ରାୟଗଡ ଜିଲ୍ଲା କଂସାରିଗୁଡ଼ାରେ ହିଣ୍ଡାଲକୋ ପ୍ରକଳ୍ପ ବିସ୍ଥାପିତ, କ୍ଷତିଗ୍ରସ୍ତଙ୍କ ନ୍ୟାର୍ଯ୍ୟଦାବି; କାରଖାନା ନିର୍ମାଣ ନଚେତ କ୍ଷତିପୂରଣ ସହ ଜମି ଫେରାଯାଉ-ସାଂସଦ ସପ୍ତଗିରି ଉଲ୍ଲକା

ରାୟଗଡ : କାରଖାନା ପ୍ରତିଷ୍ଠା କର ନଚେତ ଆମ ଜମି ଆମକୁ ଫେରାଇ ଦିଅ ବୋଲି ଦାବି ନେଇ ଆଜି ରାୟଗଡା-କାେରାପୁଟ ୩୨୬ ନମ୍ବର ଜାତୀୟ ରାଜପଥ ରାଫକଣା ଛକରେ ସକାଳ ୬ ରୁ ମଧ୍ୟାହ୍ନ ଯାଏଁ ଜାତୀୟ ରାଜପଥକୁ ଅବରୋଧ କରିଥିଲେ କଂସାରିଗୁଡା ଆଦିତ୍ୟ ଆଲୁମିନା ଜମିହରା, ବିସ୍ଥାପିତ ଓ ପ୍ରଭାବିତ ଅଞ୍ଚଳବାସୀ । ଘଟଣାସ୍ଥଳରେ ଉପଜିଲ୍ଲାପାଳ ପ୍ରତାପଚନ୍ଦ୍ର ପ୍ରଧାନ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ପଂହଚି ଆନ୍ଦାେଳନକାରୀଙ୍କ ସହ ଆଲୋଚନା କରିଥିଲେ । ରାସ୍ତା ଅବରୋଧକାରୀଙ୍କ ମଧ୍ୟରୁ ପୋଲିସ ୪ ଜଣଙ୍କୁ ଅଟକ ରଖବାରୁ ଅଧିକ ଉତ୍ତେଜନା ପ୍ରକାଶ ପାଇଥିଲା । ଫଳରେ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ରାୟଗଡା ଜିଲ୍ଲା କାଶୀପୁର ବ୍ଲକର କଂସାରିଗୁଡା ଠାରେ ଦୀର୍ଘ ୧୭ ବର୍ଷ ତଳେ ଆଦିତ୍ୟ ଆଲୁମିନା ରିଫାଇନାରୀ କାରଖାନା ପ୍ରତିଷ୍ଠା ନିମନ୍ତେ ଜମି ଅଧିଗ୍ରହଣ କରି ଜାଗା ମଧ୍ୟ ଚିହ୍ନଟ କରାଯାଇଥିଲା । କିନ୍ତୁ ୧୭ ବର୍ଷ ବତି ଯାଇଥିଲେ ସୁଦ୍ଧା କାରଖାନା ପ୍ରତିଷ୍ଠା କରାଯାଉନାହିଁ । ଏ ନେଇ ଜନଶୁଣାଣୀ ମଧ୍ୟ ଶେଷ ହୋଇଯାଇଛି । ଏପଟେ ଆଦିତ୍ୟ ଆଲୁମିନା କମ୍ପାନୀ କତ୍ତୃପକ୍ଷ କାର୍ଯ୍ୟାରମ୍ଭ କରୁ ନ ଥିବା ବେଳେ ରାଜ୍ୟ ସରକାର ମଧ୍ୟ କୁମ୍ଭକର୍ଣ୍ଣ ନିଦରେ ଶୋଇଥିବା ନେଇ ଆନ୍ଦୋଳନରେ ସାମିଲ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କୋରାପୁଟ ଲାେକସଭା ସାଂସଦ ସପ୍ତଗିରି ଉଲ୍ଲକା । କଂସାରିଗୁଡା ଠାରେ କାରଖାନା ପ୍ରତିଷ୍ଠା କରନ୍ତୁ କିମ୍ବା ୧୭ ବର୍ଷର କ୍ଷତି ପୂରଣ ଦେଇ କମ୍ପାନୀ ଦ୍ୱାରା ଅଧିଗ୍ରହଣ କରିଥିବା ଜମିକୁ ଫେରାନ୍ତୁ ବୋଲି ଆନ୍ଦୋଳନକାରୀଙ୍କ ଦାବିକୁ ସମର୍ଥନ ଜଣାଇ ଯଥାଶୀଘ୍ର କମ୍ପାନୀ କାର୍ଯ୍ୟାରମ୍ଭ ପାଇଁ ସରକାର ଆଗାମୀ ୧୫ ଦିନ ମଧ୍ୟରେ ଏମ.ଓ.ୟୁ ଚୁକ୍ତି ସ୍ୱାକ୍ଷର କରନ୍ତୁ, ନଚେତ ଅଂଚଳବାସୀଙ୍କ ପକ୍ଷରୁ ସିଙ୍ଗାରାମ ରେଳ ଷ୍ଟେସନରେ ରେଳରୋକ ସହ ଉତ୍କଳ ଆଲୁମିନା କମ୍ପାନୀ ମୁଖ୍ୟ ଗେଟ, ଲକ୍ଷ୍ମୀପୁରର ଜିରୋ ପଂଏଣ୍ଟରୁ ଖଣି ଉତ୍ତାେଳନକୁ ବନ୍ଦ କରି ଧାରଣା ଦିଆଯିବ ବୋଲି ସାଂସଦ ଉଲ୍ଲକା ଚେତାବନୀ ଦେଇଛନ୍ତି । ଅପରପକ୍ଷେ ଆନ୍ଦାେଳନକାରୀଙ୍କ ପକ୍ଷରୁ ଦିଆଯାଇଥିବା ଦାବିପତ୍ରକୁ ସରକାରଙ୍କ ନିକଟକୁ ପ୍ରେରଣ କରାଯାଇ ନିର୍ଦ୍ଦେଶ ନାମା ମୁତାବକ ପଦକ୍ଷେପ ଗ୍ରହଣ କରାଯିବ ବାେଲି ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *