ମାଲକାନଗିରି : ମାଲକାନଗିରିରେ କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଜିଲ୍ଲାର ମାଥିଲି ବ୍ଲକ ପୂଜାରୀଗୁଡାରେ ଘର ଭାଙ୍ଗି ଜଣେ ଗୁରୁତର ଆହତ ହେବାରୁ ମାଥିଲି ମେଡିକାଲରେ ଭର୍ତ୍ତି କରାଯାଇଛି । ପୂଜାରୀ ଗୁଡା ସମେତ ଟିଲିଗୁଡା, ଚାଲାଣଗୁଡା, ପେଦାଗୁଡା ଆଦି ଗାଁରେ ପବନ ଓ ବର୍ଷା ଯାଗୁଁ ବିଭିନ୍ନ ଘର ଭାଙ୍ଗିଯାଇଛି । ଖଇରପୁଟ ବ୍ଲକରେ ମଧ୍ୟ ଅନେକ ଘର ଭାଙ୍ଗି ଯାଇଛି । ସୁଗ୍ରୀଗୁଡା ସ୍କୁଲର ଟିଣ ଛପର ମଧ୍ୟ ଉଡିଯାଇଛି । ଗୁରୁବାର ପ୍ରବଳ ବେଗରେ ପବନ ବହିବା ସହ କୁଆପଥର ବର୍ଷା ଆରମ୍ଭ ହୋଇଥିଲା । ପବନର ବେଗ ଅଧିକ ହେବା ସହ ଅନେକ ସ୍ଥାନରେ ବଡ ବଡ଼ ଗଛ ଉପୁଡି ପଡିଥିଲା । ବିଦ୍ୟୁତ ତାର ଛିଣ୍ଡିଯାଇଥିବାରୁ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି । ଅନେକ ସ୍ଥାନରେ ଘରମାନଙ୍କର ଛପର ଉଡିଯାଇଛି । ଏଥିସହ ମାଲକାନଗିରି ଜୟପୁର ରାଜପଥର ବିଭିନ୍ନ ସ୍ଥାନରେ ଗଛ ରାସ୍ତା ଉପରେ ଗଛ ପଡିଯିବା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ସମସ୍ତ ଯାନବାହନ ସହ ଦୂରଗାମୀ ବସ ଅଟକି ରହିଛି । ଅଗ୍ନିଶମ ବାହିନୀ ତରଫରୁ ଯାତାୟତ ସ୍ବାଭାବିକ କରିବା ପାଇଁ ଚେଷ୍ଟା ଚାଲିଥିବା ଜଣାଯାଇଛି ।
