କୋରାପୁଟ : ଏତେ ଦିନ ଧରି ଭାରତ ସ୍ବାଧୀନ ହୋଇଥିଲେ ବି ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ପାନୀୟ ଜଳ ବ୍ୟବସ୍ଥାରେ ସେଭଳି ଆଖିଦୃଶିଆ ବିକାଶ ହୋଇନାହିଁ । ଓଡ଼ିଶାର ସର୍ବବୃହତ ଜିଲ୍ଲା ଭାବେ ପରିଚିତ ଥିବା କୋରାପୁଟରୁ ବିକାଶ ତ୍ବରାନ୍ବିତ ହେବା ଆଶାରେ ମାଲକାନଗିରି, ନବରଙ୍ଗପୁର ଓ ରାୟଗଡାକୁ ବିଚ୍ଛିନ୍ନ କରିଦିଆଯିବାର ୩୦ ବର୍ଷ ହୋଇଯାଇଥିଲେ ବି ସ୍ଥିତି ସେଭଳି ରହିଛି । ଜଳ ଯୋଗାଣ ଯୋଜନାର ବିକଳ ଚିତ୍ର ସବୁବେଳେ ଦେଖିବାକୁ ମିଳୁଛି । ପାହାଡିଆ ଅଞ୍ଚଳ ହୋଇଥିବାରୁ ସୌର ପ୍ରକଳ୍ପ ଜରିଆରେ ଜଳ ଯୋଗାଣ ଚେଷ୍ଟା କରାଯାଇଥିଲେ ବି ତାହା ଫେଲ ମାରିଛି । ଓରେଡା ପକ୍ଷରୁ ଜିଲ୍ଲାର ୨୪୦ ପଞ୍ଚାୟତର ପ୍ରାୟ ୮୮୨ ଗାଁରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଥିଲେ ବି କାଁ ଭାଁ ଚାଲୁଥିବାବେଳେ ଅଧିକାଂଶ ପ୍ରକଳ୍ପ ଅଚଳ ଅବସ୍ଥାରେ ରହିଛି । ଟଙ୍କା ନେଇ ଠିକା ସଂସ୍ଥା ପ୍ରକଳ୍ପ ନିର୍ମାଣ କରି ଚାଲିଯାଇଥିବାବେଳେ ଏହାକୁ ମରାମତି କରିବାକୁ ଜିଲ୍ଲା ପ୍ରଶାସନ ଭୁଲିଯାଇଛି । ଫଳରେ ଜିଲ୍ଲାରେ ସୌର ପାନଳୀୟ ଜଳ ଯୋଗାଣ ଯୋଜନା ସମ୍ପୂର୍ଣ୍ଣ ବାଟବଣା ହୋଇପଡିଛି । ଟଙ୍କା ବରବାଦ ହୋଇଯାଇଥିବାବେଳେ ପାଣି ପାଇଁ ଲୋକଙ୍କ ଦୁର୍ଦ୍ଦଶା କବିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି ।
ଜିଲ୍ଲାର ବଡ କେରେଙ୍ଗା ପଞ୍ଚାୟତର ଚକ୍ରଲିଗୁଡାଠାରେ ୬ ବର୍ଷ ତଳେ ନିର୍ମାଣ କରାଯାଇଥିଲା ସୌର ପାନୀୟ ଜଳ ପ୍ରକଳ୍ପ । ଏଥିପାଇଁ ଗାଁର ବଡି ମୁଦୁଲି ୧୦ ସେଣ୍ଟ ଜାଗା ସରକାରଙ୍କୁ ଦାନ କରିଥିଲେ । ୪ କୋଟି ଟଙ୍କା ବିନିମୟରେ ୨୦୧୪ ଡିସେମ୍ବର ମାସ ୨୯ ତାରିଖରେ ଏଠାରେ ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ହେଲା । ଉପର ସାହି, ତଳ ସାହି ଓ ଢେପ ସାହିରେ ୪ଟି ଷ୍ଟାଣ୍ଡ ପଏଣ୍ଟ ଲାଗିଥିଲା । ୭୨ ଘରର ୩୫୦ ଲୋକ ପାଣି ପାଇବେ ବୋଲି ଖୁସି ହୋଇଯାଇଥିଲେ । ହେଲେ ମାତ୍ର ସପ୍ତାହେ ପରେ ଏହା ଅକାମୀ ହୋଇଗଲା । ଅଭିଯୋଗ ଦେଇ ଦେଇ ଥକିବା ପରେ ଏବେ ଝରଣାପାଣି ଉପରେ ନିର୍ଭର କରୁଛନ୍ତି ଆଦିବାସୀ, ହରିଜନ ଓ ଗରିବ ଶ୍ରେଣୀୟ ପରିବାର । ଉଚ୍ଚକ୍ଷମତା ସମ୍ପନ୍ନ ଯନ୍ତ୍ରପାତି ସବୁ ଚୋରି ହୋଇଯାଇଛି । ୪ କୋଟି ପାଣିରେ ପଡିଛି ।
ଏହା ଉପରେ ନିର୍ଭର କରି ଅରେମ୍ଭ ହୋଇଥିବା ସ୍ବଚ୍ଛ ଭାରତ ମିଶନ ମଧ୍ୟ ବାଟ ହୁଡିଛି । ପ୍ରତି ଘରେ ଯଦିଓ ପାଇଖାନା ନିର୍ମାଣ ହୋଇଛି ପାଣି ନ ଥିବାରୁ ସବୁ ବାହାରକୁ ମଳତ୍ୟାଗ କରିବାକୁ ଯାଉଥିବା ଦେଖିବାକୁ ମିଳିଛି । ଖାଲି କୋରାପୁଟ ବ୍ଲକ ବଡ କେରେଙ୍ଗା ନୁହେଁ ଜିଲ୍ଲାର ବୈପାରିଗୁଡା, ଜୟପୁର, ବୋରିଗୁମ୍ମା, କୁନ୍ଦୁରା, ଲମତାପୁଟ, ନନ୍ଦପୁର, ପଟାଙ୍ଗୀ, କୋଟପାଡ, ନାରାୟଣପାଟଣା, ବନ୍ଧୁଗାଁ, ସେମିଳିଗୁଡା, ଦଶମନ୍ତପୁର ଓ ଲକ୍ଷ୍ମୀପୁର ପରି ବ୍ଲକରେ ସମାନ ଅବସ୍ଥା । ଓଡ଼ିଶା ଅକ୍ଷୟଶକ୍ତି ବିକାଶ ଏଜେନ୍ସୀ ବା ଓରେଡା ପକ୍ଷରୁ ଯେଉଁ ସବୁ ସ୍ଥାନରେ ଗତ ୬ ବର୍ଷ ମଧ୍ୟରେ ଏହି ସୋଲାର ଚାଳିତ ପାନୀୟ ଜଳ ପ୍ରକଳ୍ପ ତିଆରି ହୋଇଛି ସବୁ ଏବେ ମାଟିରେ ମିଶିଛି । ଅଧାରୁ ଅଧିକ ପ୍ରକଳ୍ପ କାମ କରୁ ନ ଥିବାବେଳେ ଏକାଧିକ ପ୍ରକଳ୍ପରୁ ଯନ୍ତ୍ରାଶ ଚୋରି ହୋଇଯାଇଛି । ଫଳରେ ଯେଉଁ ଲକ୍ଷ୍ୟ ନେଇ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା ତାହା ପୁରଣ ହୋଇପାରିନାହିଁ ।
ଗାଁର ବଡି ମୁଦୁଲି କହିଛନ୍ତି ଯେ ଗାଁକୁ ପାନୀୟ ଜଳ ମିଳିବ ବୋଲି ଜମି ଦେଲି । ନା ପାନୀୟ ଜଳ ମିଲିଲା ନା ଘର କରିପାରିଲି । ଏବେ ସର୍ବହରା ହୋଇ ଏହି ପ୍ରକଳ୍ପ କଡରେ ରହୁଥିବାବେଳେ ପ୍ରକଳ୍ପ ଯୋଗୁଁ ଜାଗା ମାଡି ବସୁଥିବାରୁ ଘର କରି ହେଉ ନଥିବା ସେ କହିଛନ୍ତି ।
ଏନେଇ ଗାଁର ଚନ୍ଦ୍ରମଣି ଜାନୀ କହିଛନ୍ତି ଯେ ସରକାର ସ୍ବଚ୍ଛ ଭାରତ ମିଶନରେ ପାଇଖାନା ସିନା ନିର୍ମାଣ କରିଛନ୍ତି ହେଲେ ପାଇଖାନା ଯିବାକୁ ପାଣି ନାହିଁ । ସୋଲାର ପକ୍ରଳ୍ପ ଅଚଳ ଓ ପରବର୍ତ୍ତୀ ସମୟରେ ଯନ୍ତ୍ରାଂଶ ଚୋରି ହେବାରୁ ଗାଁ କଡରେ ରହିଥିବା ନଦୀ ହିଁ ଭରଷା । ସକାଳୁ ସଞ୍ଜରେ ଗାଁ ଲୋକେ ସବୁ ନଦୀକୁ ନିତ୍ୟକ୍ରମ ପାଇଁ ଯାଉଥିବା ସେ କହିଛନ୍ତି । ସରକାର ଏତେ ଟଙ୍କା ଖର୍ଚ୍ଚ କରି ଯେଉଁ ପ୍ରକଳ୍ପ ଆରମ୍ଭ କଲେ ତାହା କି ଆବଶ୍ୟକ ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।
