ମାନସିକ ଭିନ୍ନକ୍ଷମ ଝିଅକୁ ମିଳୁନି ମୌଳିକ ଅଧିକାର, ଅଭିଯୋଗ ଆଣିଲେ ଜଣେ ମା’

ଜୟପୁର : ମାନସିକ ଭିନ୍ନକ୍ଷମ ଝିଅକୁ ତାହାର ମୌଳିକ ଅଧିକାର ଓ ପିତୃତ୍ବ ଅଧିକାର ଦେବାକୁ ଦାବି କରି ଜଣେ ମା’ ନିଜ ସ୍ବାମୀଙ୍କ ବିରୋଧରେ ରାଜ୍ୟ ମାନବିକ ଅଧିକାର କମିଶନର ଦ୍ବାରସ୍ଥ ହୋଇଛନ୍ତି । ସୂଚନା ଅନୁଯାୟୀ, ଗତ ୨୭ ବର୍ଷ ତଳେ ମାଲାକାନଗିରୀ ଜିଲ୍ଲାର ପଡିଆ ଅଂଚଳର କଲ୍ୟାଣ ବିଭାଗର ସେବାଶ୍ରମ ସ୍କୁଲରେ ଶ୍ରୀକାନ୍ତ ପ୍ରଧାନ ଶିକ୍ଷକ ଭାବେ କାମ କରୁଥିଲେ । ସେ ସମୟରେ ସେଠାରେ ମହିଳା ସ୍ବାସ୍ଥ୍ୟ କର୍ମୀ ଭାବେ ସୁପ୍ରିୟା ମଲ୍ଲୀକ କାମ କରୁଥିଲେ । ଉଭୟ ସେଠାରେ ବାହା ହୋଇଥିଲେ । ତାଙ୍କର ଗୋଟିଏ ଝିଅ ଜନ୍ମ ହୋଇଥିଲା ।

ତେବେ ଝିଅକୁ ୬ ବର୍ଷ ହେବା ପର୍ଯ୍ୟନ୍ତ ସେ କଥା କହୁ ନଥିଲେ କି କିଛି ଶୁଣୁ ନଥିଲେ । ଡାକ୍ତରୀ ପରୀକ୍ଷା କରାଇବାରେ ସେ ମାନସିକ ଭିନ୍ନକ୍ଷମ (ମୁକ ଓବଧିର) ବୋଲି ଜଣା ପଡ଼ିଥିଲା । ଏହା ଜାଣିବା ପରେ ଝିଅକୁ ଏବଂ ପ୍ରଥମ ପତ୍ନୀ ସୁପ୍ରିୟାଙ୍କୁ ଛାଡ଼ି ଦେଇଥିଲେ ଶ୍ରୀକାନ୍ତ । ସେ ଏବେ ଦ୍ବିତୀୟ ବାହା ହୋଇଥିବା ଅଭିଯୋଗ କରିଛନ୍ତି ସୁପ୍ରିୟା ।  ସଂପ୍ରତି ଶ୍ରୀକାନ୍ତ କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକରେ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି । ଶ୍ରୀକାନ୍ତଙ୍କୁ ସୁପ୍ରିୟା ବ୍ୟକ୍ତିଗତ ଭାବେ ଭେଟି ଝିଅଟି ଏବେ ବଡ଼ ହୋଇ ୨୭ ବର୍ଷ ହୋଇଥିବାରୁ ତାହାର ମୌଳିକ ଅଧିକାର ଏବଂ ପିତୃତ୍ବ ଅଧିକାରରୁ ବଂଚିତ ହୋଇ ରହିଛି ତାହା ଦେବାକୁ କହିଥିଲେ ।

ତେବେ ଶ୍ରୀକାନ୍ତ କିଛି ଶୁଣି ନଥିବା ଅଭିଯୋଗ କରିଛନ୍ତି ସୁପ୍ରିୟା । ତେ‌ଣୁ ଝିଅର ଏହି ଅଧିକାର ମିଳୁ ବୋଲି ସୁପ୍ରିୟା ଅଭିଯୋଗ କରି ରାଜ୍ୟ ମାନବିକ ଅଧିକାର କମିଶନର ଦ୍ବାରସ୍ଥ ହୋଇଛନ୍ତି । ସେ ମାନସିକ ଭିନ୍ନକ୍ଷମ ହେଲେ ମଧ୍ୟ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ଆବଶ୍ୟକ । ତେଣୁ ଝିଅକୁ ମୌଳିକ ଅଧିକାର ପାଇବାରୁ ବଂଚିତ କରାଯିବା ଠିକ୍ ନୁହେଁ ବୋଲି ସୁପ୍ରିୟା ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *