କେନ୍ଦ୍ରର ଛାଟ ବାଜିଲା ପରେ ନିଦ ଭାଙ୍ଗିଲା : ମନଇଚ୍ଛା ଡିଏମ୍ଏଫ୍ ଖର୍ଚ୍ଚରେ କଟକଣା

ଭୁବନେଶ୍ବର : ଜିଲ୍ଲା ଖଣିଜ ଫାଉଣ୍ଡେସନ୍ (ଡିଏମ୍ଏଫ୍) ପାଣ୍ଠି ଖର୍ଚ୍ଚ ପ୍ରସଙ୍ଗରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଖଣି ପ୍ରଭାବିତ ଅଞ୍ଚଳ ପାଇଁ ଉଦ୍ଦିଷ୍ଟ ଏହି ପାଣ୍ଠି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ କ୍ଷେତ୍ରରେ ଆଦୌ ବିନିଯୋଗ ହୋଇପାରିବ ନାହିଁ । କେବଳ ସେତିକି ନୁହେଁ, କୌଣସି ରାଜ୍ୟ ସ୍ତରୀୟ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏହି ଅର୍ଥ ସ୍ଥାନାନ୍ତର ନକରିବାକୁ ଓଡିଶା ସରକାର ରାଜ୍ୟର ସମସ୍ତ ବିଭାଗକୁ ନିର୍ଦେଶ ଦେଇଛନ୍ତି । ଜିଲ୍ଲାପାଳମାନଙ୍କୁ ମଧ୍ୟ ଏ ସଂକ୍ରାନ୍ତରେ ଚେତାବନୀ ଦିଆଯାଇଛି ।

ରାଜ୍ୟ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ଲେଖିଥିବା ଏହି ଚିଠିରେ ଅତି ସ୍ପଷ୍ଟ ଭାବେ କୁହାଯାଇଛି ଯେ ଜିଲ୍ଲା ଖଣିଜ ଫାଉଣ୍ଡେସନ୍ ପାଣ୍ଠିର ଉପଯୋଗକୁ ନେଇ ଏମ୍‌ଏମ୍‌ଡିଆର୍ ଆକ୍ଟର ଧାରା ୯(ଖ)ରେ ଯେଉଁ ବ୍ୟବସ୍ଥା ରହିଛି; ତାହାକୁ କଡାକଡି ଭାବରେ ପାଳନ କରାଯିବ । ଜିଲ୍ଲା ଖଣିଜ ଫାଉଣ୍ଡେସନର ପାଣ୍ଠିର କୌଣସି ଅର୍ଥ ରାଜ୍ୟ ସ୍ତରରେ କିମ୍ବା ରାଜ୍ୟ ସ୍ତରୀୟ ଏଜେନ୍ସି ଦ୍ୱାରା ବିନିଯୋଗ ହୋଇପାରିବ ନାହିଁ । ଭାରତ ସରକାରଙ୍କ ଉପରୋକ୍ତ ନିୟମକୁ କଠୋର ଭାବରେ ପାଳନ କରାଯିବା ସହିତ କେବଳ ଜିଲ୍ଲା ଖଣିଜ ଫାଉଣ୍ଡେସନ ଟ୍ରଷ୍ଟ ବୋର୍ଡ ଦ୍ବାରା ସମ୍ପୃକ୍ତ ଜିଲ୍ଲା ପାଇଁ ଅନୁମୋଦିତ ପ୍ରକଳ୍ପଗୁଡିକରେ ଏହି ଅର୍ଥ ବିନିଯୋଗ ହେବ ।

ସଂଶୋଧିତ ଖଣି ଓ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ଆଇନ-୨୦୧୫ର ଧାରା ୯(ଖ) ଅନୁଯାୟୀ ଡିଏମ୍ଏଫ୍ ପାଣ୍ଠି ଏବଂ ଖଣି ସଂପର୍କିତ ଅନ୍ୟାନ୍ୟ ସ୍ବତନ୍ତ୍ର ପାଣ୍ଠିର ୬୦ ପ୍ରତିଶତ କେବଳ ଖଣି କ୍ଷତିଗ୍ରସ୍ତ ଅଞ୍ଚଳର ସ୍ବାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି, ପାନୀୟ ଜଳ ଭଳି ସର୍ବାଧିକ ପ୍ରାଥମିକତା କ୍ଷେତ୍ରରେ ବିନିଯୋଗ ହେବାର ସ୍ପଷ୍ଟ ବିଧି ରହିଛି । ମାତ୍ର ଓଡ଼ିଶାରେ ତାହାର ଗୁରୁତର ବ୍ୟତିକ୍ରମ ପରିଲକ୍ଷିତ ହେଉଥିବା ସଂକ୍ରାନ୍ତରେ କେନ୍ଦ୍ର ସରକାର ସ୍ଥାନୀୟ ପ୍ରତିନିଧି ଓ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନରୁ ନିର୍ଦିଷ୍ଟ ଅଭିଯୋଗ ପାଇଥିଲେ । ପରେ ଗତବର୍ଷ ସେପ୍ଟେମ୍ବର ମାସରେ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ତାଗିଦ୍ କରିଥିଲା । ଏପରିକି ଏହି ପାଣ୍ଠି ବିନିଯୋଗ କ୍ଷେତ୍ରରେ ନିୟମ ଉଲ୍ଲଂଘନ କଲେ କେନ୍ଦ୍ର ସରକାର ବାଧ୍ୟ ହୋଇ ହସ୍ତକ୍ଷେପ କରିବେ ବୋଲି ଚେତାବନୀ ଦେଇଥିଲେ ।

ହେଲେ ଦୀର୍ଘ ୮ ମାସ ଧରି କେନ୍ଦ୍ର ସରକାରଙ୍କ ଏ ସଂକ୍ରାନ୍ତ ତାଗିଦ୍ ପରେ ବି ରାଜ୍ୟ ସରକାର ନିରବ ରହିଥିଲେ । ଶେଷରେ ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାରଙ୍କର ନିଦ ଭାଙ୍ଗିଛି । ଗତ କିଛି ଦିନ ଧରି ଏହି ଅର୍ଥ ବିନିଯୋଗ ସଂପର୍କରେ ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ ତନାଘନା ଜାରି ରଖିଥିଲା । ଏବେ ଏ କ୍ଷେତ୍ରରେ ଉନ୍ନୟନ କମିସନର ଶ୍ରୀ ଜେନା ଆଉ ପାଦେ ଆଗକୁ ଆସିବା ସହିତ ଚିଠି ଲେଖି ଡିଏମ୍ଏଫ୍ ପାଣ୍ଠିର କୌଣସି ପ୍ରକାର ଅପଚୟ ଗ୍ରହଣୀୟ ନୁହେଁ ବୋଲି ଚେତାଇ ଦେଇଛନ୍ତି ।
ତେବେ ଉନ୍ନୟନ କମିସନରଙ୍କ ଏହି ଚିଠି ଏବେ ଅନେକଙ୍କ ପାଇଁ ଚିନ୍ତାର କାରଣ ହୋଇଛି । କାରଣ ସବୁ ନିୟମ କାନୁନକୁ ଜଳାଞ୍ଜଳି ଦେଇ ଏହି ପାଣ୍ଠି ବିନିଯୋଗ ହେଉଥିବା ସଂକ୍ରାନ୍ତରେ ଢେର୍ ଅଭିଯୋଗ ହୋଇ ଆସୁଥିଲା । ଏପରିକି ବିଧାନସଭା ଭିତରେ ଏବଂ ବାହାରେ ସଦସ୍ୟମାନେ ସରକାରଙ୍କୁ ଘେରୁଥିଲେ । ଏବେ ନିୟମ ଉଲ୍ଲଂଘନ ହୋଇ ଯେଉଁ ଅର୍ଥ ଖର୍ଚ୍ଚ ହୋଇଛି, ସେ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ କଣ ହେବ, ତାହା ଏକ ବଡ଼ ପ୍ରସଙ୍ଗ ଭାବେ ଉଭା ହେଲାଣି ।

ଚଳିତବର୍ଷ ଜାନୁଆରି ସୁଦ୍ଧା ଡିଏମଏଫ୍ ପାଣ୍ଠିକୁ ୧୬ ହଜାର ୯୫୨ କୋଟି ୬୪ ଲକ୍ଷ ଟଙ୍କା ଆସିଥିବା ବେଳେ ସେଥିରୁ ୮ ହଜାର ୫୧୫ କୋଟି ୭୧ ଲକ୍ଷ ଟଙ୍କା ବିଭିନ୍ନ ପ୍ରକଲ୍ପରେ ବିନିଯୋଗ ହୋଇଛି । ପାଣ୍ଠି ବିନିଯୋଗ ଦୃଷ୍ଟିରୁ ଓଡ଼ିଶାର ସ୍ଥାନ ଛତିଶଗଡ, ଗୁଜରାଟ, ତେଲେଙ୍ଗାନା ଓ କର୍ଣ୍ଣାଟକ ଭଳି ରାଜ୍ୟ ତଳକୁ ଅର୍ଥାତ୍ ପଞ୍ଚମ ସ୍ଥାନରେ ରହିଥିବା କେନ୍ଦ୍ର ସରକାରଙ୍କ ସମୀକ୍ଷାରୁ ଜଣାପଡିଛି ।

Leave a Reply

Your email address will not be published. Required fields are marked *