଛି । ତେବେ ତାଙ୍କ ଜନ୍ମଦିନଟିକୁ କିଭଳି ଜାକଜମକରେ ପାଳନ କରାଯାଇ ପାରିବ ସେ ନେଇ ସ୍କୁଲର ଦାୟିତ୍ୱରେ ଥିବା ମୁଖ୍ୟ ଓ କୋର୍ଡିନେଟର ବହୁତ ତତ୍ପର । ମୁଖ୍ୟ ପରିଚାଳନା ନିର୍ଦ୍ଦେଶକଙ୍କୁ ଖୁସି କରିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ କବିତା ଲେଖିବା ପାଇଁ କୁହାଯାଇଥିଲା ଏବଂ କେହି ମନା କଲେ ମଧ୍ୟ ତାଙ୍କୁ ବାଧ୍ୟ କରାଯାଇଥିଲା ମୁଖ୍ୟ ପରିଚାଳନା ନିର୍ଦ୍ଦେଶକଙ୍କ ଗୁଣଗାନ କରି କବିତା ଲେଖିବା ପାଇଁ ।

ଏହା ଛଡା ମୁଖ୍ୟ ପରିଚାଳନା ନିର୍ଦ୍ଦେଶକଙ୍କ ଜନ୍ମଦିନରେ ତାଙ୍କ ଆଗରେ ନୃତ୍ୟ ପରିବେଷଣ କରିବା ପାଇଁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ତାଗିଦ କରାଯାଇଛି ଓ ନିଜ ଚାକିରୀ ବଞ୍ଚାଇବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି । ଜଣେ ଅଭିଭାବକ କହିଛନ୍ତି ଯେ, ଏପର୍ଯ୍ୟନ୍ତ ସେହି ବିଦ୍ୟାଳୟର ରୁଟିନ ଓ ପାଠ୍ୟ ଖସଡ଼ା ସଠିକ ଭାବେ ସ୍ଥିର ହୋଇ ନ ଥିବା ବେଳେ ସ୍କୁଲ ଅଧ୍ୟକ୍ଷଙ୍କ ଏତାଦୃଶ କାର୍ଯ୍ୟକଳାପ କେଉଁ ଶିକ୍ଷା ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ତାହା ସନ୍ଦେହ ଘେରରେ । ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେହି ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଆବଶ୍ୟକତା ଠାରୁ ଅଧିକ ସମୟ ଅଟକାଇ ରଖିବା, ନିଜ କତୃତ୍ଵ ଜାହିର କରିବା ଲାଗି ଅଧ୍ୟକ୍ଷ ସ୍କୁଲ ସମୟ ପରେ ୱେବିନାର ଆୟୋଜନ କରିବା, ସିବିଏସଇ ସମେତ ଅନ୍ୟାନ୍ୟ ପରୀକ୍ଷା ସମୟରେ ନିର୍ଦ୍ଧାରିତ ଅର୍ଥ ଠାରୁ କମ ଅର୍ଥ ଇନଭିଜିଲେଟରମାନଙ୍କୁ ଦେବା ଭଳି ଅଭିଯୋଗ ରହିଛି । ତେବେ ଏଭଳି ସଉକ ରଖିଥିବା ମୁଖ୍ୟ ପରିଚାଳନା ନିର୍ଦ୍ଦେଶକଙ୍କ ହାତରେ ଶିକ୍ଷାୟତନ, ଶିକ୍ଷକ ଓ ଶିକ୍ଷାଦାନ କେତେ ସୁରକ୍ଷିତ ସେ ନେଇ ଅଭିଭାକମାନେ ସନ୍ଦେହ ଘେରରେ ରହିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *