ବାଲିପାଟଣା : ବାଲିଅନ୍ତା ଥାନା ପ୍ରତାପରୁଦ୍ରପୁର ଆଖଣ୍ଡଳେଶ୍ଵର ମନ୍ଦିରରୁ ଚୋରୀ । ବିଳମ୍ବିତ ରାତ୍ରିରେ କେହି ଦୁର୍ବୃତ୍ତ ମନ୍ଦିର ତାଲା ଭାଙ୍ଗି ଚନ୍ଦ୍ରଶେଖର, ପାର୍ବତୀ, ଆଣ୍ଠୁଆ ଗୋପାଳ ମୂର୍ତ୍ତି ଚୋରୀ କରି ନେଇଛନ୍ତି । ଆଜି ସକାଳୁ ପାହାନ୍ତା ଆଳତୀ କରିବା ପାଇଁ ପୂଜକ ଆସିଥିବା ବେଳେ ମନ୍ଦିରର କବାଟ ଖୋଲା ଥିବା ସହ ତାଲା ତଳେ ପଡିଥିବା ଦେଖିଥିଲେ ।
ପରେ ଏ ସମ୍ପର୍କରେ ଗ୍ରାମବାସୀଙ୍କୁ ପୂଜକ ଜଣାଇବା ସହ ଚୋରୀ ସମ୍ପର୍କରେ ଜାଣିବାକୁ ପାଇଥିଲେ । ଚୋରୀ ପରେ ଦୁର୍ବୃତ୍ତମାନେ ଚନ୍ଦ୍ର, ପ୍ରଭା ମନ୍ଦିର ନିକଟରେ ଫିଙ୍ଗି ଦେଇ ଯାଇଛନ୍ତି । ଖବର ପାଇ ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ଵାଇଁ ଘଟଣା ସ୍ଥଳରେ ପହଁଞ୍ଚି ଚୋରୀ ଘଟଣାର ତଦନ୍ତ କରୁଛନ୍ତି । ପୋଲିସ୍ ପାରିପାର୍ଶ୍ୱିକ ଅବସ୍ଥାକୁ ଅନୁଧ୍ୟାନ କରିବା ସହ ଏହି ଚୋରୀ ରେ ଏକ ଗ୍ୟାଙ୍ଗ ସଂପୃକ୍ତ ଥିବା ଅନୁମାନ କରୁଛନ୍ତି ।
ଗତ ୩୦ ବର୍ଷ ପୂର୍ବେ ଏହି ମନ୍ଦିରରୁ ମୂର୍ତ୍ତି ଚୋରୀ ହୋଇଥିଲା । ପରେ ଚୋରୀ ମୂର୍ତ୍ତିକୁ ପୋଖରୀରୁ ଉଦ୍ଧାର କରାଯାଇଥିଲା । ଗଲା କିଛି ଦିନ ହେଲା ବାଲିଅନ୍ତା ଥାନା ଅଂଚଳରେ ମନ୍ଦିରରୁ ମୂର୍ତ୍ତି ଚୋରୀ ହେଉଛି । ଖୁବ୍ ଶିଘ୍ର ଏହି ଚୋରୀ ଘଟଣାରେ ସଂପୃକ୍ତ ଚୋର ଗ୍ୟାଙ୍ଗ କୁ ଧରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
